ସିଡିଏର ଗୁରୁତ୍ୱପୂର୍ଣ୍ଣ ବୈଠକ ମହାନଦୀ କୂଳ ୪୨୬ ଏକର ଜମିର ହେବ ଉନ୍ନତୀକରଣ ପ୍ରସ୍ତୁତ ହେବ ପାର୍କ
ଏକ ମାସ ମଧ୍ୟରେ ପ୍ରସ୍ତୁତ ହେବ ମାଷ୍ଟର ପ୍ଲାନ୍
କଟକ : ବାଲିଯାତ୍ରା ପଡିଆ ଓ ତତ୍ ସଂଲଗ୍ନ ହାଡିଆ ପଠାକୁ ଲାଗି ମହାନଦୀ କୂଳରେ ସୃଷ୍ଟି ହୋଇଥିବା ୪୨୬ ଏକର ଜମିକୁ ନ୍ୟାସ୍ନାଲ ଗ୍ରୀନ୍ ଟ୍ରିବ୍ୟୁନାଲ୍ (ଏନ୍ଜିଟି) ଆଦେଶ ମୁତାବକ ଉନ୍ନତୀକରଣ କରାଯିବ । ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସର୍କୁଲାର ଅନୁସାରେ କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) କାର୍ଯ୍ୟାଳୟରେ ଆଜି ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସିଡିଏ ଅଧ୍ୟକ୍ଷ ଅନୀଲ କୁମାର ସାମଲ ପୈାରୋହିତ୍ୟ କରିଥିଲେ । ଏନ୍ଜିଟି ଆଦେଶ ଭିତ୍ତିରେ ଉକ୍ତ ଅଂଚଳକୁ ଯେପରି ଜନସାଧାରଣଙ୍କ ହିତରେ ଲଗାଯାଇପାରିବ ଏବଂ ଲୋକାଭିମୁଖୀ ପ୍ରକଳ୍ପ ପ୍ରସ୍ତୁତ କରାଯାଇପାରିବ ସେଥିନେଇ ତୁରନ୍ତ ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ଏନ୍ଜିଟି ନିର୍ଦ୍ଦେଶ ମୁତାବକ ମୋଟ ୪୨୬ ଏକର ଜମିରୁ ୨୬୧ ଏକରରେ ଘନ ଜଙ୍ଗଲ ସୃଷ୍ଟି କରାଯିବ ଏବଂ ଜଙ୍ଗଲର ଦାୟିତ୍ୱ ବନ ବିଭାଗକୁ ହସ୍ତାନ୍ତର କରାଯିବ । ସେହିପରି ଐତିହାସିକ ବାଲିଯାତ୍ରା ଉତ୍ସବ ପାଳନ ପାଇଁ ୩୪ ଏକର ଜମି ଛାଡିଦିଆଯିବ, ବକେୟା ୧୩୧ ଏକର ଜମିରେ ଜନସାଧାରଣଙ୍କ ମନୋରଂଜନ ପାଇଁ ପାର୍କ, ଖେଳପଡିଆ, ମୁକ୍ତାକାଶ ବ୍ୟାୟାମଶାଳା ସହ ବାୟୋଲୋଜିକାଲ ପାର୍କ(ଜୈବିକ ଉଦ୍ୟାନ) ସୃଷ୍ଟି କରାଯିବ । ଏନଜିଟି ନିର୍ଦ୍ଦେଶ ଭିତ୍ତିରେ ଉପରୋକ୍ତ ଜମିରେ କୈାଣସି ସ୍ଥାୟୀ ବା କଂକ୍ରିଟ ନିର୍ମାଣ କରାଯିବ ନାହିଁ ବୋଲି ସିଡିଏ ଅଧ୍ୟକ୍ଷ ଶ୍ରୀ ସାମଲ ଗଣମାଧ୍ୟମକୁ କହିଛନ୍ତି । ସୈାନ୍ଦର୍ଯ୍ୟକରଣ ମାଧ୍ୟମରେ ଏହି ସ୍ଥାନକୁ ଅଧିକ ଆକର୍ଷଣୀୟ କରାଯିବ ବୋଲି ସେ ମତବ୍ୟକ୍ତ କରିଛନ୍ତି । ଏତଦ୍ବ୍ୟତୀତ ହେବାକୁ ଥିବା ପ୍ରକଳ୍ପଗୁଡିକ ପାଇଁ ଆବଶ୍ୟକ ମାଷ୍ଟର ପ୍ଲାନ ଏକ ମାସ ମଧ୍ୟରେ ପ୍ରସ୍ତୁତ କରାଯିବ । ଚେନାଇର ‘ଜନ ଅର୍ବାନ’ ନାମକ ଏକ ଘରୋଇ ସଂସ୍ଥାକୁ ଉକ୍ତ ମାଷ୍ଟାର ପ୍ଲାନ୍ ପ୍ରସ୍ତୁତ କରିବାକୁ ଦାୟିତ୍ୱ ଦିଆଯାଇଛି । ସେପ୍ଟେମ୍ବର ୨୧ରେ ଏନଜିଟି ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇ ବାଲିଯାତ୍ରା ପଡିଆ ସଂଲଗ୍ନ ୪୨୬ ଏକର ଜମିରୁ ଦୁଇ ତୃତୀୟାଂଶରେ ଜଙ୍ଗଲ ସୃଷ୍ଟି କରିବାକୁ ଆଦେଶ ଦେଇଥିଲା ବେଳେ ଏକ ତୃତୀୟାଂଶରେ ପାର୍କ, ଖେଳପଡିଆ, ମୁକ୍ତାକାଶ ବ୍ୟାୟାମଶାଳା ଓ ବାୟୋଲୋଜିକାଲ ପାର୍କ ପାଇଁ ସରକାରଙ୍କୁ ଆଦେଶ ଦେଇଥିଲା । ପୂର୍ବରୁ ସିଡିଏ କର୍ତ୍ତୃପକ୍ଷ ଏହି ଅଂଚଳରେ ମିନି ଷ୍ଟାଡିୟମ, ଇନଡୋର ହଲ, ଜଗିଂ ଟ୍ରାକ୍, ସାଇକେଲ ଟ୍ରାକ, ଫୁଡ୍କୋର୍ଟ ଓ ଭେଣ୍ଡିଂ ଜୋନ୍ ସହ ସୈାନ୍ଦର୍ଯ୍ୟକରଣ ପାଇଁ ଯୋଜନା କରିଥିଲେ । ପରବର୍ତ୍ତୀ ସମୟରେ ଏନଜିଟିରେ ମାମଲା ଯୋଗୁଁ ଏସବୁ ପ୍ରକଳ୍ପକୁ ବନ୍ଦ କରିବାକୁ ପଡିଥିଲା । ଆଜିର ଅନୁଷ୍ଠିତ ବୈଠକରେ ସିଡିଏ ଅଧ୍ୟକ୍ଷ ଶ୍ରୀ ସାମଲଙ୍କ ସମେତ ଉପାଧ୍ୟକ୍ଷ ତଥା ସିଏମସି କମିଶନର ନିଖିଲ ପୱନ କଲ୍ୟାଣ, ଜିଲ୍ଲାପାଳ ଡ. ଭବାନୀ ଶଙ୍କର ଚୟନୀ, ଜଙ୍ଗଲ ବିଭାଗ ଅଧିକାରୀ, କଟକ ସଦର ତହସିଲଦାର, ଆରଏଣ୍ଡବି ଓ ଜଳ ସଂପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ, ସିଏମସି ସିଟି ଇଂଜିନିୟର, ସିଡିଏ ଇଂଜିନିୟରିଂ ମେମ୍ବର, ପ୍ଲାନିଂ ମେମ୍ବର ଓ ପିଏମୟୁର କର୍ମକର୍ତ୍ତାମାନେ ଯୋଗଦେଇଥିଲେ ।
