ପୁରୀରେ ନିର୍ମାଣ ହେବ ଶ୍ରୀମନ୍ଦିର ଆଦର୍ଶ ଗୁରୁକୂଳ
ପୁରୀ : ପୁରୀ ବଡଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସ ଠାରେ ନୂତନ ପରିଚାଳନା କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯିବ ସହ ସେବାୟତଙ୍କ ନିମନ୍ତେ ଘର ଓ ପୁରୀରେ ଶ୍ରୀମନ୍ଦିର ଆଦର୍ଶ ଗୁରୁକୂଳ ନିର୍ମାଣ ହେବା ନେଇ ନିଷ୍ପତ୍ତି ନିଆଯାଇଛି । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର ସୂଚନା ଦେଇଛନ୍ତି।
ପ୍ରାଥମିକ ପର୍ଯ୍ୟାୟରେ ଶ୍ରୀମନ୍ଦିରର ୪୦୦ ଜଣ ସେବାୟତଙ୍କୁ ମିଳିବ ଘର। ଏହାଛଡା ପ୍ରତି ସେବାୟତଙ୍କୁ ଘର ନିର୍ମାଣ ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ। ସେବାୟତ ଚାହିଁଲେ ନିଜ ଖର୍ଚ୍ଚରେ ମଧ୍ୟ ଘରକୁ ଆହୁରି ବଢାଇପାରିବେ। ପରିବାର ପିଛା ୬ ଶହ ବର୍ଗଫୁଟ ଜମି ମିଳିବ। ୮ ଏକର ଜମିରେ ନିର୍ମାଣ ହେବ ସେବାୟତଙ୍କ ଘର। ସେହିଭଳି ପୁରୀରେ ଶ୍ରୀମନ୍ଦିର ଆଦର୍ଶ ଗୁରୁକୂଳ ପାଇଁ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ଆଦର୍ଶ ଗୁରୁକୂଳ ସୋସାଇଟି ଗଠନ ହେବ। ପରିଚାଳନା କମିଟି ଅଧିନରେ ସୋସାଇଟି ଗଠନ ହେବ। ଶ୍ରୀମନ୍ଦିର ଗୁରୁକୂଳ ଫଣ୍ଡ ଗଠନ ହେବ। ଫଣ୍ଡ ମାଧ୍ୟମରେ ଗୁରୁକୂଳର ବିକାଶ କରାଯିବ। ୧୭ ଏକର ଜମି ମାଟିତୋଟାରେ ଗୁରୁକୂଳ ପାଇଁ ବ୍ୟବହାର ହେବ। ଗଜପତି ମହାରାଜା ସୋସାଇଟିର ଚେୟାରମ୍ୟାନ ରହିବେ। ଗୋଟିଏ ସଂସ୍ଥା ସହ ଗୁରୁକୂଳ ପାଇଁ ଏମଓୟୁ ହେବ। ଆଦର୍ଶ ଗୁରୁକୂଳ ପାଇଁ ଓଡିଶା ସରକାର ସମସ୍ତ ଖର୍ଚ୍ଚ କରିବେ। ଏହି ପ୍ରକଳ୍ପରେ ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାବାଦ୍ ଶ୍ରୀମନ୍ଦିର ରକ୍ଷାଣବେକ୍ଷଣ ପାଇଁ ୫ ବର୍ଷିୟା ପ୍ଲାନିଂ ହେବ। ଏହା ବାବଦରେ ଏଏସ୍ଆଇ ଠାରୁ ପ୍ଲାନ ଆହ୍ଵାନ କରାଯିବ। ମନ୍ଦିର ପ୍ରଶାସନ ସହ ମିଶି ଏଏସ୍ଆଇ ମନ୍ଦିର ରକ୍ଷାଣବେକ୍ଷଣ ନେଇ ନିଷ୍ପତ୍ତି ନେବ। ରକ୍ଷଣାବେକ୍ଷଣ ପାଇଁ ଅଧିକ ଅର୍ଥ ଦରକାର ହେଲେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଦେବେ। ରଥଯାତ୍ରା ପରେ ରଥର ଚକକୁ ମାଗଣାରେ ଯୋଗାଇ ଦିଆଯିବ। ଏନେଇ ସବକମିଟିକୁ ଦାୟିତ୍ୱ ଦିଆଯାଇଛି।
