ମା’ ଭଦ୍ରକାଳୀଙ୍କର ବେଦମାତା ବେଶ ଗ୍ରହଣ ପାଇଁ ଆସନ୍ତାକାଲି ସନ୍ଧ୍ୟା ପରେ ପହଡ ଖୋଲିବ
ଭଦ୍ରକ : ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ସପ୍ତମ ମାତୃକା ବେଶର ପ୍ରଥମ ଦିନରେ ମା’ ବେଦମାତା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । ସକାଳୁ ଭକ୍ତମାନେ ଧାଡିବାନ୍ଧି ଧୂପ, ଦୀପ ଦେଇ ମା’ଙ୍କର ଆଶିଷ ଭିକ୍ଷା କରିଛନ୍ତି । ପ୍ରାପ୍ତ ସମୟରେ ପୀଠରେ ସୂର୍ଯ୍ୟପୂଜା, ଗୁରୁ ପୂଜା, ପଂଚଦେବତା ପୂଜା ଓ ସକାଳ ଆଳତୀ ପରେ ପୀଠରେ ବେଦପାଠ କରାଯାଇଥିଲା । ସକାଳ ୯ଘଟିକା ସମୟରେ ଶହଶହ ମାନସିକଧାରି ଭକ୍ତିମାନେ ବାଦ୍ୟନୃତ୍ୟ ଓ ଆତସବାଜି ସହ ଏକ ବିରାଟ ପଟ୍ଟୁଆରରେ ସାଳନ୍ଦୀ ନଦୀର ଆହାରପଦା ଘାଟରୁ ଜଳ ଉଠାଇ ମନ୍ଦିରରେ ଘଟ ସ୍ଥାପନ କରିଥିଲେ । ଆଜି ବିଶ୍ୱଶାନ୍ତି ମହାଯଜ୍ଞର ଶୁଭାରମ୍ଭ ହୋଇଛି । ବହୁ ଶ୍ରଦ୍ଧାଳୁମାନେ ମା’ଙ୍କୁ ଦର୍ଶନ କରିବା ସହିତ ଯଜ୍ଞ ମଣ୍ଡପ ଚାରିପଟେ ପରିକ୍ରମା କରିଛନ୍ତି । ବେଦମାତା ବେଶରେ ମା’ଙ୍କର ମୁଖ ମଣ୍ଡଳ ହଳଦୀବର୍ଣ୍ଣ ଥିଲା । ମା’ ଦକ୍ଷୀଣ ହସ୍ତରେ ଜପାମାଳି ଓ ବାମ ହସ୍ତରେ ବେଦ ଧାରଣ କରିଛନ୍ତି । ତଳ ହସ୍ତ ଯୁଗଳରେ ଶଙ୍ଖ ଓ ପଦ୍ମ ଧାରଣ କରି ଚତୁର୍ଦ୍ଧା ମୂତ୍ତିରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । ମା’ ହଳଦୀଆ ପାଟବସ୍ତ୍ର ପରିଧାନ କରିବାସହ ସ୍ୱର୍ଣ୍ଣ ଓ ରୌପ୍ୟରେ ଭୂଷିତ ହୋଇଛନ୍ତି । ପଦ୍ମ ଆସନରେ ଓ ହଂସ ବାହନରେ ମା’ ବିରାଜମାନ କରିଛନ୍ତି । ବେଦମାତା ବେଶରେ ଭକ୍ତମାନେ ଦର୍ଶନ କଲେ ତାଙ୍କର ଜ୍ଞାନଚକ୍ଷୁ ଉନ୍ମୁକ୍ତ ହୋଇଥାଏ, ଭକ୍ତ ସତ୍ ମାର୍ଗରେ ପରିଚାଳିତ ହୋଇ ଧର୍ମ ଓ ପୂଣ୍ୟ ଅର୍ଜନ କରିଥାଏ । ଆସନ୍ତାକାଲି ସୂର୍ଯ୍ୟପରାଗ ନିମନ୍ତେ ଦେବନୀତି ବନ୍ଦ ଥିବାରୁ ସନ୍ଧ୍ୟା ପରେ ମା’ଙ୍କର ପହଡ ଖୋଲିବ । ବିଶ୍ୱଶାନ୍ତି ମହାଯଜ୍ଞ ଓ ସପ୍ତମାତୃକା ବେଶ ନିମନ୍ତେ ଭକ୍ତମାନଙ୍କର ଭିଡକୁ ଲକ୍ଷ୍ୟ କରାଯାଇ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ତରଫରୁ ପୀଠରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବିଶ୍ୱଶାନ୍ତି ମହାଯଜ୍ଞର ଶୁଭାରମ୍ଭ ଅବସରରେ ମାନସିକ ଧାରି ଭକ୍ତଙ୍କ ସମେତ ବହୁ ଶ୍ରଦ୍ଧାଳୁ ମାନଙ୍କୁ ମନ୍ଦିର ପ୍ରଶାସନ ତରଫରୁ ପ୍ରସାଦ ବଣ୍ଟନ କରାଯାଇଛି ।
