ପୁଣି ମାସେ ବଢିଲା ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ ସମୟସୀମା
କଟକ : ପୁଣି ମାସେ ବଢିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ସମୟସୀମା । ସମୟସୀମା ବଢ଼ିଥିବା ନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ନମ୍ବର ଶେଷ ଅଙ୍କ ୧, ୨, ୩, ୪ ଥିଲେ ନଭେମ୍ବର ୩୦ ଶେଷ ତାରିଖ ରହିବ। ସେହିପରି ୫, ୬ ଥିଲେ ଡିସେମ୍ବର ୩୧ ଓ ୭, ୮ ଥିଲେ ଜାନୁଆରୀ ୩୧କୁ ଶେଷ ତାରିଖ ଭାବେ ଧାର୍ଯ୍ୟ କରାଯାଇଛି। ଏହାଛଡ଼ା ଶେଷ ଅଙ୍କ ଶୂନ କିମ୍ବା ୯ ଥିଲେ, ଫେବ୍ରୁଆରୀ ୨୮ ଶେଷ ତାରିଖ ରହିବ। ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।
ସୂଚନାଯୋଗ୍ୟ, ପରିବହନର ବିଭାଗର ପ୍ରଥମ ନିଷ୍ପତ୍ତି ଅନୁସାରେ ୨୦୨୨ ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଯାନବାହନରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଯିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। ଏନେଇ ଗତ ଜୁନ୍ ମାସରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜ୍ଞପ୍ତି ଅନୁସାରେ ଯେଉଁ ବାହନର ପଂଜୀକରଣ ନମ୍ବରର ଶେଷ ଅଙ୍କ ୧ ଅଥବା ୨ ହୋଇଥିବ, ସେଗୁଡ଼ିକର ହାଇ ସିକ୍ୟୁରିଟି ନମ୍ବର ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଲାଗିବା କଥା। କିନ୍ତୁ ଏହା ହୋଇ ନ ପାରିବାରୁ ସରକାର ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ସମୟ ଦେଇଥିଲେ। ମାତ୍ର ୨୦୨୨ ଅକ୍ଟୋବର ୩୧ ତାରିଖ ସୁଦ୍ଧା ନମ୍ବର ପ୍ଲେଟର ୧ ଓ ୨ ଅଙ୍କ ଥିବା ଯାନବାହନର ହାଇ ସିକ୍ୟୁରିଟି ନମ୍ବର ଲାଗି ନ ପାରିବାରୁ ଏବେ ସରକାର ପୁଣି ଥରେ ଏକ ମାସ ସମୟ ଦେଇଛନ୍ତି।
ଅନ୍ୟପଟେ ଏଣିକି ରାଜ୍ୟର ସମସ୍ତ ମୋ’ ସେବା କେନ୍ଦ୍ରରେ ମିଳିବ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ବୁକିଂ ସୁବିଧା । ଫଳରେ ଗାଡି ମାଲିକମାନେ ନିଜ ନିଜର ଗାଡି ପାଇଁ ନିକଟସ୍ଥ ମୋ’ ସେବା କେନ୍ଦ୍ରକୁ ଯାଇ ବୁକିଂ କରିପାରିବେ । ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏନେଇ ପ୍ରେସ୍ ରିଲିଜ ଜାରି କରିଛନ୍ତି । ଆଜି ପର୍ଯ୍ୟନ୍ତ କେବଳ ଅନଲାଇନ୍ ପୋର୍ଟାଲ ସିଆମ୍ ଡଟ୍ ଇନ୍ରେ ବୁକିଂ କରିହେଉଥିଲା । ଫଳରେ ଗ୍ରାମାଞ୍ଚଳ ଲୋକେ ଇଣ୍ଟରନେଟ୍ ସୁବିଧା ନଥିବାରୁ ଏବଂ ଅନଲାଇନ୍ ଅଭିଜ୍ଞତା ନଥିବା ଯୋଗୁଁ ହଇରାଣ ହେଉଥିଲେ ।
