ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜରୁ ଟିମ୍ ଇଣ୍ଡିଆରୁ ବିଦା ହେଲେ ଏହି ୫ ଖେଳାଳି, ଦକ୍ଷିଣ ଆଫ୍ରିକାରେ ଖରାପ ପ୍ରଦର୍ଶନ ହେଲା କାଳ
ନୂଆଦିଲ୍ଲୀ : ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଏକ ଦିବସୀୟ ସିରିଜ୍ ପାଇଁ ବିସିସିଆଇ ଭାରତୀୟ ଦଳ ଘୋଷଣା କରିଛି । ୧୮ ସଦସ୍ୟ ବିଶିଷ୍ଟ ଦଳରେ ୮ ବ୍ୟାଟ୍ସମ୍ୟାନ୍, ୪ ସ୍ପିନର, ୫ ଦ୍ରୁତ ବୋଲର ଏବଂ ଜଣେ ୱିକେଟ୍ କିପର ସ୍ଥାନ ପାଇଛନ୍ତି । ରୋହିତ ଶର୍ମା ଦଳର ନେତୃତ୍ୱ କରୁଥିବାବେଳେ କେଏଲ ରାହୁଲ ଉପ ଅଧିନାୟକ ଅଛନ୍ତି । ଏହି ଦଳରେ ୫ ଖେଳାଳିଙ୍କୁ ସ୍ଥାନ ମିଳି ନାହିଁ ଯେଉଁମାନେ ଦକ୍ଷିଣ ଆଫ୍ରିକା ବିପକ୍ଷ ଏକ ଦିବସୀୟ ସିରିଜର ଅଂଶ ଥିଲେ ।
ଅଲରାଉଣ୍ଡର ଭେଙ୍କଟେଶ ଆୟର, ଜୟନ୍ତ ଯାଦବ, ଆର ଅଶ୍ୱିନ, ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଏବଂ ଇଶାନ କିଶନଙ୍କୁ ଦଳରୁ ବିଦା କରାଯାଇଛି । ଭାରତୀୟ ଦଳକୁ ଏକ ଦିବସୀୟ ସିରିଜରେ ୦-୩ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା, ଏହା ପରେ କିଛି ଖେଳାଳିଙ୍କ ପତା କଟିବ ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା । ଦଳରୁ ଭୁବନେଶ୍ୱର ଓ ଅଶ୍ୱିନଙ୍କୁ ବାଦ ଦେବା ନିଶ୍ଚିତ ବୋଲି ମନେ କରାଯାଉଥିଲା, କିନ୍ତୁ ଭେଙ୍କଟେଶ ଆୟର ଓ ଇଶାନ କିଶନଙ୍କ ବିଦା କରିବା ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି । ଦିନିକିଆ ସିରିଜରେ ଇଶାନଙ୍କୁ ସୁଯୋଗ ମିଳିନଥିଲା । ଏଥି ସହିତ ଭେଙ୍କଟେଶଙ୍କୁ ଅଲରାଉଣ୍ଡର ଭାବରେ ଦଳରେ ସାମିଲ କରାଯାଇଥିଲା, କିନ୍ତୁ ତାଙ୍କୁ ବୋଲିଂ କରିବାକୁ ପର୍ଯ୍ୟାପ୍ତ ସୁଯୋଗ ମିଳିନଥିଲା । ଯଦିଓ ସେ ଦୁଇଟି ମ୍ୟାଚ୍ରେ ବ୍ୟାଟିଂ କରିବାକୁ ବାହାରିଥିଲେ, କିନ୍ତୁ ଏହାର ପ୍ରଭାବ ପକାଇ ପାରିନଥିଲେ ।
ଭେଙ୍କଟେଶ ଆୟର ପ୍ରଥମ ଦିନିକିଆରେ ବୋଲିଂ କରିନଥିଲେ । ବ୍ୟାଟିଂ ବିଷୟରେ କହିବାକୁ ଗଲେ ସେ ୭ଟି ବଲରେ ୨ ରନ୍ ସଂଗ୍ରହ କରିଥିଲେ । ଦ୍ୱିତୀୟ ଦିନିକିଆରେ ସେ ୩୩ଟି ବଲରେ ୨୨ ରନ୍ ସଂଗ୍ରହ କରିଥିଲେ । ଏଥିସହିତ ସେ କୌଣସି ୱିକେଟ୍ ନ ନେଇ ୫ ଓଭରରେ ୨୮ ରନ୍ ଦେଇଥିଲେ । ଏଥି ସହିତ ତୃତୀୟ ଦିନିକିଆରେ ତାଙ୍କୁ ଅନ୍ତିମ ଏକାଦଶରେ ସାମିଲ କରାଯାଇ ନଥିଲା । ଏହି ସିରିଜରେ ଟିମ୍ ଇଣ୍ଡିଆର ସବୁଠାରୁ ଅଭିଜ୍ଞ ବୋଲର ଆର ଅଶ୍ୱିନ୍ ମଧ୍ୟ ପ୍ରଭାବହୀନ ଥିଲେ । ପ୍ରଥମ ମ୍ୟାଚରେ ସେ ୧୦ ଓଭରରେ ୫୩ ରନ୍ ଦେଇ ୧ ୱିକେଟ୍ ନେଇଥିଲେ, ଦ୍ୱିତୀୟ ଦିନିକିଆରେ ସେ ୧୦ ଓଭର ବୋଲିଂ କରି ୬୮ ରନ୍ ଦେଇଥିଲେ । ସେ ଏହି ମ୍ୟାଚରେ ଗୋଟିଏ ୱିକେଟ୍ ନେଇପାରିନଥିଲେ । ତୃତୀୟ ଦିନିକିଆରେ ଜୟନ୍ତ ଯାଦବ ଅଶ୍ୱିନଙ୍କ ସ୍ଥାନରେ ସୁଯୋଗ ପାଇଥିଲେ । ଜୟନ୍ତ ୧୦ ଓଭରରେ ୫୩ ରନ୍ ଦେଇଥିଲେ ଓ ଗୋଟିଏ ୱିକେଟ୍ ମଧ୍ୟ ପାଇନଥିଲେ । ସେ ବ୍ୟାଟ୍ସମ୍ୟାନଙ୍କ ଭାବେ ବିଫଳ ହୋଇ ୨ ରନ୍ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ ।
