ଏସ୍ସିବିରେ ଚିକିତ୍ସାଧୀନ ପ୍ରଥମ ଇକମୋ ରୋଗୀ ମୃତ
କଟକ : କଟକ ଏସ୍ସିବି ଡାକ୍ତରଖାନାରେ ଚିକିତ୍ସାଧୀନ ଇକମୋ ରୋଗୀର ମୃତ୍ୟୁ। ମୃତକ ଜଣକ ହେଲେ କେନ୍ଦ୍ରାପଡ଼ା ଜିଲାପଟ୍ଟାମୁଣ୍ଡାଇ ଅଞ୍ଚଳର ଜଗନ୍ନାଥ ପ୍ରଧାନ(୩୨)। ଏସ୍ସିବିରେ ଏହା ପ୍ରଥମ ଇକ୍ମୋ ମୃତ୍ୟୁ ବୋଲି ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି ।
କୋଭିଡ୍ରେ ଆକ୍ରାନ୍ତ ହୋଇ ଜଗନ୍ନାଥ ପ୍ରଧାନ ବହୁ ଦିନ ଧରି ଚିକିତ୍ସିତ ହେବା ପରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିନଥିଲା । କୋଭିଡ୍ ଯୋଗୁଁ ତାଙ୍କ ଫୁସ୍ଫୁସ୍ ସଂକ୍ରମିତ ହୋଇଥିବାରୁ ଶ୍ୱାସକ୍ରିୟା ଜନିତ ସମସ୍ୟା ସମେତ ଶରୀରରେ ଏକାଧିକ ସମସ୍ୟା ଦେଖାଦେଇଥିଲା । ତାଙ୍କୁ ଏସ୍ସିବିରେ ଇକ୍ମୋ ସପୋର୍ଟରେ ରଖି ଚିକିତ୍ସା କରାଯାଉଥିଲା । ଗତ ୨୯ ତାରିଖରେ ଜଗନ୍ନାଥଙ୍କୁ କାର୍ଡିଓଥୋରାସିସ୍ ବିଭାଗରେ ଥିବା ଏକ୍ମୋ ୱାର୍ଡରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଥିଲାବେଳେ ଶନିବାର ଅପରାହ୍ନରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଥିଲେ । ହୃଦ୍ଘାତ (କାର୍ଡିଆକ୍ ଆରେଷ୍ଟ) ହୋଇ ଜଗନ୍ନାଥଙ୍କର ମୃତ୍ୟୁ ଘଟିଥିବା ଡାକ୍ତର କହିଛନ୍ତି । ସୂଚନା ଯେ, ଏସ୍ସିବିର ଏକ୍ମୋ ସପୋର୍ଟରେ ଏବେ ଆଉ ୨ ଜଣ ରୋଗୀ ଚିକିତ୍ସାଧୀନ ଥିବା ସୂଚନା ମିଳିଛି ।
