ମହାକାଶକୁ ଯିବ ମହିଳା ରୋବଟ ‘ବ୍ୟୋମମିତ୍ର’, ଘୋଷଣା କଲେ କେନ୍ଦ୍ର ବିଜ୍ଞାନ ମନ୍ତ୍ରୀ
ନୂଆଦିଲ୍ଲୀ : ଚନ୍ଦ୍ରଯାନ-୩ ମିଶନର ସଫଳତା ପରେ ଭାରତ ବର୍ତ୍ତମାନ ଏକ ବଡ଼ ମାଇଲଷ୍ଟୋନ ପାଇଁ ପ୍ରସ୍ତୁତ ହେଉଛି । ଚନ୍ଦ୍ରଯାନର ସଫଳତା ପରେ ଏବେ ଲଞ୍ଚ ହେବ ଗଗନଯାନ । ସୂର୍ଯ୍ୟ ଉପରେ ଅଧିକ ଗବେଷଣା ପାଇଁ ଆସନ୍ତା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଲଞ୍ଚ ହୋଇପାରେ ଆଦିତ୍ୟ ଏଲ-୧ । ଏନେଇ ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ ଏସ ମୋସନାଥ ।
ଗଗନଯାନ ମିସନ୍ ଅନ୍ତର୍ଗତ ଭାରତ ମହାକାଶ ଗବେଷଣା କେନ୍ଦ୍ର ମହାକାଶକୁ ମହିଳା ରୋବଟ ‘ବ୍ୟୋମମିତ୍ର’ ପଠାଇବ। କେନ୍ଦ୍ର ବିଜ୍ଞାନ ମନ୍ତ୍ରୀ ଜିତେନ୍ଦ୍ର ସିଂହ ଏନ୍ଡିଟିଭି ଜି-୨୦ କନକ୍ଲେଭ୍କୁ ଏକ ସାକ୍ଷାତକାର ଦେଇ ଏହା ଘୋଷଣା କରିଛନ୍ତି। ଅକ୍ଟୋବର ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ପ୍ରଥମେ ପରୀକ୍ଷାମୂଳକ ଭାବେ ମହାକାଶକୁ ଏକ ମହାକାଶଯାନ ପଠାଯିବ। ଏହାପରେ ମହାକାଶକୁ ପଠାଯିବ ମହିଳା ରୋବଟ ‘ବ୍ୟୋମମିତ୍ର’। ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ଗଗନଯାନ ପ୍ରକଳ୍ପ କୋଭିଡ୍-୧୯ ମହାମାରୀ ଯୋଗୁଁ ବିଳମ୍ବ ହୋଇଛି। ଆମେ ଅକ୍ଟୋବର ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ପ୍ରଥମ ଟ୍ରାଏଲ ମିସନ୍ ପାଇଁ ଯୋଜନା କରୁଛୁ। ଦ୍ବିତୀୟ ମିସନ୍ରେ ମହିଳା ରୋବଟ ‘ବ୍ୟୋମମିତ୍ର’ ପଠାଯିବ ଏବଂ ଏହି ରୋବଟ ମାନବ ଭଳି ସମସ୍ତ କାର୍ଯ୍ୟ ସମ୍ପାଦନ କରିବ। ଯଦି ସବୁକିଛି ଠିକ୍ ଚାଲେ ତେବେ ଏହି ମିସନ୍ରେ ଆମେ ଆଗକୁ ବଢ଼ିବୁ ବୋଲି ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି।
ଏଥି ସହ ଆସନ୍ତା ଦୁଇ ଦିନ ମଧ୍ୟରେ କେବେ ଲଞ୍ଚ ହେବାକୁ ଯାଉଛି ଆଦିତ୍ୟ-ଏଲ ୧ ଏନେଇ ତାରିଖ ଘୋଷଣା କରାଯିବ ବୋଲି କହିଛନ୍ତି ଇସ୍ରୋ ମୁଖ୍ୟ ଏସ ମୋସନାଥ । ଆଦିତ୍ୟଏଲ- ୧ ୧୨୦ ଦିନର ଯାତ୍ରା କରି ଏଲ-୧ ପଂଏଟରେ ପହଞ୍ଚିବ । ଏହା ହେବ ଭାରତର ପ୍ରଥମ ସୂର୍ଯ୍ୟ ମିଶନ । ଏହି ମିଶନର ବିଶେଷତ୍ୱ ହେଉଛି ଏହି ସାଟେଲାଇଟ ସୂର୍ଯ୍ୟକୁ ଦେଖିପାରିବ ।
