ତୃତୀୟ ଲହରର ପ୍ରଭାବ ବେଶୀ ପଡିବ ନାହିଁ : ସ୍ୱାସ୍ଥ୍ୟ ବିଶେଷଜ୍ଞ
ଭୁବନେଶ୍ୱର : ତୃତୀୟ ଲହରର ପ୍ରଭାବ ବେଶୀ ପଡିବ ନାହିଁ ଓ ଧୀରେ ଧୀରେ କୋଭିଡର ପ୍ରଭାବ କମିଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରଜ ମିଶ୍ର । ସେ କହିଛନ୍ତି ଯେ କୋଭିଡ ସିଜେନାଲ ଫ୍ଲୁ ଭଳି ରହିବ ଓ ଧିରେ ଧିରେ ପ୍ରଭାବ କମିଯିବ । ତେବେ କୋଭିଡ କଟକଣା ମାନିବାକୁ ପଡିବ ଓ ଟିକାକରଣ ଉପରେ ଗୁରୁତ୍ୱ ଦେବାକୁ ପଡିବ । ସେହିପରି ଡାକ୍ତର ନିରଜ ମିଶ୍ର ଅନୁମାନ ଲଗାଇଛନ୍ତି ଯେ ବର୍ଷ ଶେଷ ବେଳକୁ ସ୍ଥିତି ନିୟନ୍ତ୍ରଣରେ ଆସିଯିବ ଓ ଆଗାମୀ ବର୍ଷ ବେଳକୁ ସ୍ଥିତି ସମ୍ପୂର୍ଣ୍ଣ ଭଲ ହୋଇସାରିଥିବ ।
ଅନ୍ୟପଟେ କୋଭିଡ ଟିକା ନେଇଥିଲେ ବି ବୁଷ୍ଟର ଡୋଜ କିଛି ଦେଶରେ ଆରମ୍ଭ ହୋଇଥିବାବେଳେ ସେ କହିଛନ୍ତି ଯେ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ ନେବାକୁ ପଡିପାରେ । ଅନ୍ୟ ଦେଶରେ ବୁଷ୍ଟର ଡୋଜ ପାଇଁ ପ୍ରକ୍ରିୟା ଆରମ୍ଭ ହେଲାଣି । ଅନ୍ୟପଟେ ରାଜ୍ୟରେ ତୃତୀୟ ଲହର ନେଇ ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି କହିଛନ୍ତି ଯେ ତୃତୀୟ ଲହର ଆସିଲେ ବି ଦ୍ୱିତୀୟ ଲହର ଭଳି ହେବନାହିଁ । ଯଦି ଭାଇରସ ରୂପ ବଦଳାଏ ତାହା ହେଲେ ପ୍ରଭାବ ଅଧିକ ରହିବ, ଯଦି ରୂପ ନବଦଳାଏ ତେବେ ପ୍ରଭାବ ଏତେ ରହିବ ନାହିଁ । ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି । କେଉଁ ମଡେଲ କହୁଛି ଦେଶରେ ଦିନକୁ ୪ରୁ ୫ଲକ୍ଷ ପଜିଟିଭ ଚିହ୍ନଟ ହେବ । ଆଉ କେଉଁ ମଡେଲ କହୁଛି କି ଏତେ ପ୍ରଭାବ ପଡ଼ିବ ନାହିଁ । କିନ୍ତୁ ଆଇଆଇଟି କାନପୁର ସୂତ୍ର ମଡେଲ କହୁଛି ଓଡ଼ିଶାରେ ତୃତୀୟ ଲହର ବିଶେଷ ପ୍ରଭାବ ରହିବ ନାହିଁ । କିନ୍ତୁ ମଡେଲ ଯାହା କହୁ ସରକାର ସବୁ ଦିଗକୁ ଦୃଷ୍ଟିରେ ରଖି ପଦକ୍ଷେପ ନେଉଛନ୍ତି ବୋଲି କହିଛନ୍ତି ସିବିକେ ମହାନ୍ତି ।
