ଜନସାଧାରଣଙ୍କ ସହଭାଗିତା ଓ ସହଯୋଗରେ ଜିଲ୍ଲାକୁ ବିକାଶ ପଥରେ ଆଗେଇ ନେବାକୁ ହେବ
ଜିଲ୍ଳାକୁ ଏକ ସମୃଦ୍ଧ ଓ ଅଗ୍ରଣୀ ଜିଲ୍ଲାରେ ପରିଣତ କରିବାକୁ ହେବ
ଝାରସୁଗୁଡା : ଝାରସୁଗୁଡ଼ା ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ ଅବସରରେ ଜିଲ୍ଲାକୁ ଏକ ଅଗ୍ରଣୀ ଜିଲ୍ଲାରେ ପରିଣତ କରିବା ପାଇଁ ସମସ୍ତେ ଆନ୍ତରିକତାର ସହ ଉଦ୍ୟମ କରିବା ଆବଶ୍ୟକ ବୋଲି ଅତିଥିମାନେ ମତପୋଷଣ କରିଛନ୍ତି। ଜନସାଧାରଣଙ୍କ ସହଭାଗିତା ଓ ସହଯୋଗ ଏଥି ପାଇଁ ଆବଶ୍ୟକ ବୋଲି ଅତିଥିମାନେ କହିଛନ୍ତି। ସ୍ଥାନୀୟ ମନମୋହନ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଜିଲ୍ଲା ପ୍ରତିଷ୍ଠା ଦିବସ ସମାରୋହ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ। ବରଗଡ଼ ଲୋକସଭା ସଦସ୍ୟ ସୁରେଶ ପୂଜାରୀ,ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି,ଝାରସୁଗୁଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ତୁଳାବତୀ ମିଞ୍ଜ , ଜିଲ୍ଲାପାଳ ସରୋଜ କୁମାର ସାମଲ , ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ,ଲଖନପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ହୁତେଶ୍ୱରୀ ଦେହରିଆ,ଝାରସୁଗୁଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ଚିତ୍ରେଣୀ ପଟେଲ ,ଲଇକେରା ପଞ୍ଚାୟତ ସମିତି ଅଧ୍ୟକ୍ଷ ସଞ୍ଜିତ ପଟେଲ ଓ ଜି ଏମ୍ , ଏମ୍ ସି ଏଲ୍ ( ଲଖନପୁର ଅଞ୍ଚଳ) ସଞ୍ଜୟ କୁମାର ଝା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଦାସ ଜିଲ୍ଲାର ଉନ୍ନତି ପାଇଁ ମିଳିତ ଭାବରେ ସମସ୍ତଙ୍କୁ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେବା ସହ ସମସ୍ତଙ୍କ ସହଯୋଗରେ ଝାରସୁଗୁଡ଼ାକୁ ଦେଶର ଏକ ଅଗ୍ରଣୀ ଜିଲ୍ଲାରେ ପରିଣତ କରିବା ଦିଗରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ବରଗଡ଼ ଲୋକସଭା ସଦସ୍ୟ ଶ୍ରୀ ପୂଜାରୀ, ବିକାଶଧାରାର ପ୍ରକ୍ରିୟାରେ ସମସ୍ତେ ସାମିଲ ହେବା ଆବଶ୍ୟକ ବୋଲି କହିଥିଲେ। ଜନ ପ୍ରତିନିଧିମାନେ ଲୋକଙ୍କ ବିଶ୍ୱାସ ଭାଜନ ହେବା ଆବଶ୍ୟକ । ଝାରସୁଗୁଡ଼ାକୁ ବିକାଶ ପଥରେ ଆଗେଇ ନେବା ପାଇଁ ସମସ୍ତେ ଆଗେଇ ଆସିବା ଆବଶ୍ୟକ ବୋଲି କହିଥିଲେ। ୧୮୫୭ ସିପାହୀ ବିଦ୍ରୋହର ଅଠେଇଶ ବର୍ଷ ପୂର୍ବରୁ ବରଗଡ଼ ଘେଁସ ଜମିଦାର ଓ ତାଙ୍କ ଆତ୍ମୀୟ ସ୍ୱଜନଙ୍କ ସ୍ବାଧୀନତା ସଂଗ୍ରାମ ସମ୍ପର୍କରେ ଶ୍ରୀ ପୂଜାରୀ ଉଲ୍ଲେଖ କରିଥିଲେ। ଜିଲ୍ଲାପାଳ ସରୋଜ କୁମାର ସାମଲ ଓଡ଼ିଶାକୁ ସାମାଜିକ,ରାଜନୈତିକ,ସାଂସ୍କୃତିକ କ୍ଷେତ୍ରରେ ଝାରସୁଗୁଡାର ଅବଦାନ ସମ୍ପର୍କରେ ଉଲ୍ଲେଖ କରିବା ସହ ଓଡ଼ିଶାର ଅର୍ଥନୀତିକୁ ଅଭିବୃଦ୍ଧି କରିବା ଦିଗରେ ଝାରସୁଗୁଡ଼ାର ପ୍ରମୁଖ ଭୂମିକା ରହିଛି ବୋଲି କହିଥିଲେ। ଏହି ଅବସରରେ ଜିଲ୍ଲାପାଳ ଗାନ୍ଧିଜୀ ଓ ଗୋପବନ୍ଧୁଙ୍କ ଝାରସୁଗୁଡା ଆଗମନ ଓ ଶହୀଦ ବୀର ସୁରେନ୍ଦ୍ର ସାଏ,କରୁଣାକର ସିଂ,ଚିନ୍ତାମଣି ପୂଜାରୀ,ଗଣେଶ ରାମ ଉପାଧ୍ୟାୟ ଓ ବିହାରିରାମ ତନ୍ତୀଙ୍କ ସ୍ମୃତି ଚାରଣ କରିଥିଲେ। ଆରକ୍ଷୀ ଅଧିକ୍ଷକ ଶ୍ରୀ ଜୈନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମିଞ୍ଜ , ଲଖନପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀଦେହରିଆ, ଝାରସୁଗୁଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ପଟେଲ, ଲଇକେରା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ନାୟକ ଓ ଏମ୍ ସି ଏଲ (ଲଖନପୁର ଅଂଚଳ) ଜି ଏମ୍ ଶ୍ରୀ ଝା ପ୍ରମୁଖ ଜିଲ୍ଲା ଗଠନ ଓ ଜିଲ୍ଲାର ସାମଗ୍ରିକ ବିକାଶ ଉପରେ ମନ୍ତବ୍ୟ ରଖିଥିଲେ। ସଭା ପ୍ରାରମ୍ଭରେ ମୁଖ୍ୟ ଅତିଥି ଝାରସୁଗୁଡ଼ା ମିଶନ ଶକ୍ତି ଭବନ ଓ ଦଳ ଗାଁ ମିଶନ ଶକ୍ତି ଗୃହର ଫଳକ ଓ ରକ୍ତଦାନ ଶିବିର ଉଦ୍ଘାଟନ କରିଥିଲେ। ତାପସ ରାୟ ଚୌଧୁରୀଙ୍କ ସଭାପତିତ୍ୱରେ ଜିଲ୍ଲା ପ୍ରତିଷ୍ଠା ଦିବସ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପ୍ରବୀର କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନା ଲୋକ ସମ୍ପର୍କ ଅଧିକାରୀ ପ୍ରାକ ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ଗଣମାନ୍ୟ ବ୍ୟକ୍ତିବିଶେଷ,ସମସ୍ତ ବିଭାଗୀୟ ଅଧିକାରୀ ଓ ସ୍ୱୟଂ ସହାୟ ଗୋଷ୍ଠୀ ଉପସ୍ଥିତ ଥିଲେ। ଶେଷରେ ଗୋକୁଲ ମୋହନ ପଟେଲ ଓ ବିଜୟ ବେହେରାଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
