ଜୋର ଧରିଲା ମୟୁରଭଂଜକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବୀ ଭଂଜସେନା ପକ୍ଷରୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ
ବାରିପଦା : ମିଶ୍ରଣ ପରଠାରୁ କ୍ରମାଗତ ଭାବେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅବହେଳାର ଶିକାର ହୋଇ ମୟୁରଭଂଜ ଭଳି ଏକ ସମୃଦ୍ଧ ସ୍ୱାଧୀନ ଗଡଜାତ ରାଜ୍ୟ, ଅଧୁନା ଏକ ଅନୁନ୍ନତ ଜିଲ୍ଲା ଭାବେ ପରିଗଣିତ ହେଉଛି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, କୃଷି, ପର୍ଯ୍ୟଟନସ୍ଥଳୀର ବିକାଶ, ଜଳସେଚନ, ବାଣିଜ୍ୟ ବ୍ୟବସାୟ, ଶିଳ୍ପ ଆଦି ସବୁ କ୍ଷେତ୍ରରେ ମୟୁରଭଂଜ ଅବହେଳିତ ହୋଇରହିଥିବା ବେଳେ, ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଶ୍ରଣ ଚୁକ୍ତିର ଖିଲାପ କରିଛନ୍ତି । ତେଣୁ ୧୯୪୮ ମସିହା ଅକ୍ଟୋବର ୧୭ ତାରିଖରେ କେନ୍ଦ୍ର ସରକାରଙ୍କ ସହ ହୋଇଥିବା ମିଶ୍ରଣ ଚୁକ୍ତିରେ ମୟୁରଭଂଜର ଶେଷ ସ୍ୱାଧୀନ ମହାରାଜା ସାର ପ୍ରତାପଚନ୍ଦ୍ର ଭଂଜଦେଓ ଏବଂ ଭାରତ ସରକାରଙ୍କ ରାଜ୍ୟ ସମୂହ ମନ୍ତ୍ରାଳୟ ଶାସନ ସଚିବ ଏମ କେ ଭେଲୋଡ଼ିଙ୍କ ଦସ୍ତଖତରେ ଯେଉଁ ଚୁକ୍ତିନାମା ସ୍ୱାକ୍ଷର ହୋଇଥିଲା ତାହା ସାର୍ବଜନୀନ କରିବାକୁ ଭଂଜସେନା ଦାବି କରିବା ସହିତ ପୂର୍ବରୁ ଗଡ଼ଜାତ ରାଜ୍ୟ ଥିବା ମୟୁରଭଂଜକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରିବା, ମୟୁରଭଂଜରେ ଥିବା ୪ ଗୋଟି ଉପଖଣ୍ଡକୁ ଜିଲ୍ଲାର ମାନ୍ୟତା ପ୍ରଦାନ କରିବା, ଉଦଳା ଓ କରଂଜିଆ ଏନ.ଏ.ସି କୁ ମ୍ୟୁନିସିପାଲିଟି ମାନ୍ୟତା ପ୍ରଦାନ କରିବା, ନୂତନ ଭାବେ ବେତନଟୀ ଓ ଯଶିପୁରକୁ ଏନ.ଏ.ସି. ମାନ୍ୟତା ପ୍ରଦାନ କରିବା ଏବଂ ଅନ୍ୟାନ୍ୟ ଦାବୀକୁ ନେଇ ଆଜି ଭଂଜସେନା ପକ୍ଷରୁ ଭାରତର ମହାମହିମ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପୃଥକ ପୃଥକ ଭାବେ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି । ଏହାର ନକଲ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମଧ୍ୟ ପ୍ରଦାନ କରାଯାଇଛି । ଭଂଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ତତ୍ୱାବଧାନକ୍ରମେ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି, ଶୃଙ୍ଖଳା କମିଟି ଅଧକ୍ଷସତ୍ୟସ୍ୱରୂପ ଦାସ, ଉପାଧକ୍ଷ ନିମାଇଁ ତ୍ରିପାଠୀ, ଜିତେନ୍ଦ୍ର ହେମ୍ବ୍ରମ,ମହମ୍ମଦ ଖାନ, ସଭାପତି ପିଂଟୁ ମାଇତି, ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦା, ଓବିସି ଶାଖା ସଭାପତି ରାକେଶ ବେହେରା, ସଂଖ୍ୟାଲଘୁ ଶାଖା ସଭାପତି ଇଂ ରମଜାନ ବେଗ, କାର୍ଯ୍ୟକାରୀ ସଭାପତି ସାମନ୍ତ ଶେଖର ପାଲ, ଯୁବଛାତ୍ର ସଂଯୋଜକ ଏସକେ ରାଜଖାନ, ମୁଖପାତ୍ର ମାନସ ବେହେରା, ଯୁବଶାଖା ସଭାପତି ସୌମ୍ୟରଂଜନ ମିଶ୍ର, ପାଂଚପିଢ଼ ଉପଖଣ୍ଡ ସଭାପତି ଦକ୍ଷିଣା ମହାନ୍ତ, ବାରିପଦା ଉପଖଣ୍ଡ ସଭାପତି ଜ୍ୟୋତିରଂଜନ ପୃଷ୍ଟି, କପ୍ତିପଦା ଉପଖଣ୍ଡ ସଭାପତି ରବିନ ମହାନ୍ତି, ଉପସଭାପତି ରାକେଶ ମହାନ୍ତି, ମହମ୍ମଦ ଫିରୋଜ,ସନ୍ତୋଷ ଗିରି, ପ୍ରଶାନ୍ତ ମହାକୁଧଡ ପ୍ରମୁଖ ଶତାଧିକ କର୍ମକର୍ତାଙ୍କ ସ୍ୱାକ୍ଷର ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିବାର ଜଣାଯାଇଛି । ଯଦି ମୟୂରଭଂଜର ଏହି ନ୍ୟାର୍ଯ୍ୟ ଦାବୀପ୍ରତି ସରକାର ଗୁରୁତ୍ୱ ନଦିଅନ୍ତି ତେବେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି କୁହାଯାଇଛି ।
