ମାଷ୍ଟରକ୍ୟାଣ୍ଟିନ ଘୋଡା ସ୍ଥାନାନ୍ତରଣକୁ ନେଇ କଂଗ୍ରେସର ଧାରଣା
- ନିଜ ସମର୍ଥକଙ୍କ ସହ ଘୋଡାମୂର୍ତି ତଳେ ଧାରଣା ଦେଲେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ
ଭୁବନେଶ୍ଵର: ଭୁବନେଶ୍ୱରର ମାଷ୍ଟରକ୍ୟାଂଟିନ ଛକ ଘୋଡାକୁ ରାଜଭବନ ଆଗକୁ ସ୍ଥାନାନ୍ତର ନେଇ ବିବାଦ ବଢିଆରି ଲାଗିଛି । ଏନେଇ ଶୁକ୍ରବାର କଂଗ୍ରେସ ବିଧାୟକ ନିଜ ସମର୍ଥକଙ୍କ ସହ ଘୋଡାମୂର୍ତି ତଳେ ଧାରଣା ଦେଇଛନ୍ତି । ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ମାଷ୍ଟରକ୍ୟାଣ୍ଟିନ ଛକସ୍ଥିତ ଘୋଡ଼ା ମୂର୍ତ୍ତି ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କହିଛନ୍ତି ଯେ, ଏହି ଯୋଦ୍ଧା ଘୋଡ଼ା ଓଡ଼ିଶାର ସ୍ବର୍ଣ୍ଣିମ ଇତିହାସ, ବୀରପୁରୁଷ ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କର ବୀରତ୍ୱ ଗାଥାର ଏକ ପ୍ରସ୍ତର ପ୍ରଦର୍ଶନ। ବିଶିଷ୍ଟ ସ୍ଥପତି ରଘୁନାଥ ମହାପାତ୍ର ଏହାକୁ ନିର୍ମାଣ କରିଥିବାବେଳେ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ନନ୍ଦିନୀ ଶତପଥୀ, ସତ୍ୟପ୍ରିୟ ମହାନ୍ତି, ନୀଳମଣି ରାଉତରାୟ, ଚିନ୍ତାମଣି ପାଣିଗ୍ରାହୀଙ୍କ ଉଦ୍ୟମରେ ଏହି ଛକର ଶୋଭାବର୍ଦ୍ଧନ ହୋଇଛି। ତେଣୁ ଏଠାରୁ ପ୍ରତିମୂର୍ତ୍ତିକୁ ନ ହଟାଇ ସ୍ମାର୍ଟ ସିଟି ଯୋଜନା କାର୍ଯ୍ୟକାରୀ ହେଉ। ଯଦି ସରକାର ନିଷ୍ପତ୍ତିର ପୁନଃବିଚାର ନକରନ୍ତି ତେବେ ଜନଆନ୍ଦୋଳନ ହେବ ବୋଲି ଶ୍ରୀ ରାଉତରାୟ ଚେତାବନୀ ଦେଇଛନ୍ତି।
ସ୍ମାର୍ଟସିଟି ଯୋଜନାର କାର୍ଯ୍ୟକାରିତାରେ ମାଷ୍ଟରକ୍ୟାଂଟିନ ଛକରୁ ଯୋଦ୍ଧା ଘୋଡ଼ା ପ୍ରତିମୂର୍ତିକୁ ରାଜଭବନ ଛକକୁ ଉଠାଇ ନେବା ପାଇଁ ବିଡ଼ିଏ ପକ୍ଷରୁ ଯେଉଁ ନିଷ୍ପତି ଗ୍ରହଣ କରାଯାଇଛି ତାହାକୁ ଜଟଣୀ ବିଧାୟକ ଦୃଢ଼ ନିନ୍ଦା କରି ମାଷ୍ଟରକ୍ୟାଂଟିନ ଛକ ଯୋଦ୍ଧା ଘୋଡ଼ା ଛକ ଠାରେ ଗୁରୁବାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେ କହିଥିଲେ ଯେ ଏହି ପ୍ରତିମୂର୍ତିକୁ ସ୍ଥପତି ରଘୁନାଥ ମହାପାତ୍ର ନିର୍ମାଣ କରିଥିବା ବେଳେ ଡ. ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ନନ୍ଦିନୀ ଶତପଥି, ସତ୍ୟପ୍ରୀୟ ମହାନ୍ତି, ନୀଳମଣି ରାଉତରାୟ ଓ ଚିନ୍ତାମଣି ପାଣିଗ୍ରାହୀଙ୍କ କ୍ରମାଗତ ଉଦ୍ୟମରେ ଏହି ଛକର ଶୋଭାବର୍ଦ୍ଧନ ହୋଇଛି । ଏଠାରେ ସ୍ଥାପିତ ଯୋଦ୍ଧା ଘୋଡ଼ା ଓଡ଼ିଶାର ସ୍ୱର୍ଣ୍ଣ ଇତିହାସ, ବୀରପୁରୁଷ ଓ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ବୀରତ୍ୱର ଗାଥାର ଏକ ପ୍ରସ୍ତର ପ୍ରଦର୍ଶନ । ସଚ୍ଚିବାଳୟ ଓ ଭୁବନେଶ୍ୱର ରେଲୱେ ସମ୍ମୁଖରେ ଏହା ଅବସ୍ଥିତ । ଏହି ପ୍ରତିମୂର୍ତିକୁ ହଟାନଯାଇ ସ୍ମାର୍ଟସିଟି କାର୍ଯ୍ୟକାରୀ ଯୋଜନା ସୁରେଶ କୁମାର ରାଉତରାୟ ଦାବି କରିଥିଲେ । ଯଦି ସରକାର ତାଙ୍କ ନିଷ୍ପତିର ପୁନଃ ବିଚାର ନକରନ୍ତି ଶ୍ରୀ ରାଉତରାୟ ଜନଆନ୍ଦୋଳନ କରିବାପାଇଁ ଚେତାବନୀ ଦେଇଥିଲେ । ଭୁବନେଶ୍ୱର ଜିଲ୍ଲା ଓ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଶ୍ରୀ ରାଉତରାୟ କହିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରକାଶ ମିଶ୍ର, ଲିଙ୍ଗରାଜ ସାହୁ, ଦୀପକ କୁମାର ମହାପାତ୍ର, ସଂକୁନା କହଁର, ଜୟକୃଷ୍ଣ ମଲ୍ଲିଆ, କୁନା ମୁଦୁଲି, ବିକ୍ରମ ସୁନ୍ଦରରାୟ, ବୁନା ମହାନ୍ତି ପ୍ରମୁଖ ଯୋଗଦେଇଥିଲେ ।
ଅନ୍ୟପକ୍ଷରେ ରାଜଧାନୀର ପ୍ରମୁଖ ସ୍ଥାନ ଓ ଛକମାନଙ୍କରେ ବହୁ ସ୍ଥପତି, ହସ୍ତକଳା ଆଦି ଶୋଭା ପାଇବା ସହ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ସୌନ୍ଦର୍ଯୀକରଣ ନାଁରେ ରାଜଧାନୀର ଐତିହ୍ୟ, ସଂସ୍କୃତି ଏବଂ ପରଂପରାକୁ ଆଦୌ କ୍ଷୁର୍ଣ୍ଣ କରିବାକୁ ଦିଆଯିବ ନାହିଁ । ଦୀର୍ଘ ବର୍ଷ ଧରି ରାଜଧାନୀର ମୁଖ୍ୟ ମାଷ୍ଟର କ୍ୟାଂଟିନ ଛକରେ ଶୋଭା ପାଇବା ସହ ସୌନ୍ଦର୍ଯ୍ୟ ସୃଷ୍ଟି କରୁଥିବା ଘୋଡା ଓ ଯୋଦ୍ଧାଙ୍କ ସ୍ଥପତିକୁ ଅନ୍ୟତ୍ର ସ୍ଥାନାନ୍ତର କରିବାର ଅପଚେଷ୍ଟାକୁ ଆଦୌ ଗ୍ରହଣ କରାଯାଇପାରିବ ନାହିଁ । ପ୍ରଶାସନ ଜୋର ଜବରଦସ୍ତ ଏହି ସ୍ଥପତି କଳାକୁ ସ୍ଥାନାନ୍ତରଣ କଲେ, ଏହାକୁ ବିରୋଧ କରାଯିବା ସହ ଆନ୍ଦୋଳନ କରାଯିବ ବୋଲି ଭୁବନେଶ୍ୱର ଜିଲା ବିଜେପି ସଭାପତି ବାବୁ ସିଂ ଚେତାବନୀ ଦେଇଛନ୍ତି । ପ୍ରଖ୍ୟାତ ସ୍ଥପତି ପଦ୍ମବିଭୁଷଣ ସ୍ୱର୍ଗତଃ ରଘୁନାଥ ମହାପାତ୍ରଙ୍କ ଦ୍ୱାରା ଐତିହ୍ୟ କୋଣାର୍କ ମନ୍ଦିରର ଅବିକଳ ଢାଂଚାରେ ନିର୍ମିତ ତଥା ଓଡିଶା ଶାସନର ପ୍ରତୀକ ରାଜଧାନୀର ପରିଚୟ ମାଷ୍ଟରକ୍ୟାଂଟିନ ଛକସ୍ଥିତ ଘୋଡାକୁ ସ୍ଥାନାନ୍ତର କରିବାର ରାଜ୍ୟ ସରକାରଙ୍କ କୁଚକ୍ରାନ୍ତକୁ ଜିଲ୍ଲା ବିଜେପି ତରଫରୁ ଦୃଢ ନିନ୍ଦା କରାଯାଇଛି । ଜିଲ୍ଲା ସଭାପତି ବାବୁ ସିଂଙ୍କ ସମେତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଜିଲ୍ଲା ସାଧାରଣ ସଂପାଦକ ଅଭିଷେକ ଆଚାର୍ଯ୍ୟ, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ରଶ୍ମୀରଂଜନ ମହାପାତ୍ର, ବନଦୁର୍ଗା ମଣ୍ଡଳ ସଭାପତି ଫିରୋଜ ଖାନଙ୍କ ସମେତ ପ୍ରମୁଖ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । ସେହିପରି କିଛି ସଙ୍ଗଠନ ମଧ୍ୟ ଏଭଳି ସ୍ଥାନାନ୍ତରଣକୁ ପୂର୍ବରୁ ବିରୋଧ କରିସାରିଛନ୍ତି । ୧୯୮୮ରେ ଭୁବନେଶ୍ୱରର ମାଷ୍ଟରକ୍ୟାଂଟିନରେ ଏହି ଘୋଡାକୁ ସ୍ଥାପନ କରାଯାଇଥିଲା । କୋଣାର୍କ ମନ୍ଦିରର ଶୋଭା ବଢାଉଥିବା ଯୁଦ୍ଧ ଘୋଡା ଢାଂଚାରେ ହୋଇଥିଲା ଏହାର ନିର୍ମାଣ । ସ୍ୱର୍ଗତ ରଘୁନାଥ ମହାପାତ୍ର ଏହାକୁ ନିର୍ମାଣ କରିଥିଲେ । ତେବେ ସ୍ମାର୍ଟ ସିଟି ପ୍ରକଳ୍ପ ପାଇଁ ଘୋଡାର ସ୍ଥାନାନ୍ତର ପ୍ରସ୍ତାବକୁ ବିରୋଧ ଏବେ ବଢିବାରେ ଲାଗିଛି । ସରକାର ଘୋଡ଼ା ସ୍ଥାନାନ୍ତର ନିଷ୍ପତ୍ତିରୁ ନ ଓହରିଲେ ଆଗକୁ ଜୋରଦାର୍ ଆନ୍ଦୋଳନ ହେବ ବୋଲି ବିରୋଧୀଦଳଗୁଡ଼ିକ ଚେତାବନୀ ଦେଇଛନ୍ତି। ଏପଟେ ସଂସ୍କୃତି ବିଭାଗ ଘୋଡ଼ା ଓ ଯୋଦ୍ଧା ସମେତ ସମସ୍ତ ପ୍ରସ୍ତର ମୂର୍ତ୍ତିକୁ ସ୍ଥାନାନ୍ତର କରିବା ଜିଦ୍ରେ ଥିବାରୁ ବିବାଦ ଘନେଇଛି।
