ଏମଏସପି ଓ ଅନ୍ୟାନ୍ୟ କୃଷି ପ୍ରସଙ୍ଗ ଉପରେ ଖୁବଶୀଘ୍ର ଗଠନ ହେବ କମିଟି
Concept of MSP or Minimum support price of Wooden blocks on pile of wheet grains on isolated background
ନୂଆଦିଲ୍ଲୀ: ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଏବଂ ଶୂନ୍ୟ ବଜେଟ୍ ପ୍ରାକୃତିକ କୃଷିକୁ ପ୍ରୋତ୍ସାହିତ କରିବା ସମେତ ଅନ୍ୟାନ୍ୟ କୃଷି ପ୍ରସଙ୍ଗ ଉପରେ ଏକ କମିଟି ନିକଟ ଭବିଷ୍ୟତରେ ଖୁବଶୀଘ୍ର ଗଠନ କରାଯିବ ବୋଲି କୃଷି ସଚିବ ସଞ୍ଜୟ ଅଗ୍ରୱାଲ କହିଛନ୍ତି । ‘ପ୍ରଧାନମନ୍ତ୍ରୀ ଏହା ଘୋଷଣା କରିଛନ୍ତି । ଏହାକୁ ଏକ ମିଶନ ମୋଡରେ ନେବାକୁ ପଡିବ ଏବଂ ଶୂନ୍ୟ ବଜେଟ୍ ପ୍ରାକୃତିକ ଚାଷ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରିବାକୁ ପଡ଼ିବ । ଆଉ ଏହାର କାର୍ଯ୍ୟାନ୍ୱୟନ ପାଇଁ ନିକଟ ଭବିଷ୍ୟତରେ ଖୁବ୍ ଶୀଘ୍ର ଏକ କମିଟି ଗଠନ କରାଯିବ’; ବୋଲି କୃଷି ସଚିବ ଅଗ୍ରୱାଲ କହିଛନ୍ତି । ଡିସେମ୍ବର ୧୪ରୁ ଗୁଜୁରାଟର ଆନନ୍ଦରେ ଅନୁଷ୍ଠିତ ହେବାକୁ ଥିବା ପ୍ରାକୃତିକ ଚାଷ ଉପରେ ଏକ ତିନି ଦିନିଆ ଜାତୀୟ କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିବା ଅବସରରେ କୃଷି ସଚିବ ଏହା କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୧୬ରେ ଏହାର ଉଦ୍ଯାପନୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଗୁଜୁରାଟ ମୁଖ୍ୟ ସଚିବ ପଙ୍କଜ କୁମାର ମଧ୍ୟ ଉପସ୍ଥିତ ଥିଲେ ।
ପ୍ରାକୃତିକ କୃଷିର କେଉଁ ଦିଗ ଏବଂ ଶୀଘ୍ର ଗଠନ ହେବାକୁ ଥିବା ପ୍ରସ୍ତାବିତ କମିଟିରେ ଜାତୀୟ କାର୍ଯ୍ୟକ୍ରମର ଫଳାଫଳ ଉପରେ ଆଲୋଚନା କରାଯିବ କି ବୋଲି ଏକ ପ୍ରଶ୍ନର ଉତରରେ କୃଷି ସଚିବ କହିଛନ୍ତି ଯେ ପ୍ୟାନେଲର ରୂପରେଖ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ଉଲ୍ଲେଖଯୋଗ୍ୟ, ନଭେମ୍ବର ୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନିଟି ବିବାଦୀୟ କୃଷି ଆଇନକୁ ରଦ୍ଦ କରିବାକୁ ଘୋଷଣା କରିବା ସମୟରେ କହିଥିଲେ ଯେ ସରକାର ଏମଏସପିକୁ ଅଧିକ ପ୍ରଭାବଶାଳୀ ଏବଂ ସ୍ୱଚ୍ଛ କରିବା ପାଇଁ ଏକ କମିଟି ଗଠନ କରିବେ ଏବଂ ଶୂନ୍ୟ ବଜେଟ୍ ପ୍ରାକୃତିକ କୃଷିକୁ ପ୍ରୋତ୍ସାହିତ କରିବା ପାଇଁ ଚାଷୀଙ୍କୁ ଉପାୟ ପରାମର୍ଶ ଦେବେ ।
