ଦିଲ୍ଲୀ ବିମାନବନ୍ଦରରେ କଣ୍ଟାକ୍ଟଲେସ ଇ-ବୋର୍ଡିଂ ଗେଟ : ବିନା ସ୍ପର୍ଶରେ ଯାତ୍ରୀ ପାଇପାରିବେ ବୋର୍ଡିଂ ପାସ
ନୂଆଦିଲ୍ଲୀ : କୋଭିଡ ସଂକ୍ରମଣ ପାଇଁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ଲାଗିଲା ଇ-ବୋର୍ଡିଂ ଗେଟ । ଏହି ଅତ୍ୟାଧୁନିକ ଡିଜିଟାଲ ବ୍ୟବସ୍ଥା ବିମାନବନ୍ଦରର ସମସ୍ତ ୩ ଟି ଟର୍ମିନାଲର ଡିପାଚର ଗେଟରେ କାର୍ଯ୍ୟକ୍ଷମ କରାଯାଇଛି । ଯାହା ଫଳରେ କଣ୍ଟାକ୍ଟଲେସ ଭାବେ ମଧ୍ୟ ଯାତ୍ରୀମାନେ ସହଜରେ ସେମାନଙ୍କର ବୋର୍ଡିଂ ପାସ ପାଇପାରିବେ । କୋଭିଡ ସଂକ୍ରମଣ ସମୟରେ ଏହି ସ୍ମାର୍ଟ ବ୍ୟବସ୍ଥା ଯାତ୍ରୀଙ୍କ ବୋର୍ଡିଂ ପାସ ପ୍ରସ୍ତୁତ ପ୍ରକ୍ରିୟାକୁ ସହଜ କରିବା ସହ ସଂକ୍ରମଣ ବଢିବା ଆଶଙ୍କାକୁ ମଧ୍ୟ ହ୍ରାସ କରିବ।
ଏହି ଅତ୍ୟାଧୁନିକ ଗେଟରେ ସ୍କାନର ବ୍ୟବସ୍ଥା କରାଯାଇଛି। ଫଳରେ ଅନ୍ୟ କୌଣସି କର୍ମଚାରୀଙ୍କ ବିନା ସହାୟତାରେ ଯାତ୍ରୀମାନେ ସେମାନଙ୍କ ବୋର୍ଡିଂ ପାସ ସଂଗ୍ରହ କରିପାରିବେ । ଏହି ଗେଟ ମଧ୍ୟ ଦେଇ ଯାତ୍ରୀମାନେ କେବଳ ସେମାନଙ୍କ ହ୍ୟାଣ୍ଡବ୍ୟାଗ ଧରି ପ୍ରବେଶ କରିପାରିବେ । ଏହି ସ୍ପର୍ଶ ବିହୀନ ସ୍ମାର୍ଟ ବ୍ୟବସ୍ଥା ଯାତ୍ରୀ ଓ ବିମାନ କମ୍ପାନୀ କର୍ମଚାରୀଙ୍କ ମଧ୍ୟରେ କଥାବାର୍ତ୍ତା ଓ କଣ୍ଟାକ୍ଟକୁ ହ୍ରାସ କରିବା ଫଳରେ ସଂକ୍ରମଣ ଆଶଙ୍କା ମଧ୍ୟ ହ୍ରାସ ପାଇବ । ସେହିପରି ଏହି ବ୍ୟବସ୍ଥା ବୋର୍ଡିଂ ପାସ ସଂଗ୍ରହ ସମୟରେ ମଧ୍ୟ ପୂର୍ବାପେକ୍ଷା କମ ସମୟ ଲାଗିବ ବୋଲି କହିଛି ଦିଲ୍ଲୀ ବିମାନବନ୍ଦର କର୍ତ୍ତୃପକ୍ଷ ।
ବର୍ତ୍ତମାନ ବିଶ୍ବରେ ପୁଣି ଥରେ କୋଭିଡର ଭୟ ଖେଳାଇଥିବା ଓମିକ୍ରନ ଭ୍ୟାରିଏଣ୍ଟ ଚିହ୍ନଟ ହେବା ପରେ ବିମାନ ଯୋଗେ ଦେଶ ବାହାରୁ ଆସୁଥିବା ଯାତ୍ରୀଙ୍କ ଉପରେ ସ୍ବତନ୍ତ୍ର ନଜର ରଖିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବାରେ ଲାଗିଛି । ସେହିକ୍ରମରେ ସେହିପରି ଏହି ବ୍ୟବସ୍ଥା ଫଳରେ ସାମାନ୍ୟ ଆଶ୍ବସ୍ତି ମିଳିବା ନେଇ କହିଛନ୍ତି ଦିଲ୍ଲୀ ବିମାନ ବନ୍ଦର କର୍ତ୍ତୃପକ୍ଷ ।
