ନକଲି ଔଷଧ କାରବାର ଘଟଣାର କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : କଟକରୁ ନକଲି ଔଷଧ ଜବତ ଘଟଣାର ତଦନ୍ତ କରିବ କ୍ରାଇମ୍ବ୍ରାଂଚ । ଘଟଣାର ତଦନ୍ତ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ସନ୍ଧ୍ୟାରେ କ୍ରାଇମବ୍ରାଂଚକୁ ନିର୍ଦ୍ଦେଶ ଦେଇଛନ୍ତି । ଗତ ୧୧ ତାରିଖ ଦିନ କଟକ ସହରର କନିକା ଛକ ନିକଟ ଏକ ଔଷଧ ହୋଲସେଲ୍ ଗୋଦାମରୁ ୬୯ ଲକ୍ଷ ଟଙ୍କାର ନକଲି ଔଷଧ ଜବତ ହୋଇଥିଲା । ଔଷଧ ଦୋକାନ ଉପରେ ଡ୍ରଗ୍ସ କଂଟ୍ରୋଲର ସ୍କ୍ୱାର୍ଡ ଚଢାଉ କରି ବିପୁଳ ପରିମାଣର ନକଲି ଔଷଧ ଜବତ କରାଯାଇଥିଲା । ମେଡିସିନ ହୋଲସେଲର ଦୋକାନରୁ କରୋନା ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ୧୭ ହଜାର ଫାଭିପିରାଭିର ଟାବଲେଟ ଜବତ ହୋଇଥିଲା ।
ହରିୟାଣା ଓ ମହାରାଷ୍ଟ୍ର ସରକାର ଏହି ମେଡିସିନରେ ଭେଜାଲ ଥିବା ସୂଚନା ଦେଇଥିଲେ । ସୂଚନା ପାଇବା ପରେ ଓଡ଼ିଶାରେ ଡ୍ରଗ୍ସ କେଂଟ୍ରାଲ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ମ୍ୟାକ୍ସ ରିଲିଫ ହେଲ୍ଥ କେୟାର କମ୍ପାନୀର ଏହି ମେଡିସିନରୁ ୪୦ ହଜାର ୬୦୦ ଗୋଆଲିଅର ପଠା ଯାଇଥିବା ବେଳେ ବାକି ୧୭ ହଜାର ୪୦୦ ଜବତ ହୋଇଛି । ସେଥିରୁ ୪୦୦ଟି ଟେଷ୍ଟିଂ ପାଇଁ ପଠାଯାଇଛି । ଏହା ବାଦ ବାକି ଭିଟାମିନ – ସି ଓ ଆଜିଥ୍ରୋମାଇସିନ ମେଡିସିନ ଭଳି ୯ ଟି ବିଭିନ୍ନ ମେଡିସିନ ଜବତ କରାଯାଇଛି । ଜବତ ସବୁ ମେଡିସିନ୍ ସେହି ସମାନ କମ୍ପାନୀର ହୋଇଥିବାରୁ ଏହା ବି ଭେଜାଲ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ସେଥିପାଇଁ ସେଗୁଡିକୁ ମଧ୍ୟ ଟେଷ୍ଟିଂ ପାଇଁ ପଠାଯାଇଛି ।
