ପଡିଆରେ ଖେଳୁଥିଲେ ପିଲା, ମାଡ଼ିଆସିଲା ହେଲିକପ୍ଟର
ପାରଳାଖେମୁଣ୍ଡି : ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଗଜପତି ଷ୍ଟାଡିୟମ୍ଠାରେ ଏକ ଅଜଣା ହେଲିକପ୍ଟର ଅଚାନକ ଲ୍ୟାଣ୍ଡିଂ ଉଦ୍ୟମକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟିହୋଇଥିଲା । ଶନିବାର ଅପରାହ୍ନ ପ୍ରାୟ ୪ଟା ବେଳେ ଏହି ଘଟଣା ଘଟିଥିବା କୁହାଯାଉଛି । ଏହାର ଚିତ୍ର କିଛି ପ୍ରତ୍ୟକ୍ଷଦର୍ଶୀ ଉତ୍ତୋଳନ କରିଛନ୍ତି। ଏହାକୁ ଦେଖିଲେ ହେଲିକପ୍ଟରଟି ଭାରତୀୟ ବାୟୁସେନାର ଏମ୍ଆଇ-୧୭ ବୋଲି ଜଣାପଡୁଛି । ତେବେ ଏହା ଲ୍ୟାଣ୍ଡିଂ କରିନପାରି ଆନ୍ଧ୍ରପ୍ରଦେଶ ଅଭିମୁଖେ ଚାଲିଯାଇଥିଲା।
ସୂଚନା ଯେ, ହେଲିକପ୍ଟର ଲ୍ୟାଣ୍ଡିଂ ପ୍ରୟାସ କରୁଥିôବା ସମୟରେ କିଛି ପିଲା ଗଜପତି ଷ୍ଟାଡିୟମ୍ଠାରେ ଖେଳୁଥିଲେ । କିଛିସମୟ ଷ୍ଟାଡିୟମ୍ ଉପରେ ଚକ୍କର କାଟିବାପରେ ହେଲିକପ୍ଟର ପାଇଲଟ୍ ଲ୍ୟାଣ୍ଡିଂ କରି ନ ପାରି ପୁଣି ଚାଲିଯାଇଥିବାର ଅନୁମାନ କରାଯାଉଛି । ହେଲିକପ୍ଟର ଘୂରୁଥିବା ଦେଖି ଖେଳୁଥିବା ପିଲାମାନେ ସେଠାରୁ ଦୌଡ଼ି ପଳାଇଥିଲେ । ହେଲେ ଏହି ଖବର ପୁଲିସ କିମ୍ବା ପ୍ରଶାସନ ନିକଟରେ ନଥିବାର ଜଣାପଡ଼ିଛି । ଘଟଣାକୁ ନେଇ ପୁଲିସ ପ୍ରଶାସନ ତଦନ୍ତ କରୁଛି । ତେବେ ହେଲିକପ୍ଟରଟି କାହିଁକି ହଠାତ ଲ୍ୟାଣ୍ଡିଂ ପାଇଁ ଉଦ୍ୟମ କରିଥିଲା ତାହା ସ୍ପଷ୍ଟହୋଇନି ।
