ଗଛରେ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର
ତେଲକୋଇ : କେନ୍ଦୁଝର ଜିଲା ତେଲକୋଇ ଥାନା ଅନ୍ତର୍ଗତ ରଗଡା ଗାଁ ସ୍କୁଲ ନିକଟରେ ଅଭାବନୀୟ ଘଟଣା। ମହୁଲ ଗଛରେ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର। ମୃତକ ହେଲେ ବାରକୋଟ ଥାନା ଅନ୍ତର୍ଗତ ବଂପରଡା ଗାଁର ବୁଟା ନାଏକ।
ସୂଚନା ଯେ, ଗତ ବୁଧବାର ବୁଟା ନାଏକଙ୍କ ଶ୍ୱଶୁର ମଣିଆ ନାଏକ ଜ୍ବାଇଁଙ୍କୁ ଘରକୁ ଡାକିଥିଲେ। ମଣିଆ ନାଏକଙ୍କ ଘର ମଗରମହାଣ ଗାଁରେ ହୋଇଥିବା ବେଳେ ସେ ତେଲକୋଇ ଥାନା ଅନ୍ତର୍ଗତ ରଗଡା ଗାଁରେ ଘରଜ୍ବାଇଁ ହିସାବରେ ରହିଆସୁଥିଲେ। ବୁଟା ନାଏକ ମଣିଆ ନାଏକଙ୍କ ଝିଅ କୌଶଲ୍ୟା ନାଏକଙ୍କୁ ଦୁଇବର୍ଷ ହେବ ପ୍ରେମ ବିବାହ କରିଥିଲେ। ତାଙ୍କର ସାତ ମାସର ଶିଶୁପୁତ୍ର ରହିଛି। ତେବେ କୌଶଲ୍ୟା ନାଏକଙ୍କ ଅନ୍ୟ ଯୁବକଙ୍କ ସହିତ ଅନୈତିକ ସମ୍ପର୍କ ଥିବା ଲୋକେ ଚର୍ଚ୍ଚା ହେଉଥିବା ବେଳେ ଏନେଇ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ମଧ୍ୟ ହେଉଥିଲା। ତେବେ ଏନେଇ ଶଶୁର ଘର ଲୋକ ବୁଟା ନାଏକଙ୍କୁ ଡାକି ହତ୍ୟା କରିଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ବୁଟା ନାଏକଙ୍କ ଶରୀର ରେ କ୍ଷତ ଚିହ୍ନ ଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି।ବୁଟା ନାଏକଙ୍କ ମୃତ୍ୟୁ ପରେ ଶ୍ୱଶୁର ଘର ଲୋକେ ଫେରାର ଥିବା ଜଣାପଡିଛି। ଝୁଲନ୍ତା ଶବ ନିକଟରେ ସ୍ତ୍ରୀ ଲୋକଙ୍କ ଭଙ୍ଗା ଚୁଡି ମଧ୍ୟ ପଡିଛି। ଯାହା ହତ୍ୟା ସନ୍ଦେହକୁ ଆହୁରି ଦୃଢିଭୂତ କରୁଛି।
