ସତିଗୁଡା ଜଳଭଣ୍ଡାରରେ ମାଛ ଧରିବାକୁ ଯାଇ ଡ଼ଙ୍ଗା ବୁଡି ନିଖୋଜ ଥିବା ଯୁବକର ଶବ ଉଦ୍ଧାର
ମାଲକାନଗିରି : ସତୀଗୁଡା ଜଳଭଣ୍ଡାରେ ମାଛ ଧରିବାକୁ ଯାଇ ଡଙ୍ଗା ବୁଡିଯିବାରୁ ନିଖୋଜ ଥିବା ଆଦିବାସୀ ଯୁବକ ର ଶବ ୨ ଦିନ ଧରି ଖୋଜା ଖୋଜି କଲାପରେ ରବିବାର ଅଗ୍ନିଶମ ବାହିନୀ ଜଳଭଣ୍ଡାରରୁ ନିଖୋଜ ଯୁବକର ମୃତଦେହ ଉଦ୍ଧାର କରିଛି । ମାଲକାନଗିରି ପୁଲିସ ମୃତଦେହ ଜବତ କରି ଶବବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ମାଲକାନଗିରି ବ୍ଲକସ୍ଥ ଚମ୍ପାଖାରୀ ଗ୍ରାମର ବିଶ୍ୱନାଥ ଭୂମିୟା ଶୁକ୍ରବାର ସନ୍ଧ୍ୟାରେ ନିକଟସ୍ଥ ସତୀଗୁଡା ଜଳଭଣ୍ଡାରକୁ ମାଛ ଧରିବା ପାଇଁ ଯାଇଥିବା ସମୟରେ ହଠାତ ଡଙ୍ଗାଟି ଭାର ସାମ୍ୟ ହରାଇ ବୁଡିଯାଇଥିଲା । ଜଳଭଣ୍ଡାର ମଧ୍ୟରେ ବିଶ୍ୱନାଥ ବୁଡିଯାଉଥିବା ଅନ୍ୟ ଜଣେ ମାଛ ଧରାଳି ଦେଖିବା ପରେ ଗ୍ରାମବାସୀ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ରାତ୍ର ହୋଇଯାଇଥିବାରୁ ଶନିବାର ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ଖୋଜା ଖୋଜି ଆରମ୍ଭ କରିଥିଲେ । ନିଖୋଜ ବିଶ୍ୱନାଥଙ୍କ କିଛି ପତା ମିଳିନଥିଲା । ରବିବାର ପୁଣି ପଥରେ ତାଲିମ ନେଉଥିବା ଆପଦ ମିତ୍ର ସ୍ୱେଚ୍ଛାସେବୀଙ୍କୁ ନେଇ ଜଳଭଣ୍ଡାରରେ ଖୋଜିଥିଲେ । ବହୁତ ଖୋଜା ଖୋଜି କଲା ପରେ ସତୀଗୁଡା ଜଳଭଣ୍ଡାର ଚମ୍ପାଖାରୀ ଗ୍ରାମଠାରୁ କିଛିଦୂର ଡଙ୍ଗାଘାଟରୁ ନିଖୋଜ ବିଶ୍ୱନାଥଙ୍କ ମୃତ ଶରୀର ଉଦ୍ଧାର ହୋଇଥିଲା । ସରକାରଙ୍କ ପକ୍ଷରୁ ମୃତ ପରିବାରଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।
