କେନ୍ଦ୍ରୀୟ ବାତ୍ୟା ଅନୁଧ୍ୟାନକାରୀ ଟିମକୁ ଭେଟିଲେ ବିଜେପି ଟିମ୍
- ବାତ୍ୟା ପୂର୍ବ ପ୍ରସ୍ତୁତି, ପରିଚାଳନା, କ୍ଷୟକ୍ଷତି ଏବଂ ସ୍ଥାୟୀ ସମାଧାନ ପ୍ରସଙ୍ଗରେ ଆଲୋଚନା କରିଛୁ : କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ
ଭୁବନେଶ୍ୱର : ବାତ୍ୟା ୟଶ୍ ଓ ବନ୍ୟା ପରିଚାଳନରେ ଅବ୍ୟବସ୍ଥା ପ୍ରସଙ୍ଗ ଏବଂ ବାତ୍ୟା ପ୍ରଭାବିତଙ୍କୁ ତୁରନ୍ତ ରିଲିଫ ସହାୟତା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଏବଂ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଙ୍ଗଳବାର କେନ୍ଦ୍ରୀୟ ବାତ୍ୟା ଅନୁଧ୍ୟାନକାରୀ ଦଳକୁ ସାକ୍ଷାତ କରି ବିସ୍ତୃତ ଆଲୋଚନା କରିଛନ୍ତି । ଏହସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ୟଶ୍ ବାତ୍ୟା ପ୍ରଭାବିତ ଜିଲ୍ଲାୱାରୀ ଏବଂ ପଂଚାୟତୱାରୀ କ୍ଷୟକ୍ଷତିର ସମସ୍ତ ଆକଳନ ତଥ୍ୟ ପ୍ରଦାନ କରିବା ସହ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ଗୃହ ବିଭାଗ ଯୁଗ୍ମ ସଚିବ ସୁନୀଲ କୁମାର ବର୍ଣ୍ଣୱାଲ ନେତୃତ୍ୱରେ ଆସିଥିବା କେନ୍ଦ୍ରୀୟ ବାତ୍ୟା ଅନୁଧ୍ୟାନ କମିଟି ସହ ବିସ୍ତୃତ ଆଲୋଚନା କରିଛୁ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ସୂଚନା ଦେଇ କହିଛନ୍ତି ।
ଉକ୍ତ ଦାବି ପତ୍ରରେ ବାତ୍ୟାଂଚଳରେ ଥିବା ସମସ୍ତ କଚ୍ଚାଘରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘରରେ ପରିଣତ କରିବା, ସମୁଦ୍ରରୁ ଲୁଣା ପାଣି ମାଡିଯାଇ ନଷ୍ଟ ହୋଇଯାଇଥିବା ଫସଲ ପାଇଁ ଚାଷୀମାନଙ୍କୁ ତୁରନ୍ତ କ୍ଷତିପୂରଣ ଦେବା,ବାତ୍ୟା ଓ ବନ୍ୟାଂଚଳରେ କୃଷକଙ୍କ ପାଇଁ ଋଣ ଛାଡ କରିବା, ଚିଙ୍ଗୁଡି ଚାଷୀଙ୍କୁ କ୍ଷତିପୁରଣ ପ୍ରଦାନ କରିବା ତଥା ନଦୀବନ୍ଧ କାର୍ଯ୍ୟକୁ ସୁଦୃଢ କରିବାକୁ ଦାବି କରାଯାଇଛି । ସେହିପରି ସ୍ଥାୟୀ ଭିତିଭୂମିଗୁଡିକୁ ଦୃଢୀକରଣ କରାଯାଉ । ସମୁଦ୍ର ଉପକୁଳ ଅଂଚଳରେ ଆଧୁନିକ ଜ୍ଞାନକୈାଶଳ ଆଧାରରେ ସୁଦୃଢ ଓ ଉଚ୍ଚ ପଥର ବନ୍ଧ ନିର୍ମାଣ କରାଯାଉ । ୨୦୦୮ ରାଜ୍ୟ ବିଧାନସଭା ଗୃହ କମିଟି ସୁପାରିଶ ଆଧାରରେ ସ୍ୱିସ୍ ଗେଟ୍ ଓ ନାଳ ପୁନରୁଦ୍ଧାର କାର୍ଯ୍ୟ ତଥା ନିର୍ମାଣ କରାଯାଉ । ଉପକୂଳବର୍ତୀ ଅଂଚଳରେ ବସବାସ କରୁଥିବା ମତ୍ସ୍ୟଜୀବିମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ବାତ୍ୟା ସଂପର୍କରେ ସଚେତନତା ସୃଷ୍ଟି ସହ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ସମସ୍ତ ପ୍ରକାରର ସହଯୋଗ ଏବଂ ସହାୟତା ପ୍ରଦାନ କରିବା୍କୁ ଦାବି କରାଯାଇଛି । ବିଜେପି ପ୍ରତିନିଧି ଦଳ ଅଭିଯୋଗ କରିଛି ଯେ ୨୦୦୮ ମସିହାରେ ବିଧାନସଭାରେ ଗୃହ ବିଭାଗ କମିଟି ଦେଇଥିବା ରିପୋର୍ଟ ଆଧାରରେ ରାଜ୍ୟ ସରକାର ବାତ୍ୟା ୟଶ୍ ମୁକାବିଲା କୈାଣସି ପ୍ରାକ ପ୍ରସ୍ତୁତି କରିନଥିଲେ । ବାତ୍ୟା ପୂର୍ବରୁ ପ୍ରଭାବିତ ଅଂଚଳବାସୀଙ୍କୁ ନିରାପଦ ସ୍ଥାନକୁ ସଠିକ୍ ଭାବେ ସ୍ଥାନାନ୍ତରିତ କରାଯାଇନଥିଲା । ୫୦ ଜଣଙ୍କୁ ସ୍ତାନାନ୍ତରିତ କରାଯାଇ ୩୦୦ ବୋଲି ଉଲ୍ଲେଖ କରାଯାଇଅଛି । ବାତ୍ୟା ଆଶ୍ରୟସ୍ଥଳୀରେ କୈାଣସି ବ୍ୟବସ୍ଥା କରାଯାଇନଥିଲା । ବାତ୍ୟାଶ୍ରୟସ୍ଥଳୀର ମରାମତି କରାଯାଇନଥିଲା । ପାନୀୟ ଜଳ, ବିଜୁଳି, କିରୋସିନି, ଖାଦ୍ୟ ଆଦିର ବ୍ୟବସ୍ଥା ନଥିଲା । କୋଭିଡ୍ ଗାଇଡଲାଇନ ଅନୁଯାୟୀ ବାତ୍ୟାଶ୍ରୟ ପରିଚାଳନା ହେଉଥିବା କହି ମିଥ୍ୟା ପ୍ରଚାର କଲେ । ଏହି କାରଣରୁ ବହୁ ପ୍ରଭାବିତ ବାତ୍ୟାଶ୍ରୟକୁ ଯାଇନଥିଲେ ।ପ୍ରଭାବିତ ଅଂଚଳବାସିଙ୍କୁ ଶୁଖିଲା / ରନ୍ଧା ଖାଦ୍ୟ / ଚୁଡା / କିରୋସିନି / ପଲିଥିନ / ପାନୀୟ ଜଳ ଯୋଗାଇବାରେ ପ୍ରଶାସନ ସଂପୂର୍ଣ୍ଣ ଫେଲ ହୋଇଛି ।
କ୍ଷୟକ୍ଷତି ଆକଳନ ପାଇଁ ରାଜସ୍ୱ କର୍ମଚାରୀଙ୍କ ଘୋର ଅଭାବ ପରିଲକ୍ଷିତ ହେଉଛି । ପ୍ରଶାସନ ଅଧିକାରୀମାନେ ବର୍ତମାନ ସୁଦ୍ଧା ସମସ୍ତ ବାତ୍ୟା ଓ ବନ୍ୟା ପ୍ରଭାବିତ ଅଂଚଳରେ ପହଂଚି ନାହାନ୍ତି । ବର୍ତମାନ ସୁଦ୍ଧା ଘର ଭଙ୍ଗା ତଦନ୍ତ ଆରମ୍ଭ ହୋଇପାରି ନାହିଁ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ, ଭଦ୍ରକ ଜିଲ୍ଲା ସଭାପତି ହେମନ୍ତ ପାଢୀ, ମୟୁରଭଂଜ ଜିଲ୍ଲା ସଭାପତି ଓ ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନ, କେନ୍ଦୁଝର ଜିଲ୍ଲା ସଭାପତି ସବୁଜ ଅଂଶୁମାନ ମହନ୍ତ, କେନ୍ଦ୍ରାପଡା ଜିଲ୍ଲା ସଭାପତି କିଶୋର ପଣ୍ଡା ପ୍ରମୁଖ ସାମିଲ ଥିଲେ ।
