ଆଜି ଆଇପିଏଲ ମିଡିଆ ରାଇଟ୍ସ ପାଇଁ ହେବ ନିଲାମ
ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)-୨୦୨୨ ସମାପ୍ତ ହୋଇ ସାରିଛି । ଏବେ ପ୍ରଶଂସକ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଟି-୨୦ ସିରିଜର ମଜା ଉଠାଉଛନ୍ତି । ଏହା ମଧ୍ୟରେ ଆଇପିଏଲ ସଂପର୍କିତ ଏକ ଖବର ସାମ୍ନାକୁ ଆସିଛି । ରବିବାର ଆଇପିଏଲର ଆଗାମୀ ସଂସ୍କରଣ ଅର୍ଥାତ ୨୦୨୩ ରୁ ୨୦୨୭ ପାଇଁ ମିଡିଆ ରାଇଟ୍ସର ନିଲାମ କରାଯିବ । ୨୦୧୭ରେ ଷ୍ଟାର ଇଣ୍ଡିଆ ମିଡିଆ ରାଇଟ୍ସ କିଣିବାରେ ସଫଳ ହୋଇଥିଲା । ସେହି ସମୟରେ ଷ୍ଟାର ଇଣ୍ଡିଆ ମିଡିଆ ରାଇଟ୍ସ ୨.୫୫ ବିଲିୟନ ଡଲାରରେ କିଣିଥିଲା । ଏହା ଦୁନିଆର ସବୁଠୁ ମହଙ୍ଗା କ୍ରିକେଟ୍ ଚୁକ୍ତିନାମା ଥିଲା । ଏଥର ଆଇପିଏଲ ରାଇଟ୍ସର ବିଡିଂ ପ୍ରଥମ ଥର ଇ ନିଲାମ ଜରିଆରେ ହେଉଛି । ଏହାର ଆରମ୍ଭ ରବିବାର ସକାଳ ୧୧ଟାରେ ମୁମ୍ବାଇରେ ଆୟୋଜିତ ହେବ ଏବଂ ସମସ୍ତ ବିଡ୍ସ ସରିବା ପର୍ଯ୍ୟନ୍ତ ଏହି ନିଲାମ ଜାରି ରହିବ । ଯାହାକୁ ମିଡିଆ ରାଇଟ୍ସ ମିଳିବ ସେ ଆଗାମୀ ପାଞ୍ଚଟି ସଂସ୍କରଣର ଆଇପିଏଲ ମ୍ୟାଚ୍ ପ୍ରସାରଣ କରିବ । ମିଡିଆ ରାଇଟ୍ସ ପାଇଁ ଏଥର ୫୦ ରୁ ୬୦ ହଜାର କୋଟି ପର?୍ୟ୍ୟନ୍ତ ନିଲାମ ଡକରା ହୋଇପାରେ । ଆଇପିଏଲ ରାଇଟ୍ସ କିଣିବା ପାଇଁ ମୁଖ୍ୟତଃ ପାଞ୍ଚ କମ୍ପାନୀଙ୍କ ମଧ୍ୟରେ ପ୍ରତିଯୋଗିତା ହେବ । ଏଥିରେ ରହିଛି ଭାୟକମ, ଡିଜନୀ ହଟଷ୍ଟାର, ସୋନି, ଜି ଏବଂ ଆଜାଜନ ପରି କମ୍ପାନୀ । ସଂପ୍ରତି ଡିଜିଟାଲ୍ ପ୍ଲାଟଫର୍ମରେ ମଧ୍ୟ ବହୁ ସଂଖ୍ୟାରେ ଲୋକେ ଆଇପିଏଲ ଦେଖୁଛନ୍ତି । ଏଥିପାଇଁ ଡିଜନୀ ହଟଷ୍ଟାର ଏବଂ ଆମାଜନ ପରି କମ୍ପାନୀ ମଧ୍ୟ ମିଡିଆ ରାଇଟ୍ସ କିଣିବା ପାଇଁ ଦୌଡରେ ଅଛନ୍ତି ।
ବିଶ୍ୱର ଦ୍ୱିତୀୟ ଧନୀ ଜେଫ୍ ବେଜୋସଙ୍କ କମ୍ପାନି ଆମାଜନ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) କ୍ରିକେଟ୍ ମ୍ୟାଚ୍ ଷ୍ଟ୍ରିମ୍ କରିବା ପାଇଁ ମିଡିଆ ରାଇଟ୍ସ ବାଦ ପଡିପାରେ । ଯଦି ଏହା ହୁଏ, ତେବେ ମିଡ଼ିଆ ରାଇଟ୍ସ ପାଇବା ତାଲିକାରେ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଏକ ଦୃଢ ଦାବିଦାର ହେବ । ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ଆମାଜନ ପ୍ରାୟ ୬୦ ହଜାର କୋଟି ଟଙ୍କାର ମିଡିଆ ରାଇଟ୍ସରେ ଭାଗ ନ ନେଇପାରେ । କାରଣ ଆମାଜନ ପୂର୍ବରୁ ଭାରତରେ ପ୍ରାୟ ୬ ବିଲିୟନ ଡଲାରରୁ ଅଧିକ ପୁଞ୍ଜି ବିନିଯୋଗ କରିସାରିଛି । ବର୍ତ୍ତମାନ କେବଳ ଆଇପିଏଲର ଅନଲାଇନ୍ ଷ୍ଟ୍ରିମିଂ ଅଧିକାର ପାଇଁ ଏତେ ଟଙ୍କା ଖର୍ଚ୍ଚ କରିବା ସପକ୍ଷରେ ଜେଫ୍ ବେଜୋସ ନାହାନ୍ତି । ତେବେ ଆମାଜନ ପକ୍ଷରୁ ଆନୁଷ୍ଠାନିକ ଭାବେ ଏହା କୁହାଯାଇନାହିଁ । ଯଦି ଆମାଜନ ବାଦ ପଡେ, ତେବେ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ, ଡିଜନି ଏବଂ ସୋନି ଗ୍ରୁପ୍ କର୍ପୋରେସନ୍ ମଧ୍ୟରେ ମିଡିଆ ରାଇଟ୍ସ ପାଇଁ ପ୍ରତିଯୋଗିତା ହେବ । ସୂଚନା ଥାଉ କି ଯେ ଆଇପିଏଲ୍ ମିଡିଆ ଅଧିକାର ନିଲାମ ପ୍ରକ୍ରିୟା ଜୁଲାଇ ୧୨ରୁ ଆରମ୍ଭ ହେବ । ବିସିସିଆଇ ଦେଇଥିବା ସୂଚନା ଅନୁଯାୟୀ, ୨୪ରୁ ୪୮ଘଣ୍ଟା ମଧ୍ୟରେ ଆଇପିଏଲ୍ ମିଡିଆ ଅଧିକାର ନିଲାମର ଫଳାଫଳ ଜଣାଇ ଦିଆଯିବ । ୨୦୨୩ରୁ ୨୦୨୭ ପର୍ଯ୍ୟନ୍ତ ୫ ବର୍ଷ ଧରି ଆଇପିଏଲର ମିଡ଼ିଆ ରାଇଟ୍ସ ବିଜେତା କମ୍ପାନି ହାତରେ ରହିବ । ଏଥି ସହିତ, ବର୍ତ୍ତମାନ ଭାରତରେ ଆଇପିଏଲର ଏକମାତ୍ର ଲାଇଭ୍ ଷ୍ଟ୍ରିମିଂ ପ୍ଲାଟଫର୍ମ ହେଉଛି ‘ଡିଜନି ପ୍ଲସ୍ ହଟଷ୍ଟା’ । ଗୁଜୁରାଟ ଏବଂ ଲଖନଉ ଫ୍ରାଞ୍ଚାଇଜ୍ ଅନ୍ତର୍ଭୂକ୍ତ ହେବା ସହିତ ଆଇପିଏଲ୍ ମ୍ୟାଚ୍ ସଂଖ୍ୟା ୬୦ରୁ ୭୪କୁ ବୃଦ୍ଧି ପାଇଛି ।
