ଝିଅଙ୍କ ବିବାହ ବୟସ ୧୮ରୁ ୨୧ ବର୍ଷକୁ ବୃଦ୍ଧି !
ନୂଆଦିଲ୍ଲୀ : ଝିଅମାନଙ୍କ ବିବାହ ବୟସ ୧୮ ରୁ ୨୧ ବର୍ଷକୁ ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି। ବୁଧବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ କନ୍ୟାମାନଙ୍କର ଆଇନଗତ ବିବାହ ବୟସ ୧୮ ବର୍ଷରୁ ୨୧ ବର୍ଷକୁ ବୃଦ୍ଧି କରିବା ଲାଗି ଏହି ପ୍ରସ୍ତାବ ପାରିତ କରିଥିବା ନେଇ ସୂଚନା ମିଳିଛି। ବିଦ୍ୟମାନ ଆଇନରେ ସଂଶୋଧନ ପାଇଁ କେନ୍ଦ୍ର ସରକାର ସଂସଦରେ ଏକ ପ୍ରସ୍ତାବ ଉପସ୍ଥାପନ କରିବେ।
୧୫ ଅଗଷ୍ଟ ୨୦୨୦ରେ ଲାଲ କିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝିଅମାନଙ୍କର ବିବାହ ବୟସକୁ ୨୧ ବର୍ଷକୁ ବୃଦ୍ଧି କରିବା ବିଷୟରେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଝିଅମାନଙ୍କୁ କୁପୋଷଣରୁ ରକ୍ଷା କରିବା ପାଇଁ ସେମାନେ ଠିକ୍ ସମୟରେ ବିବାହ କରିବା ଆବଶ୍ୟକ। ପ୍ରଚଳିତ ନିୟମ ଅନୁଯାୟୀ ଦେଶରେ ପୁରୁଷଙ୍କ ପାଇଁ ସର୍ବନିମ୍ନ ବୟସ ୨୧ ଏବଂ ମହିଳାମାନଙ୍କ ପାଇଁ ୧୮ ବର୍ଷ । କିନ୍ତୁ ସରକାର ବର୍ତ୍ତମାନ ମହିଳାଙ୍କୁ ସଶକ୍ତିକରଣ ପାଇଁ ବିବାହ ବୟସ ବୃଦ୍ଧି କରିବା ପାଇଁ ଚିନ୍ତା କରୁଛନ୍ତି। ବାଲ୍ୟ ବିବାହ ନିଷେଧ ଆଇନ, ସ୍ୱତନ୍ତ୍ର ବିବାହ ଆଇନ ଏବଂ ହିନ୍ଦୁ ବିବାହ ଆଇନରେ ସରକାର ସଂଶୋଧନ କରିବେ।
ଜୁନ୍ ୨୦୨୦ରେ ସରକାର ମଧ୍ୟ ଏହି ବିଷୟରେ ଏକ ଟାସ୍କଫୋର୍ସ ଗଠନ କରିଥିଲେ। ବିବାହର ବୟସ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଉପରେ ଟାସ୍କଫୋର୍ସ ଏହାର ରିପୋର୍ଟ ଦାଖଲ କରିଥିଲେ। ସମତା ପାର୍ଟିର ପୂର୍ବତନ ସଦସ୍ୟ ତଥା ଟାସ୍କଫୋର୍ସର ମୁଖ୍ୟ ଜୟା ଜେଟଲୀ ଏହାକୁ ସୁପାରିସ କରିଥିଲେ। ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଏହି ପଦକ୍ଷେପ ଥିଲା। ଟାସ୍କଫୋର୍ସ କହିବା ଅନୁଯାୟୀ ପ୍ରଥମ ସନ୍ତାନ ପ୍ରସବ କରିବା ସମୟରେ ଝିଅ ମାନଙ୍କର ବୟସ ୨୧ ବର୍ଷ ହେବା ଉଚିତ୍। ବିବାହରେ ବିଳମ୍ବ ପରିବାର, ମହିଳା, ଶିଶୁ ଏବଂ ସମାଜର ଆର୍ଥିକ, ସାମାଜିକ ତଥା ସ୍ୱାସ୍ଥ୍ୟ ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ।
