ହିମାଚଳପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପରଲୋକ
ସିମଲା : ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ବୀରଭଦ୍ର ସିଂଙ୍କ ପରଲୋକ । ବୀରଭଦ୍ର ୮୭ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘଦିନ ଧରି ସେ ରୋଗାଗ୍ରସ୍ତ ଥିବା ବେଳେ ଗୁରୁବାର ଭୋର ୩ଟା ୪୦ ମିନିଟରେ ସିମଲା ସ୍ଥିତ ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ୍ ଆଣ୍ଡ ହସ୍ପିଟାଲରେ ସେ ଇହଲୀଳା ସମ୍ପନ୍ନ କରିଛନ୍ତି ।ବୀରଭଦ୍ର ପ୍ରାୟ ୨ ମାସ ଧରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେ ୨ ଥର କରୋନାକୁ ମାତ୍ ଦେଇଥିଲେ । ତେବେ ଗତ ୨ ସପ୍ତାହ ହେବସେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରୁଥିଲେ । ଏହାପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ବୀରଭଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଜବୀନ ରକ୍ଷାକାରୀ ବ୍ୟବସ୍ଥାରେ ରଖାଯାଇଥିଲା। ଡାକ୍ତରଖାନାର ହୃଦରୋଗ ବିଭାଗର ଏକ ଚିକିତ୍ସକ ଦଳ ତାଙ୍କର ଚିକିତ୍ସା କରୁଥିଲେ। ଜୁନ୍ ୧୧ ତାରିଖରେ ସେ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଦୁଇମାସ ମଧ୍ୟରେ ତାଙ୍କୁ ଦ୍ୱିତୀୟ ଥର ପାଇଁ କରୋନାରେ ସଂକ୍ରମିତ ହୋଇଥିବା ଚିହ୍ନଟ କରାଯାଇଥିଲା। ପ୍ରଥମ ଥର ସେ ଏପ୍ରିଲ ୧୨ରେ କରୋନାରେ ସଂକ୍ରିତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ଚଣ୍ଡିଗଡର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସେଥିରୁ ଆରୋଗ୍ୟ ଲାଭ କରି ଏପ୍ରିଲ ୩୦ରେ ଘରକୁ ଫେରିଥିଲେ। ତେବେ ଫେରିବାର କିଛି ଘଣ୍ଟା ମଧ୍ୟରେ ପୁଣି ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ହିମାଚଳ ପ୍ରଦେଶର ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେବେଠାରୁ ତାଙ୍କର ସେଠାରେ ଚିକିତ୍ସା ଚାଲିଥିଲା।
ସୂଚନା ଯେ, ବୀରଭଦ୍ର ସିଂହ ୯ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏଥିସହିତ ସେ ହିମାଚଳ ପ୍ରଦେଶର ଛଅ ଥର ମୁଖ୍ୟମନ୍ତ୍ରୀ ରହିଥିଲେ। ବୀରଭଦ୍ରଙ୍କ ପତ୍ନୀ ପ୍ରତିଭା ସିଂହ ଏବଂ ପୁଅ ବିକ୍ରମାଦିତ୍ୟ ସିଂହ ମଧ୍ୟ ରାଜନୀତିରେ ଅଛନ୍ତି। ପ୍ରତିଭା ସିଂହ ଜଣେ ପୂର୍ବତନ ସାଂସଦ ହୋଇଥିବାବେଳେ ବିକ୍ରମାଦିତ୍ୟ ସଂପ୍ରତି ଶିମଳା ଗ୍ରାମାଞ୍ଚଳ ଆସନରୁ ବିଧାୟକ ଅଛନ୍ତି। ବୀରଭଦ୍ର ସିଂହ ୧୯୮୩ ଏପ୍ରିଲ ୮ରୁ ୧୯୯୦ ମାର୍ଚ୍ଚ ୫, ୧୯୯୩ ଡିସେମ୍ବର ୩ରୁ ୧୯୯୮ ମାର୍ଚ୍ଚ ୨୩, ୨୦୦୩ ମାର୍ଚ୍ଚ ୬ରୁ ୨୦୦୭ ଡିସେମ୍ବର ୨୯ ଏବଂ ୨୦୧୨ ଡିସେମ୍ବର ୨୫ରୁ ୨୦୧୭ ଡିସେମ୍ବର ୨୬ ପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ। ଏଥିସହିତ ସେ ୧୯୯୮ ମାର୍ଚ୍ଚରୁ ୨୦୦୩ ମାର୍ଚ୍ଚ ପର୍ଯ୍ୟନ୍ତ ବିରୋଧୀ ଦଳ ନେତା ରହିଥିଲେ। ସେ ପର୍ଯ୍ୟଟକ ଏବଂ ବେସାମରିକ ବିମାନ ଚଳାଚଳ ବିଭାଗର ଉପ ମନ୍ତ୍ରୀ, ଶିଳ୍ପ ବିଭାଗର ରାଷ୍ଟ୍ରମନ୍ତ୍ରୀ, ଇସ୍ପାତ ମନ୍ତ୍ରୀ, ଏମଏସଏମଇ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୨୦୧୭ ଡିସେମ୍ବରରେ ସେ ତ୍ରୟୋଦଶ ବିଧାନ ସଭାକୁ ଆର୍କି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ବୀରଭଦ୍ର ସିଂହ ହିମାଚଳ ପ୍ରଦେଶ କଂଗ୍ରେସ ସଭାପତି ଭାବେ ୧୯୭୭, ୧୦୭୯, ୧୯୮୦ ଏବଂ ୨୦୧୨ ଅଗଷ୍ଟରୁ ଡିସେମ୍ବର ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇଥିଲେ।
