ଗୁଜୁରାଟରେ ବିଧାନସଭା ନିର୍ବାଚନର ସମସ୍ତ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ ଆପ
ନୂଆଦିଲ୍ଲୀ : ଆସନ୍ତା ବର୍ଷ ଗୁଜୁରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି (ଆପ) ସମସ୍ତ ୧୮୨ଟି ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବ। ଏନେଇ ସୋମବାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଗୁଜୁରାଟ ଗସ୍ତ କରି ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ନାଭ୍ଙ୍ଗପୁରା ଅଞ୍ଚଳରେ ଅବସ୍ଥିତ ରାଜ୍ୟ ପାର୍ଟି ମୁଖ୍ୟାଳୟର ଉଦଘାଟନ କରିବା ପରେ ନିଜ ଦଳର ନିର୍ବାଚନ ପ୍ରସ୍ତୁତି ବିଷୟରେ କହିଛନ୍ତି ।
ଏହା ସହ କେଜ୍ରିୱାଲ କହିଛନ୍ତି ଯେ, ବିଜେପି ଏବଂ କଂଗ୍ରେସ ଉଭୟ ଗୁଜୁରାଟ ପାଇଁ ପୁରୁଣା ହୋଇସାରିଥିବା ବେଳେ ଗୁଜୁରାଟର ଲୋକମାନେ ଏକ ବିକଳ୍ପ ଚାହୁଁଛନ୍ତି । ତାଙ୍କ ଦଳ ଗୁଜୁରାଟକୁ ଦିଲ୍ଲୀ ମଡେଲ ଆଣିବ ନାହିଁ, କାରଣ ପ୍ରତ୍ୟେକ ରାଜ୍ୟର ନିଜସ୍ୱ ମଡେଲ ହେବା ଦରକାର । ଗୁଜୁରାଟର ମଡେଲ ଗୁଜୁରାଟର ଲୋକମାନେ ସ୍ଥିର କରିବେ । ଅନ୍ୟପକ୍ଷରେ ପାର୍ଟି ମୁଖ୍ୟାଳୟର ଉଦଘାଟନ ପରେ କେଜ୍ରିୱାଲ ପୂର୍ବତନ ଗୁଜୁରାଟୀ ନ୍ୟୁଜ ଚ୍ୟାନେଲ ଆଙ୍କର୍ ଇସୁଦାନ ଗଡଭିଙ୍କୁ ଆପରେ ସାମିଲ କରାଇବା ସହ ତାଙ୍କୁ ଗୁଜୁରାଟର କେଜ୍ରିୱାଲ ବୋଲି କହିଥିଲେ। ଏହା ସହ ବେକାରୀ, କଲେଜ ଆଡମିଶନ ଏବଂ କୃଷକ ଆତ୍ମହତ୍ୟା ଭଳି ପ୍ରସଙ୍ଗ ଉଠାଇଥିଲେ ।


