ଥମୁନି ପୁସ୍ତକ ବିବାଦ : କଂଗ୍ରେସ ନେତା ସଲମାନ ଖୁର୍ସିଦଙ୍କ ଘରେ ନିଆଁ ଲଗାଇଲେ ଦୁର୍ବୃତ୍ତ
ନୂଆଦିଲ୍ଲୀ : ଅଯୋଧ୍ୟା ମାମଲାରେ କଂଗ୍ରେସ ନେତା ସଲମାନ ଖୁର୍ସିଦ ଲେଖିଥିବା ପୁସ୍ତକକୁ ନେଇ ଥମିବାର ନାଁ ଧରୁନାହିଁ ବିବାଦ। ଏହାକୁ ନେଇ ସୃଷ୍ଟି ହୋଇଥିବା ବିବାଦର ନିଆଁ ଏବେ ତାଙ୍କ ଘରେ ପହଞ୍ଚିଛି। ଅନ୍ୟପଟେ ତାଙ୍କୁ ବିରୋଧି ବିଜେପି ଏବଂ ହିନ୍ଦୁବାଦୀ ସଙ୍ଗଠନ ପକ୍ଷରୁ କ୍ରମାଗତ ଭାବେ ଟାର୍ଗେଟ କରାଯାଉଛି। ଗତ ସୋମବାର ଦିନ ନୈନିତାଲ ଠାରେ ଅବସ୍ଥିତ ଥିବା ତାଙ୍କ ଘରେ ନିଆଁ ଲଗାଇ ଦିଆଯିବା ସହ ଘର ଉପରକୁ ପଥର ମାଡ଼ କରାଯାଇଛି। ଏହି ଘଟଣା ସମ୍ପର୍କରେ ନିଜେ କଂଗ୍ରେସ ନେତା ସଲମାନ ଖୁର୍ସିଦ ଜଣାଇଛନ୍ତି। ଏହି ଘଟଣା ସହ ଜଡିତ ଭିଡିଓ ସେ ସୋସିଆଲ ମିଡିଆ ଜରିଆରେ ସେୟାର କରିଛନ୍ତି।
ଅଯୋଧ୍ୟା ମାମଲାରେ କଂଗ୍ରେସ ନେତା ସଲମାନ ଖୁର୍ସିଦ “Sunrise Over Ayodhya: Nationhood in Our Times” ନାମକ ପୁସ୍ତକରେ ସେ ହିନ୍ଦୁତ୍ୱ ଦ୍ୱାରା ପ୍ରଭାବିତ ହୋଇଥିବା କଂଗ୍ରେସ ନେତାଙ୍କୁ ସମାଲୋଚନା କରିବାକୁ ପଛେଇନଥିଲେ। ହିନ୍ଦୁତ୍ୱ ଚିନ୍ତାଧାରକୁ ସେ ଆଇଏସଆଇଏସ ଏବଂ ବୋକୋ ହରାମ ଭଳି ଆତଙ୍କବାଦୀ ସଙ୍ଗଠନ ସହ ତୁଳନା କରିଥିଲେ। ହିନ୍ଦୁତ୍ୱ ଭଳି ଶବ୍ଦର ବ୍ୟବହାର ନିର୍ବାଚନ ସମୟରେ ରାଜନୈତିକ ଫାଇଦା ହାସଲ କରିବା ଲାଗି ବ୍ୟବହାର କରାଯାଏ ବୋଲି ସେ କହିଥିଲେ। ହିନ୍ଦୁତ୍ୱ ଉପରେ ପ୍ରଦାନ କରିଥିବା ଏଭଳି ବୟାନ ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଲମାନ ଖୁର୍ସିଦଙ୍କ ଦ୍ୱାରା ଲିଖିକ ପୁସ୍ତକର ପ୍ରକାଶନ, ପ୍ରସାର ତଥା ବିକ୍ରୟ ଉପରେ କଟକଣା ଲଗାଇବାକୁ ଶନିବାର ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଆଇନଜୀବୀ ରାଜକିଶୋର ଚୌଧୁରୀଙ୍କ ମାଧ୍ୟମରେ ଓକିଲ ବୀନିତ ଜିନ୍ଦଲଙ୍କ ଦ୍ୱାରା ଦାଖଲ ହୋଇଥିବା ଏହି ଆବେଦନରେ କୁହାଯାଇଛି ଯେ ନିଜେ ଲେଖିଥିବା ପୁସ୍ତକରେ ଖୁର୍ସିଦ ହିନ୍ଦୁତ୍ୱକୁ ଆଇଏସ୍ଆଇଏସ ଏବଂ ବୋକୋ ହାରାମ ଭଳି ଆତଙ୍କବାଦୀ ଗୋଷ୍ଠୀ ସହ ତୁଳନା କରିଛି। ଏଭଳି ମନ୍ତବ୍ୟକୁ ଏହି ପୁସ୍ତକର ୧୧୩ ନମ୍ବର ପୃଷ୍ଠାରେ ‘The Kashar Sky’ ଶୀର୍ଷକ ଏକ ଅଧ୍ୟାୟରେ ସ୍ଥାନ ଦିଆଯାଇଛି। ଯେଉଁଥିରେ ଦର୍ଶାଯାଇଛି ଯେ ଆଇଏସ୍ଆଇଏସ ଏବଂ ବୋକୋ ହାରାମ ଭଳି ଆତଙ୍କବାଦୀ ସଙ୍ଗଠନ ପାଇଁ ହିନ୍ଦୁ ଧର୍ମର ସମାନତାକୁ ଏକ ନକାରାତ୍ମକ ଚିନ୍ତାଧାରା ଭାବରେ ବିବେଚନା କରାଯାଏ। ଯାହାକୁ ହିନ୍ଦୁ ପାଳନ କରିଥାନ୍ତି। ହିନ୍ଦୁ ଧର୍ମ ହିଂସାତ୍ମକ, ଅମାନୁଷିକ ଏବଂ ଦମନକାରୀ।
