ବାଲେଶ୍ୱରରେ କଳା ପଲସର ଆତଙ୍କ; ତେଲେଙ୍ଗାକଟୁରୀ ଦେଖାଇ ବ୍ୟବସାୟୀଙ୍କ ଠାରୁ ୩ଲକ୍ଷ ଲୁଟ୍
ବାଲେଶ୍ୱର : ଦିନ ଦ୍ୱିପ୍ରହରରେ ଲୁଟ୍ । ପୁଣି କଳା ପଲସର ଆତଙ୍କ । କଳା ପଲସରରେ ୩ଜଣ ଦୁର୍ବୃତ୍ତ ଆସି ତେଲେଙ୍ଗା କଟୁରୀ ଦେଖାଇ ଲୁଟି ନେଲେ ୩ଲକ୍ଷ ଟଙ୍କା । ଏପରି ଏକ ଘଟଣା ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧୀନସ୍ତ ଦହପଡ଼ା ନିକଟସ୍ଥ ନଦୀବାଙ୍କ ନିକଟରେ ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ଘଟଣା ଘଟିବା ସମୟରେ ରାସ୍ତାର ଉଭୟ ପାଶ୍ୱର୍ରେ ବହୁ ଲୋକ ଛିଡ଼ା ହୋଇ ଘଟଣାକୁ ଦେଖୁଥିବା ବେଳେ କେହି ଜଣେବି ପ୍ରତିବାଦ କରିନଥିଲେ । ଫଳରେ ଦୁର୍ବୃତ୍ତମାନେ ଟଙ୍କା ଲୁଟି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଏନେଇ ସହଦେବଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।
ସୂଚନା ଯେ, ଫୁଲାଡି ଗ୍ରାମର ଗଙ୍ଗାଧର ବେହେରା ନିଜର ପୁଅ ବାହାଘର ପାଇଁ ଷ୍ଟେଟ୍ ବ୍ୟାଙ୍କ ବାଲେଶ୍ୱର ମୁଖ୍ୟ ଶାଖାରୁ ବୁଧବାର ମଧ୍ୟାହ୍ନରେ ୩ଲକ୍ଷ ଟଙ୍କା ଉଠାଇ ଥିଲେ । ଟଙ୍କାକୁ ନିଜ ସ୍କୁଟି ଡିକିରେ ରଖି ରାସ୍ତାରେ ନୂଆବଜାରରେ ଥିବା ଦୋକାନରୁ ୪/୫ଟି ଚାଉଳ ବସ୍ତା ସ୍କୁଟିରେ ଲଦିଥିଲେ । ସେଠାରୁ ଘରକୁ ଯାଉଥିବା ବେଳେ ନଦୀବାଙ୍କ ନିକଟରେ ପଛରୁ ୩ଜଣ ଦୁର୍ବୃତ୍ତ ମୁହଁରେ କପଡ଼ା ବାନ୍ଧି, ତେଲେଙ୍ଗା କଟୁରୀ ଧରି ଏକ କଳା ପଲ୍ସରରେ ତାଙ୍କ ନିକଟରେ ପହଞ୍ôଚ ତାଙ୍କୁ ଅଟକିବା ପାଇଁ କହିଥିଲେ । ମାତ୍ର ସେ ନ ଅଟକିବାରୁ ତାଙ୍କ ଗାଡ଼ିକୁ ଗୋଇଠା ମାରି ତାଙ୍କୁ ତଳେ ପକାଇ ଦେଇଥିଲେ । ସଙ୍ଗେ ସଙ୍ଗେ ଶ୍ରୀ ବେହେରା ଉଠି ନିଜ ସ୍କୁଟି ଚାବିକୁ ଗାଡିରୁ ଖୋଲି ନେଇଥିଲେ । ଫଳରେ ଦୁର୍ବୃତ୍ତମାନେ ତାଙ୍କୁ ତେଲେଙ୍ଗା କଟୁରୀ ଦେଖାଇ ଚାବି ମାଗିଥିଲେ । ସେ ନ ଦେବାରୁ ତାଙ୍କୁ ତେଲେଙ୍ଗା କଟୁରୀରେ ପଛପଟେ ମାଡ଼ ମାରିଥିଲେ । ଏଥିରେ ସେ ଆହତ ହୋଇ ତଳେ ପଡ଼ିଯାଇଥିଲେ । ଏହି ସମୟରେ ଦୁର୍ବୃତ୍ତମାନେ ଚାବି ଛଡ଼ାଇ ନେଇ ଡିକି ଖୋଲି ୩ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଏନେଇ ସହଦେବଖୁଣ୍ଟା ଥାନାରେ ମାମଲା (ନଂ. ୬୩ ।୨୨) ରୁଜୁ କରାଯାଇ ତଦନ୍ତ ଜାରି ରହିଥିବାର ଜଣାପଡ଼ିଛି ।
