ରାଉରକେଲା ଲାଲଟାଙ୍କି ଅଂଚଳରେ ଆତଙ୍କ, ଦୁଇ ଯୁବକଙ୍କୁ ନୃଶଂସ ହତ୍ୟା
ରାଉରକେଲା : ରାଉରକେଲା ଲାଲଟାଙ୍କି ଅଂଚଳରେ ଦୁଇ ଜଣ ଯୁବକଙ୍କୁ ପଥରରେ ଛେଚି ଏବଂ ଅନ୍ୟ ମାରଣାସ୍ତ୍ରରେ ବାରମ୍ବାର ଆକ୍ରମଣ କରି ହତ୍ୟା କରାଯାଇଛି । ହତ୍ୟା ପରେ ଉଭୟଙ୍କ ଶବକୁ ନିକଟସ୍ଥ ପଡ଼ିଆରେ ଫୋପାଡି ଦେଇ ଅଭିଯୁକ୍ତ ମାନେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି । ମୃତକ ଦ୍ୱୟ ହେଲେ ଇନ୍ଦ୍ରଜିତ ସ୍ୱାଇଁ ଓ ସଞ୍ଜୟ ଦାସ । ଉଭୟଙ୍କ ବୟସ ୨୮ରୁ ୩୦ ବର୍ଷ ମଧ୍ୟରେ । ହତ୍ୟାକାଣ୍ଡର କାରଣ ଅଦ୍ୟାବଧି ସ୍ପଷ୍ଟ ହୋଇନଥିବା ବେଳେ ସ୍ଥାନୀୟ ଲୋକଙ୍କ କହିବା କଥା, ସେ ଅଂଚଳରେ ଚାଲିଥିବା ବହୁଳ ପରିମାଣର ଚୋରା ଲୁହା ଓ ମଦ ବ୍ୟବସାୟରେ ଆର୍ଥିକ ନେଣଦେଣକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥାଇପାରେ ।
ସୂଚନା ଅନୁଯାୟୀ, ସମ୍ପୃକ୍ତ ଅଂଚଳରେ ଥିବା ଏକ ପରିତ୍ୟକ୍ତ ଘରେ ମୃତ ଦୁଇ ଯୁବକ ଓ ଆକ୍ରମଣକାରୀ ମାନେ କିଛି ସମୟ ପାଇଁ ଥିଲେ । ଆଜି ଅପରାହ୍ନରେ ସେଠାରେ କୌଣସି ଯୁକ୍ତିତର୍କକୁ ନେଇ ଇନ୍ଦ୍ରଜିତ ଓ ସଞ୍ଜୟଙ୍କୁ ହତ୍ୟା କରି ପାଖ ପଡ଼ିଆରେ ମୃତଦେହକୁ ଫୋପାଡ଼ି ଦେଇ ଅଭିଯୁକ୍ତ ମାନେ ଫେରାର୍ ହୋଇଯାଇଥିଲେ । ଅପରାହ୍ନ ପ୍ରାୟ ସାଢ଼େ ୪ଟା ସମୟରେ ଅଂଚଳର ବାସିନ୍ଦା ଏସବୁକୁ ଦେଖି ଟାଙ୍ଗରପାଲି ଥାନାକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡିଥିବା ଦୁଇ ଯୁବକଙ୍କୁ ଉଦ୍ଧାର କରି ରାଉରକେଲା ସରକାରୀ ଡାକ୍ତରଖାନାକୁ ଆଣିଥିଲା । ହେଲେ ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିବା ସହ ମର୍ଗ ହାଉସକୁ ପଠାଇ ଦେଇଥିଲେ । ତେବେ ଏହି ଘଟଣାକୁ ନେଇ ଲାଲଟାଙ୍କି ଓ ସାରନଗରୀ ଅଂଚଳରେ ଚାଂଚଲ୍ୟ ସୃଷ୍ଟି ହୋଇଛି । ପୋଲିସ ହତ୍ୟାକାରୀଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରୀ ରଖିଛି ।
