ବିଦ୍ୟାଧରପୁରରେ ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୧୭ ବଖରା ଘର, ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ି ପାଉଁଶ
ବସ୍ତା : ବାଲେଶ୍ଵର ଜିଲା ବସ୍ତା ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ । ସର୍ଟସର୍କିଟ୍ରୁ ନିଆଁ ଲାଗି ଜଳିଗଲା ୧୭ ବଖରା ଘର । ଏଥିରେ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ି ପାଉଁଶ ହୋଇଥିବା ଜଣାପଡ଼ିଛି ।

ଶନିବାର ମଧ୍ୟାହ୍ନ ପ୍ରାୟ ୨ଟା ୩୦ ମିନିଟ୍ ସମୟରେ ଘର ଉପରେ ନିଆଁ ଦେଖି ସ୍ଥାନୀୟ ଲୋକେ ପରିବାର ଲୋକମାନଙ୍କୁ ଜଣାଇଥିଲେ । ପରେ ଘରଭିତରେ ଶୋଇଥିବା ଛୋଟ ଛୋଟ ପିଲାମାନଙ୍କୁ ଉଦ୍ଧାର କରାଯାଇଥିଲା । ତେବେ ଉକ୍ତ ଘରେ ୯ଟି ପରିବାରର ପାଖାପାଖି ୪୦ରୁ ଉର୍ଦ୍ଧ୍ୱ ସଦସ୍ୟ ରହୁଥିବା ବେଳେ, ସମସ୍ତେ ଖଟିଖିଆ ହୋଇଥିବାରୁ ଘରେ କେବଳ ସ୍ତ୍ରୀ ଲୋକ ଓ ପିଲାମାନେ ରହିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତା କ୍ରମେ ସମସ୍ତ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ଆସବାବପତ୍ର, ଖାଦ୍ୟ ସାମଗ୍ରୀ, ଲୁଗାପଟା ପୋଡ଼ି ପାଉଁଶ ହୋଇଯାଇଛି । ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ôଚ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଥିବା ବେଳେ ଉକ୍ତ ପରିବାର ବର୍ଗକୁ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।
