ବଢିଲା ଟେନସନ୍, ବିଶ୍ଵ ଟେଷ୍ଟ ଚାମ୍ପିଅନଶିପରେ ଶ୍ରୀଲଙ୍କାଠୁ ବି ପଛେଇଲା ଭାରତ
ନୂଆଦିଲ୍ଲୀ : ଘରୋଇ ଶ୍ରୀଲଙ୍କା ଗାଲେ ଟେଷ୍ଟରେ ଭ୍ରମଣକାରୀ ଅଷ୍ଟ୍ରେଲିଆକୁ ଇନିଂସ ଏବଂ ୩୯ ରନରେ ପରାସ୍ତ କରିଛି। ଏହି ପରାଜୟ ସହ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ ୨୦୨୧-୨୩ର ପଏଣ୍ଟ ଟେବୁଲ୍ରେ ଅଷ୍ଟ୍ରେଲିଆ ଦ୍ଵିତୀୟ ସ୍ଥାନକୁ ଖସି ଆସିଛି। ଶ୍ରୀଲଙ୍କା ବିଜୟର ଫାଇଦା ଦକ୍ଷିଣ ଆଫ୍ରିକା ଦଳକୁ ମଧ୍ୟ ମିଳିଛି ଏବଂ ଦଳ ପ୍ରଥମ ସ୍ଥାନକୁ ଉନ୍ନିତ ହୋଇଛିା ତେବେ ଶ୍ରୀଲଙ୍କା ବିଜୟରେ ଭାରତର ଟେନସନ ବଢି ଯାଇଛି।
ଅଷ୍ଟ୍ରେଲିଆ ଦଳ ଚାମ୍ପିଅନଶିପର ଏହି ଦ୍ଵିତୀୟ ସିଜିନରେ ପ୍ରଥମ ଥର ମ୍ୟାଚ୍ ହାରିଛି। ପରାଜୟ ପରେ ଅଷ୍ଟ୍ରେଲିଆର ବିଜୟ ପ୍ରତିଶତ ୭୦.୦୦ ପ୍ରତିଶତକୁ ଖସି ଆସିଥିବା ବେଳେ ଦକ୍ଷିଣ ଆଫ୍ରିକାର ବିଜୟ ପ୍ରତିଶତ ୭୧.୪୩ ପ୍ରତିଶତ ରହିଛି। ଅଷ୍ଟ୍ରେଲିଆଠୁ ବିଜୟର ଫାଇଦା ସବୁଠୁ ଅଧିକ ଶ୍ରୀଲଙ୍କାକୁ ମିଳିଛି। ସିଂହଳୀ ଟିମ୍ ୫୪.୧୭ ପ୍ରତିଶତ ସହ ଅଙ୍କ ତାଲିକାର ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି। ଶ୍ରୀଲଙ୍କାର ବିଜୟରେ ଭାରତର କ୍ଷତି ହୋଇଛି। ଦଳ ବର୍ତ୍ତମାନ ୫୨.୦୮ ପ୍ରତିଶତ ସହିତ ଅଙ୍କ ତାଲିକାର ପଞ୍ଚମ ସ୍ଥାନକୁ ଖସି ଆସିଛି। ଭାରତୀୟ ଦଳ ଏ ପର୍ଯ୍ୟନ୍ତ ୧୨ଟିରୁ ଛଅଟି ମ୍ୟାଚ୍ ଜିତିଛି ଏବଂ ୭୫ ପଏଣ୍ଟ ରହିଛି। ହେଲେ ପଏଣ୍ଟ ଟେବୁଲରେ ବିଜୟ ପ୍ରତିଶତ ସହିତ ରାଙ୍କିଙ୍ଗ ନିର୍ଦ୍ଧାରଣ ହୋଇଥାଏ। ଏଥିପାଇଁ ଏବେ ପାକିସ୍ତାନ ଏବଂ ଶ୍ରୀଲଙ୍କା ପରି ଦଳଠୁ ପଛରେ ରହିଛି ଭାରତ।

ଭାରତର ଏବେ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପର ଦ୍ଵିତୀୟ ସିଜିନରେ ଆଉ ୬ଟି ମୁକାବିଲା ଖେଳିବା ବାକି ରହିଛି। ଦଳକୁ ଫାଇନାଲରେ ପ୍ରବେଶ କରିବାକୁ ହେଲେ ପ୍ରତିଟି ମ୍ୟାଚ୍ ଜିତିବା ଜରୁରୀ ହୋଇ ପଡିଛି। ଭାରତୀୟ ଦଳ ଘରୋଇ ମାଟିରେ ଅଷ୍ଟ୍ରେଲିଆରେ ବିପକ୍ଷରେ ଚାରି ମ୍ୟାଚର ଟେଷ୍ଟ ସିରିଜ୍ ଖେଳିବ ଏବଂ ଅନ୍ୟ ଦୁଇଟି ମ୍ୟାଚ୍ ବାଂଲାଦେଶ ବିପକ୍ଷରେ ତାରି ମାଟିରେ ଖେଳିବ।
