ତେନ୍ଦୁଲକରଙ୍କ ବିଶ୍ୱରେକର୍ଡ଼ ଭାଙ୍ଗିଲେ ଷ୍ଟିଭ ସ୍ମିଥ୍
ନୂଆଦିଲ୍ଲୀ : ଟେଷ୍ଟ କ୍ରିକେଟ୍ରେ ଷ୍ଟିଭ ସ୍ମିଥ୍ ଏକ ପରିଚିତ ନାଁ । ବିଶ୍ୱର ସର୍ବକାଳୀନ ମହାନ୍ କ୍ରିକେଟରଙ୍କ ମଧ୍ୟରେ ସ୍ମିଥ୍ଙ୍କୁ ଗଣାଯାଏ । ଅନେକ କିମ୍ବଦନ୍ତୀ କ୍ରିକେଟରଙ୍କ ରେକର୍ଡ ଭାଙ୍ଗିଛନ୍ତି ଅଷ୍ଟ୍ରେଲିଆର ଟେଷ୍ଟ ଉପଅଧିନାୟକ ଷ୍ଟିଭ ସ୍ମିଥ୍ । ଏବେ ସେ ମହାନ୍ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି । ପ୍ରଥମ ୧୫୦ଟି ଟେଷ୍ଟ ଇନିଂସରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିବାରେ ତେନ୍ଦୁଲକରଙ୍କୁ ଟପିଛନ୍ତି ଏହି କଙ୍ଗାରୁ ଖେଳାଳି ।
ଟେଷ୍ଟରେ ୧୫୦ ଇନିଂସ ପୂରଣ ପାଇଁ ଆହୁରି ୨ଟି ଇନିଂସ ବାକିଥିବା ବେଳେ ତେନ୍ଦୁଲକଙ୍କ ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି ଷ୍ଟିଭ ସ୍ମିଥ୍ । ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ଶେଷ ହୋଇଥିବା ପ୍ରଥମ ଟେଷ୍ଟରେ ୬୧ତମ ୫୦+ ସ୍କୋର କରିଛନ୍ତି ସ୍ମିଥ୍ । ତାଙ୍କର ବ୍ୟାଟିଂ ଆଭରେଜ୍ ମଧ୍ୟ ମହାନ୍ ତାରକାଙ୍କ ତୁଳନାରେ ବେଶ ଅଧିକ ରହିଛି । ୩୨ ବର୍ଷୀୟ କଙ୍ଗାରୁ ତାରକା ଷ୍ଟିଭ୍ ସ୍ମିଥ୍ ଟେଷ୍ଟ କ୍ରିକେଟରେ ୮ହଜାର ସ୍କୋର କ୍ଲବ୍ରେ ସାମିଲ ହୋଇସାରିଛନ୍ତି । ଯେଉଁଥିରେ ୨୭ଟି ଶତକ ଏବଂ ୩୪ଟି ଅର୍ଦ୍ଧଶତକ ମଧ୍ୟ ସାମିଲ ଅଛି । ନିକଟରେ ପାକିସ୍ତାନ ମାଟିରେ ଶେଷ ହୋଇଥିବା ପ୍ରଥମ ଟେଷ୍ଟରେ ୭୮ ରନ୍ର ଇନିଂସ ଖେଳିଥିଲେ ସ୍ମିଥ୍ । ୨୪ ବର୍ଷ ପରେ ପ୍ରଥମ ଥର ପାଇଁ ପାକିସ୍ତାନ ଗସ୍ତ କରିଥିଲା ଅଷ୍ଟ୍ରେଲିଆ ଟିମ୍ । ଅବଶ୍ୟ ପ୍ରଥମ ଟେଷ୍ଟ ଡ୍ର ଭାବେ ଶେଷ ହୋଇଥିଲା । କିନ୍ତୁ ଉଭୟ ଇନିଂସରେ ପ୍ରାଧାନ୍ୟ ବିସ୍ତାର କରିଥିଲା ପାକିସ୍ତାନ । ପ୍ରଥମ ଇନିଂସରେ ଘରୋଇ ଦଳ ୪ୱିକେଟ୍ ହରାଇ ୪୭୬ରନ କରି ପାଳି ସମାପ୍ତି ଘୋଷଣା କରିଥିଲା । ପରେ ପ୍ରଥମ ଇନିଂସରେ ୪୫୯ ରନ କରିବାକୁ ସକ୍ଷମ ହୋଇଥିବା କଙ୍ଗାରୁ ଟିମ୍ । ପରେ ଦ୍ୱିତୀୟ ଇନିଂସରେ କୌଣସି ୱିକେଟ ନହରାଇ ୨୫୨ ରନ କରିଥିଲା ପାକିସ୍ତାନ ଏବଂ ମ୍ୟାଚ୍ ଡ୍ର’ ହୋଇଥିଲା ।
