ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ତେଜ ପ୍ରତାପ ଯାଦବ
ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବଙ୍କ ବାସଭବନ ଠାରେ ଗତ ରବିବାର ସନ୍ଧ୍ୟାରେ ଗଣ୍ଡଗୋଳ ହେବା ସହ ମାରପିଟ୍ ହୋଇଛି। ଘର ଉପରେ ହୋଇଥିବା ଆକ୍ରମଣ ସମୟରେ ପଥର ଫିଙ୍ଗିବା ଭଳି ଘଟଣା ମଧ୍ୟ ଘଟିଛି। ଏହି ଆକ୍ରମଣରେ ଜଡିତ ଅଭିଯୁକ୍ତ ବଳପୂର୍ବକ ତାଙ୍କ ବାସଭବନରେ ପ୍ରବେଶ କରିଥିଲେ।
ଏହି ଘଟଣାରେ ପୋଲିସ ଥାନରେ କରାଯାଇଥିବା ଅଭିଯୋଗ ଅନୁସାରେ ଗୌରବ ଯାଦବ ନାମକ ଜଣେ ବ୍ୟକ୍ତି ତାଙ୍କ ସାଥୀଙ୍କ ସହ ତେଜ ପ୍ରତାପ ଯାଦବଙ୍କ ବାସଭବନରେ ପ୍ରବେଶ କରିଥିଲେ। ସେଠାରେ ହଙ୍ଗାମାରୁ ଆରମ୍ଭ ହୋଇଥିବା କେତେବଳେ ହିଂସାତ୍ମକ ସଂଘର୍ଷରେ ପରିଣତ ହେଲା ତାହା ଜଣାପଡି଼ଲା ନାହିଁ। ଗଣ୍ଡଗୋଳ ସମୟରେ ଯୁବ ଆରଜେଡି ଉପାଧ୍ୟକ୍ଷ ତଥା ତାଙ୍କ ସହଯୋଗୀ ସୃଜନ ସ୍ୱରାଜଙ୍କୁ ମଧ୍ୟ ମାଡ଼ ମରାଯାଇଥିଲା। ଆକ୍ରମଣକାରୀ ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ। ଯେତେବେଳେ ଆକ୍ରମଣକାରୀ ଘଟଣାସ୍ଥଳରୁ ପଳାଇବା ପରେ ସେ ସଚିବାଳୟସ୍ଥିତ ପୋଲିସ ଥାନରେ ପହଞ୍ଚି ଏହି ଘଟଣା ବାବଦରେ ଥାନାରେ ଅଭିଯୋଗ କରିଥିଲେ।
ଗତ ରବିବାର ସନ୍ଧ୍ୟାରେ ରାଜ୍ୟର ହସନପୁର ଆସନର ବିଧାୟକ ଥିବା ତେଜ ପ୍ରତାପ ଯାଦବଙ୍କ ବାସଭବନରେ ୧୦ ଜଣ ଲୋକ ହଠାତ ପ୍ରବେଶ କରି ସେଠାରେ ଅଚାନକ ଆକ୍ରମଣ କରିଥିଲେ। ମାତ୍ର ଆକ୍ରମଣ ସମୟରେ ନିଜ ବାସଭବନରେ ନିଜେ ଉପସ୍ଥିତ ନଥିଲେ ବିଧାୟକ ତେତପ୍ରତାପ। ଅବଶ୍ୟ ଏହି ଘଟଣାକୁ ପୁରୁଣା ବିବାଦ ସହିତ ଯୋଡି ଦେଖାଯାଉଛି। ଆକ୍ରମଣ ଭିଆଇଥିବା ଗୌରବ ଯାଦବଙ୍କୁ କେବେ ତେଜ ପ୍ରତାପ ଯାଦବଙ୍କ ସାଥିରେ ଦେଖିବାକୁ ମିଳୁଥିଲା। ଆକ୍ରମଣର ଶୀକାର ହୋଇଥିବା ଯୁବ ଆରଜେଡି ଉପାଧ୍ୟକ୍ଷ ସୃଜନ ସ୍ୱରାଜ କହିଛନ୍ତି ଯେ ଯେତେବେଳେ ଗୌରବ ଯାଦବ ମଦ୍ୟପାନ କରି ଘର ଭିତରକୁ ପଶିବା ଆରମ୍ଭ କରିଥିଲେ ସେତେବେଳେ ସେ ତାକୁ ମନା କରିଦେଇଥିଲେ। କାରଣ ତାଙ୍କ ସହଯୋଗୀ ତଥା ବିଧାୟକ ତେଜ ପ୍ରତାପ ମଦ୍ୟପାନକୁ ବିରୋଧ କରନ୍ତି ଏବଂ ସେ କୌଣସି ପ୍ରକାର ନିଶା ଦ୍ରବ୍ୟ ସେବନ କରି ଆସିଥିବା ଲୋକକୁ ନିଜ ବାସଭବନରେ ପ୍ରବେଶ କରିବାକୁ ଅନୁମତି ଦେଇନଥାନ୍ତି।
