ଦଳ ଗଢ଼ିବେ କ୍ୟାପ୍ଟେନ, ମେଣ୍ଟ ପାଇଁ ବିଜେପିକୁ ଦେଲେ ସର୍ତ୍ତ
ଚଣ୍ଡିଗଡ : ପଞ୍ଜାବ ରାଜନୀତିରେ ଆରମ୍ଭ ହେବାକୁ ଯାଉଛି ନୂତନ ସମୀକରଣ। ପ୍ରାୟ ଏକ ମାସ ପୂର୍ବେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା କ୍ୟାପଟେନ୍ ଅମରିନ୍ଦର ସିଂହ ରାଜ୍ୟରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ନିଜ ପତ୍ତା ଖୋଲିବା ଆରମ୍ଭ କରିଛନ୍ତି। ନିଜର ପ୍ଲାନ୍ ଉପରୁ ସସପେନ୍ସ ହଟାଇ ଅମରିନ୍ଦର ନୂତନ ପାର୍ଟି ଗଢିବାକୁ ଘୋଷଣା କରିଛନ୍ତି। ଏହା ମଧ୍ୟ ସଙ୍କେତ ଦେଇଛନ୍ତି ଯେ, ପଞ୍ଜାବ ବିଧାନସଭା ନିର୍ବାଚନରେ ବିଜେପି ସହ ସର୍ତ୍ତମୂଳକ ମେଣ୍ଟ କରି ପାରନ୍ତି।
ଅମରିନ୍ଦର ଏହା ମଧ୍ୟ ସଙ୍କେତ ଦେଇଛନ୍ତି ଯେ, ତିନି କୃଷି ଆଇନ ବିରୋଧରେ ଦୀର୍ଘ ସମୟ ଧରି ଜାରି ଆନ୍ଦୋଳନର ସମାଧାନ ଶୀଘ୍ର ହୋଇପାରେ। ତିନି କୃଷି ଆଇନ୍ ପ୍ରସଙ୍ଗରେ ସନ୍ତୋଷଜନକ ସମାଧାନ ମିଳିଲେ ସେ ବିଜେପି ସହ ମେଣ୍ଟ କରି ପାରନ୍ତି। ବିଜେପି ସହ ଆସନ ଭାଗବଣ୍ଟା ମଧ୍ୟ ହୋଇପାରେ। ସେହିପରି ଆସନ୍ତାବର୍ଷ ଆରମ୍ଭରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବିଜେପି ବ୍ୟତୀତ ସେ ଶିରୋମଣି ଅକାଳି ଦଳଠୁ ଅଲଗା ହୋଇଥିବା ଦଳ ଢିଣ୍ଢସା ଏବଂ ବ୍ରହ୍ମପୁରା ଗୋଷ୍ଠୀ ସହ ମେଣ୍ଟ କରିବା ଉପରେ ବିଚାର କରୁଛନ୍ତି। ବିଶେଷ କରି ସମାନ ବିଚାରଧାରା ଦଳ ସହିତ ତାଙ୍କର ମେଣ୍ଟ କରିବାର ସମ୍ଭାବନା ରହିଛି। ଏନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯେ ପର୍ଯ୍ୟନ୍ତ ମୁଁ ନିଜର ଲୋକ ଏବଂ ରାଜ୍ୟର ଭବିଷ୍ୟତ ସୁରକ୍ଷିତ ନ କରିଛି, ସେ ପର୍ଯ୍ୟନ୍ତ ଶାନ୍ତିରେ ବସିବି ନାହିଁ। ପଞ୍ଜାବକୁ ରାଜନୈତିକ ସ୍ଥିରତା ଏବଂ ଆଭ୍ୟନ୍ତରୀଣ ଓ ବାହ୍ୟ ବିପଦରୁ ସୁରକ୍ଷା ଦିଆଯିବାର ଆବଶ୍ୟକତା ରହିଛି। ମୁଁ ନିଜ ଲୋକଙ୍କୁ ପ୍ରତିଶ୍ରୁତି ଦେଉଛି ଯେ, ରାଜ୍ୟର ଶାନ୍ତି ଏବଂ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ମୁଁ ତାହା କରିବି ଯାହା ଆଜି ବାଜିରେ ଲାଗିଛି।
