୧୨୧ ବର୍ଷ ପରେ ରେକର୍ଡ ଭାଙ୍ଗିଲା ତାତି, ମାର୍ଚ୍ଚରେ ସବୁଠୁ ଉତପ୍ତ
ନୂଆଦିଲ୍ଲୀ : ମାର୍ଚ୍ଚ ମାସରେ ଅସ୍ତବ୍ୟସ୍ତ ଜନଜୀବନ । ଭାଙ୍ଗିଲା ପୂର୍ବର ସବୁ ରେକର୍ଡ । ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗର ରିପୋର୍ଟ ଅନୁସାରେ, ୧୯୦୧ ପରେ ଚଳିତ ବର୍ଷର ମାର୍ଚ୍ଚ ମାସ ସବୁଠୁ ଉତପ୍ତ ଥିଲା। ମାର୍ଚ୍ଚ ମାସରେ ସମାନ୍ୟ ତାପମାତ୍ରଠାରୁ ଏହା ୧.୮୬ ଡିଗ୍ରୀ ଅଧିକ ଥିଲା । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି, ଗତ ମାସରେ ସାରା ଦେଶରେ ହାରାହାରି ବର୍ଷା ୭୧ ପ୍ରତିଶତ କମ ହୋଇଛି।
ରିପୋର୍ଟ ଅନୁସାରେ, ଦେଶର ମାର୍ଚ୍ଚରେ ହାରାହାରି ୩୩.୧୦ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ଯାହା ସାଧାରଣ ତାପମାତ୍ରାଠାରୁ ୧.୮୬ ଡିଗ୍ରୀ ଅଧିକ। ଏହି ସମୟରେ ହାରାହାରି ସର୍ବନିମ୍ନ ତାପମାତ୍ରା ୨୦.୨୪ ଡିଗ୍ରୀ ରେକର୍ଡ କରାଯାଇଥିଲା। ଉତ୍ତର-ପଶ୍ଚିମ ଅଞ୍ଚଳରେ ସବୁଠୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଥିଲା, ଯାହା ସଧାରଣଠାରୁ ୩.୯୧ ଡିଗ୍ରୀ ଅଧିକ। ସେହିପରି ମଧ୍ୟ-ଭାରତରେ ମାର୍ଚ୍ଚରେ ୧.୬୨ ଡିଗ୍ରୀ ଅଧିକ ରେକର୍ଡ କରାଯାଇଛି। ଭାରତରେ ମାର୍ଚ୍ଚରେ ହାରାହାରି ୮.୯ ଏମଏମ ବର୍ଷା ହୋଇଛି, ଯାହା ଲଙ୍ଗ ପିରିୟଡ ଆଭେରେଜ (ଏଲପିଏ)ର ୩୦.୪ ଏମଏମଠାରୁ ୭୧ ପ୍ରତିଶତ କମ। ୧୯୦୯ ମସିହାରେ ମାର୍ଚ୍ଚ ମାସରେ ୭.୨ ଏମଏମ ଏବଂ ୧୯୦୮ ମସିହା ମାର୍ଚ୍ଚରେ ୮.୭ ଏମଏମ ବର୍ଷା ହୋଇଥିଲା। ୧୯୦୧ ପରେ ଏହା ତୃତୀୟ ଥର ଯେତେବେଳେ ସବୁଠୁ କମ ବର୍ଷା ରେକର୍ଡ ହୋଇଛି। ପାଣିପାଗ ବିଶେଷଜ୍ଞଙ୍କ ଚେତାବନୀ ଆସନ୍ତା ବର୍ଷ ଗୁଡିକରେ ଗ୍ରୀଷ୍ମ ପ୍ରବାହର ମାତ୍ର ବଢିବ। ଗତ କିଛି ବର୍ଷରେ ଏହିପରି ଦିନ ସଂଖ୍ୟା ବଢିବାରେ ଲାଗିଛି।
