ଟି-୨୦ ବିଶ୍ୱକପ ୨ୟ ସେମି-ଫାଇନାଲ୍ : ପାକିସ୍ତାନ ବିପକ୍ଷରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ଅଷ୍ଟ୍ରେଲିଆ
ଦୁବାଇ : ଟି-୨୦ ବିଶ୍ୱକପର ୨ୟ ସେମି-ଫାଇନାଲରେ ଆଜି ପାକିସ୍ତାନ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଆଜିର ମ୍ୟାଚ ପାଇଁ ଅଷ୍ଟ୍ରେଲିଆ ଦଳରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ସେହିପରି ପାକିସ୍ତାନ ମଧ୍ୟ ନିଜ ଦଳରେ କୌଣସି ପରିବର୍ତ୍ତନ କରିନାହିଁ । ଚଳିତ ବିଶ୍ବକପରେ ପାକିସ୍ତାନ ଦଳ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ ହାରିନାହିଁ । ସବୁ ବିଭାଗରେ ଉନ୍ନତ ଖେଳ ପ୍ରଦର୍ଶନ କରୁଥିବାକୁ ପାକିସ୍ତାନକୁ ବିଶ୍ବକପର ଫେଭରିଟ ବୋଲି କୁହାଯାଉଛି । ଅନ୍ୟପକ୍ଷରେ ଏହି ବିଶ୍ବକପରେ ଅଷ୍ଟ୍ରେଲିଆ ଗୋଟିଏ ମ୍ୟାଚରେ (ଇଂଲଣ୍ଡଠାରୁ) ପରାଜିତ ହୋଇଛି । ଅଷ୍ଟ୍ରେଲିଆ ଦଳ ଏବେ ଫର୍ମରେ ନଥିଲେ ବି ଯେକୌଣସି ଓଲଟପାଲଟ କରିବାକୁ ଏହି ଦଳ ସକ୍ଷମ । ଦଳର ବୋଲିଂ ଆକ୍ରମଣ ଏବେ ବି ପାକିସ୍ତାନୀ ବ୍ୟାଟିଂକୁ ଧ୍ବଂସ କରିବାକୁ ସକ୍ଷମ । ମାତ୍ର ଅଷ୍ଟ୍ରେଲିଆ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ହେବ ବାବର ଆଜମ ଓ ମହମ୍ମଦ ରିଜଓ୍ବାନ ଯୋଡ଼ିକୁ ଆଉଟ କରିବା ।
୫ଥର ଦିନିକିଆ ବିଶ୍ୱକପ୍ ଟାଇଟଲ ଜିତି ସାରିଥିବା ଅଷ୍ଟ୍ରେଲିଆ ଏପର୍ଯ୍ୟନ୍ତ ଟି-୨୦ ବିଶ୍ୱକପ୍ ଚାମ୍ପିଅନ ହୋଇନାହିଁ । ଫଳରେ ମ୍ୟାଚ୍ରେ ଅପରାଜେୟ ପାକିସ୍ତାନ ବିପକ୍ଷରେ ଶ୍ରେଷ୍ଠ ପ୍ରଦର୍ଶନ କରି ଅଷ୍ଟ୍ରେଲିଆ ଫାଇନାଲ୍ରେ ପ୍ରବେଶ କରିବାକୁ ପ୍ରୟାସ କରିବ । ସେହିପରି ପାକିସ୍ତାନ ୨୦୧୦ ଟି-୨୦ ବିଶ୍ୱକପ୍ ସେମି ଫାଇନାଲ୍ ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ । ପାକିସ୍ତାନ ୨୦୦୯ରେ ଟି-୨୦ ବିଶ୍ୱକପ୍ ଜିତିଥିଲା । ଏଥର ବାବର ଆଜମଙ୍କ ନେତୃତ୍ୱରେ ଦଳ ଟାଇଟଲ ଦାବିଦାର ରୂପେ ଉଭା ହୋଇଛି । ଲିଗ୍(ସୁପର-୧୨) ପର୍ଯ୍ୟାୟରେ ସମସ୍ତ ମ୍ୟାଚ୍ ଜିତିବା ପରେ ପାକିସ୍ତାନର ମନୋବଳ ଶିଖର ଛୁଇଁଛି । ଅଷ୍ଟ୍ରେଲିଆକୁ ଏଥର ହରାଇବାର କ୍ଷମତା ପାକିସ୍ତାନ ନିକଟରେ ରହିଛି । ଦଳର ପ୍ରତ୍ୟେକ ଖେଳାଳି ଫର୍ମରେ ରହିଛନ୍ତି । ବିଶେଷ କରି ଦୁଇ ଓପନିଂ ବ୍ୟାଟ୍ସମ୍ୟାନ୍ ବାବର ଓ ମହମ୍ମଦ ରିଜୱାନଙ୍କ ସମେତ ପେସ୍ ବୋଲର ସହିନ ଶାହ ଆଫ୍ରିଦି ଓ ନିମ୍ନ ମଧ୍ୟଭାଗ ବ୍ୟାଟ୍ସମ୍ୟାନ୍ ଅସିଫ ଅଲି ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । ପୂର୍ବ ରେକର୍ଡକୁ ଦେଖିଲେ ଅଷ୍ଟ୍ରେଲିଆର ପଲା ଭାରି ରହିବ । ବିଶ୍ୱକପ୍ରେ ପାକିସ୍ତାନ ଏପର୍ଯ୍ୟନ୍ତ ଅଷ୍ଟ୍ରେଲିଆକୁ ହରାଇ ପାରି ନାହିଁ । ୧୯୮୭ ଦିନିକିଆ ବିଶ୍ୱକପ୍ ସେମି ଫାଇନାଲ୍, ୧୯୯୯ ବିଶ୍ୱକପ୍ ଫାଇନାଲ୍, ୨୦୧୦ ଟି-ଟ୍ୱେଣ୍ଟି ବିଶ୍ୱକପ୍ ସେମି ଫାଇନାଲ୍ ଓ ୨୦୧୫ ଦିନିକିଆ ବିଶ୍ୱକପ୍ କ୍ୱାର୍ଟର ଫାଇନାଲ୍ରେ ଅଷ୍ଟ୍ରେଲିଆଠାରୁ ପାକିସ୍ତାନ ପରାଜିତ ହୋଇଛଉି । ଅଷ୍ଟ୍ରେଲିଆ ଏକ ଅଭିଜ୍ଞ ତଥା ସନ୍ତୁଳିତ ଦଳ ନେଇ ଏଥର ଗ୍ରାଉଣ୍ଡକୁ ଓହ୍ଲାଇଛି । ତଥାପି ଦଳ ଆଧିପତ୍ୟ ଜାହିର କରିବାରେ ବିଫଳ ହୋଇଛି । କୌଣସି ବ୍ୟାଟ୍ସମ୍ୟାନ୍ ଏପର୍ଯ୍ୟନ୍ତ ନିୟମିତ ଭାବେ ଉନ୍ନତ ପ୍ରଦର୍ଶନ କରିନାହାନ୍ତି। ଦଳର ବୋଲିଂ ବିଭାଗ ସୁଦୃଢ ରହିଛି । ୟୁଏଇରେ ପାକିସ୍ତାର ପ୍ରଦର୍ଶନ ସର୍ବଦା ଉନ୍ନତ ରହି ଆସିଛି । ୨୦୧୫ରେ ପାକସ୍ତାନ ଶେଷ ଥର ପାଇଁ ୟୁଏଇରେ ଏକ ଟି-୨୦ ପରାଜିତ ହୋଇଥିଲା । ଏହାପରେ ଦଳ କ୍ରମାନ୍ୱୟରେ ୧୬ଟି ଟି-ଟ୍ୱେଣ୍ଟି ଜିତିଛି । ଆଜି ସହିନ ଆଫ୍ରିଦିଙ୍କ ଉପରେ ନଜର ରହିବ । ନୂଆ ବଲ୍ରେ ତାଙ୍କ ସୁଇଂ ବୋଲିଂ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନଙ୍କ ପାଇଁ ଚିନ୍ତାର କାରଣ ହେବା ନିଶ୍ଚିତ। ଭାରତ ବିପକ୍ଷରେ ଆଫ୍ରିଦିଙ୍କ ବୋଲିଂକୁ ହୁଏତ କ୍ରିକେଟ୍ ପ୍ରେମୀ ଦୀର୍ଘ ଦିନ ପର୍ଯ୍ୟନ୍ତ ମନେ ରଖିବେ ।
ଅଷ୍ଟ୍ରେଲିଆ: ଆରୋନ୍ ଫିଞ୍ଚ୍ (କ୍ୟାପଟେନ୍), ଡେଭିଡ୍ ୱାର୍ଣ୍ଣର୍, ମିଚେଲ୍ ମାର୍ଶ, ଷ୍ଟିଭ୍ ସ୍ମିଥ୍, ଗ୍ଲେନ୍ ମ୍ୟାକ୍ସୱେଲ୍, ମାର୍କସ୍ ଷ୍ଟୋଇନିସ୍, ମାଥ୍ୟୁ ୱେଡ୍ (ୱିକେଟ୍ କିପର), ପ୍ୟାଟ୍ କମିନ୍ସ, ମିଚେଲ୍ ଷ୍ଟାର୍କ, ଆଡାମ ଜାମ୍ପା, ଜୋଶ ହେଜଲଉଡ୍।
ପାକିସ୍ତାନ: ବାବର ଆଜମ (କ୍ୟାପଟେନ୍), ମହମ୍ମଦ ରିଜୱାନ, ଫକର ଜମାନ୍, ମହମ୍ମଦ ହଫିଜ୍, ଶୋଏବ ମଲିକ୍, ଆସିଫ ଅଲୀ, ଶଦାବ ଖାନ୍, ଇମାନ ୱାସିମ୍, ହାସନ୍ ଅଲୀ, ହାରିସ୍ ରୌଫ, ଶାହୀନ ଆଫ୍ରିଦି।
