ଟି-୨୦ ରାଙ୍କିଙ୍ଗରେ ଖସିଲେ ବିରାଟ, ଉଠିଲେ ରାହୁଲ
- ଟପ୍-୧୦ରେ ନାହାନ୍ତି ଭାରତୀୟ ବୋଲର
ନୂଆଦିଲ୍ଲୀ : ଟି-୨୦ ବିଶ୍ୱକପ୍ର ସୁପର ୧୨ ରାଉଣ୍ଡ ଶେଷ ହୋଇଥିବା ବେଳେ ସେମିଫାଇନାଲ୍ ପୂର୍ବରୁ ଆଇସିସି ରାଙ୍କିଙ୍ଗ ଜାରି କରିଛି । ଏଥିରେ ଭାରତୀୟ ଅଧିନାୟକ ବିରାଟ କୋହଲି ୪ଟି ସ୍ଥାନ ଖସିଆସିଛନ୍ତି । ଏହା ସହ ଜବରଦସ୍ତ ବ୍ୟାଟିଂ ପାଇଁ କେଏଲ୍ ରାହୁଲଙ୍କୁ ବିରାଟ ଉପହାର ମିଳିଛି । ସେ ୩ଟି ସ୍ଥାନ ଉପରକୁ ଉଠି ପଂଚମ ସ୍ଥ।।ନ ଅଧିକାର କରିଛନ୍ତି । ୟୁଏଇ ଏବଂ ଓମାନ୍ରେ ଜାରି ଟି-୨୦ ବିଶ୍ୱକପ୍ରେ ସୁପର ୧୨ ଷ୍ଟେଜ୍ରେ ହିଁ ଟିମ୍ ଇଣ୍ଡିଆର ଯାତ୍ରା ସାମପ୍ତ ହୋଇସାରିଛି । ଏହା ପୂର୍ବରୁ ଭାରତୀୟ ଟିମ୍ ଖେଳିଥିବା ୫ଟି ମ୍ୟାଚ୍ରେ ସର୍ବାଧିକ ୧୯୪ ରନ୍ କେଏଲ ରାହୁଲ ହିଁ କରିଥିଲେ । ବିରାଟ କୋହଲି ୬୮ ରନ୍ କରିଥିଲେ । ବିରାଟ କମ୍ ରନ୍ କରିବାର କାରଣ ସେ କିଛି ମ୍ୟାଚ୍ ବ୍ୟାଟିଂ ପାଇଁ ଆସିନଥିଲେ । ତାଙ୍କୁ କେବଳ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବାକୁ ମଉକା ମିଳିଥିଲା । ଏଥିରେ ସେ ପାକିସ୍ତାନ ବିପକ୍ଷରେ ୫୭ ରନ୍ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ୯ ରନ୍ କରିଥିଲେ । ଏହା ବ୍ୟତୀତ ସ୍କଟଲାଣ୍ଡ ବିପକ୍ଷରେ ୨ ରନ୍ କରି ଅପରାଜିତ ଥିଲେ । ଆଇସିସି ପକ୍ଷରୁ ଜାରି ରାଙ୍କିଙ୍ଗ ଅନୁସାରେ ପାକିସ୍ତାନର ବାବର ଆଜମ ପୂର୍ବ ଭଳି ଏଥର ମଧ୍ୟ ନମ୍ବର ୱାନ୍ରେ ଅଛନ୍ତି । ଏଥିରେ ଦକ୍ଷିଣ ଆଫ୍ରିକାର ଏଡେନ୍ ମାର୍କରମ୍ ୩ଟି ସ୍ଥାନ ଉପରକୁ ଉଠି ତୃତୀୟ ସ୍ଥାନରେ ପହଂଚିଛନ୍ତି । ବୋଲିଂ କଥା କହିବାକୁ ଗଲେ, ପୁଣି ଥରେ ବାନିନ୍ଦୁ ହସରଙ୍ଗା ପ୍ରଥମ ସ୍ଥାନରେ ଅଛନ୍ତି । ଅଷ୍ଟ୍ରେଲିଆର ଆଜମ ଜାମ୍ପା ଏବଂ ଜୋସ୍ ହେଜଲଉଡ୍ ଲମ୍ବା ଜମ୍ପ ମାରିଛନ୍ତି । ଜାମ୍ପା ପଂଚମ ସ୍ଥାନ ଅକ୍ତିଆର କରିଥିବା ବେଳେ ହେଜଲଉଡ୍ ୧୧ଟି ସ୍ଥାନ ଉଠି ଅଷ୍ଟମ ସ୍ଥାନରେ ପହଂଚିଛନ୍ତି । ଟପ୍ ୧୦ ବୋଲରଙ୍କ ଲିଷ୍ଟରେ ଜଣେ ହେଲେ ଭାରତୀୟ ଖେଳାଳି ସ୍ଥାନ ପାଇନାହାନ୍ତି । ସବୁଠୁ ଅଧିକ କଙ୍ଗାରୁ ଦଳର ୩ ଖେଳାଳି ଟପ୍ ୧୦ରେ ସ୍ଥାନ ଅକ୍ତିଆର କରିଛନ୍ତି ।
ତେବେ ଟିମ ଇଣ୍ଡିଆର ନୂଆ ଉପ ଅଧିନାୟକ କେଏଲ ରାହୁଲ ରାଙ୍କିଙ୍ଗରେ ଉପରକୁ ଉଠିଛନ୍ତି । ସେ ୩ଟି ସ୍ଥାନ ଉପରକୁ ଉଠି ୫ମ ସ୍ଥାନରେ ପହଂଚି ଯାଇଛନ୍ତି । ରାହୁଲ ଚଳିତ ବିଶ୍ୱକପରେ ଭାରତର ଶେଷ ୩ ମ୍ୟାଚ୍ରେ ୩ଟି ଅର୍ଦ୍ଧଶତକ ହାସଲ କରିଥିଲେ । ଫଳରେ ତାଙ୍କୁ ବ୍ୟାଟସମ୍ୟାନ ରାଙ୍କିଙ୍ଗରେ ଫାଇଦା ମିଳିଛି । ବିରାଟ କେବଳ ପାକିସ୍ତାନ ବିପକ୍ଷ ମ୍ୟାଚ୍କୁ ଛାଡ଼ି ଦେଲେ ଆଖି ଦୃଶିଆ ପ୍ରଦର୍ଶନ କରି ନାହାନ୍ତି । ତେଣୁ ତାଙ୍କ ରାଙ୍କିଙ୍ଗ ନିମ୍ନଗାମୀ ହୋଇଛି । ଆଇସିସି ପକ୍ଷରୁ ଜାରି ଟି-୨୦ ବ୍ୟାଟସମ୍ୟାନ ରାଙ୍କିଙ୍ଗର ଶ୍ରେଷ୍ଠ ୧୦ ବ୍ୟାଟସମ୍ୟାନଙ୍କ ମଧ୍ୟରେ କେବଳ ରାହୁଲ ଓ ବିରାଟ ରହିଛନ୍ତି । ପୂର୍ବଭଳି ପାକିସ୍ତାନର ବାବର ଆଜମ ଶୀର୍ଷ ସ୍ଥାନ ଅକ୍ତିଆର କରିଛନ୍ତି । ଚଳିତ ବିଶ୍ୱକପରେ ସେ ନିଜର ଜଲୱା ଦେଖାଇବା ପାକିସ୍ତାନକୁ ସେମି ଫାଇନାଲରେ ପ୍ରବେଶ କରାଇଛନ୍ତି । ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକାର ଏଡେନ ମାର୍କମଙ୍କ ରାଙ୍କିଙ୍ଗରେ ଉନ୍ନତି ଆସିଛି । ସେ ୩ଟି ସ୍ଥାନ ଉପରକୁ ଉଠି ତାଲିକାର ୩ନଂ ସ୍ଥାନ ଦଖଲ କରିଛନ୍ତି । ତାଙ୍କ ଟିମ୍ମେଟ ଭାନ ଡେର ଡୁସେନ ମଧ୍ୟ ଟପ୍ ୧୦ରେ ପ୍ରବେଶ କରିଛନ୍ତି । ସେ ଇଂଲଣ୍ଡ ବିପକ୍ଷ ଶେଷ ଟି-୨୦ ମ୍ୟାଚ୍ରେ ଅପରାଜିତ ୯୪ ରନ୍ର ଇନିଂସ ଖେଳିଥିଲେ । ଏହାପରେ ସେ ୬ଟି ସ୍ଥାନ ଉପରକୁ ଉଠି ୧୦ମ ସ୍ଥାନରେ ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରାଙ୍କିଙ୍ଗର ୨ୟ ସ୍ଥାନରେ ଡାୱିଡ ମଲାନ, ୪ର୍ଥରେ ଆରୋନ ଫିଂଚ, ୬ଷ୍ଠରେ ମହମ୍ମଦ ରିଜୱାନ, ୭ରେ ଡେଭିଡ କନୱେ ଓ ୯ମରେ ଜୋଶ ବଟଲର ରହିଛନ୍ତି ।
