ଟି-୨୦ ଫର୍ମାଟ ନିର୍ଦ୍ଦୟ : ତେନ୍ଦୁଲକର
ନୂଆଦିଲ୍ଲୀ : ଟି-୨୦ ଫର୍ମାଟକୁ କ୍ରୁର ବା ନିର୍ଦ୍ଦୟ ବୋଲି କହିଲେ ମୁମ୍ବାଇ ଇଣ୍ଡିଆନ୍ସର ମେଣ୍ଟର୍ ସଚିନ ତେନ୍ଦୁଲକର । ଏଥିରେ ଛୋଟଛୋଟ ଭୁଲ ପରିଣାମ ବଦଳାଇଦିଏ ବୋଲି କହିଛନ୍ତି । ଆହୁରି ମଧ୍ୟ ଦଳକୁ ନିର୍ଣ୍ଣାୟକ ସମୟରେ ଭଲ ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଛନ୍ତି ।
ସୂଚନା ଯେ, ଆଇପିଏଲରେ ୫ ଥର ଚାମ୍ପିଅନ ମୁମ୍ବାଇର ଚଳିତ ବର୍ଷ ଲଜ୍ଜାଜନକ ପ୍ରଦର୍ଶନ ଜାରି ରହିଛି । ଦଳ ଗୋଟିଏ ହେଲେ ମ୍ୟାଚ୍ ଜିତି ନାହିଁ । କ୍ରମାଗତ ୭ଟି ମ୍ୟାଚ୍ ହାରିଲାଣି ଟିମ୍ । ରୋହିତ ଶର୍ମାଙ୍କ ନେତୃତ୍ୱରେ ମୁମ୍ବାଇ ଖେଳିଥିବା ସମସ୍ତ ୭ଟି ମ୍ୟାଚ୍ ହାରିଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସଚିନ । ସେ କହିଛନ୍ତି ଯେ, ମୁମ୍ବାଇ ଯେପରି ଅନୁଭବ କରୁଛି ଆଗରୁ ସବୁ ଦଳ ଏପରି ସମୟ ଦେଇ ଗତି କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ନିର୍ଦ୍ଦୟ ହୋଇପାରେ । ମ୍ୟାଚର ଗୁରୁତ୍ୱପୂର୍ଣ୍ଣ ସମୟ ଅନେକ ମହତ ରଖେ । ଗୋଟିଏ ଭୁଲ ମ୍ୟାଚର ଫଳାଫଳ ବଦଳାଇଦିଏ । ଅନେକ ଥର ଟିମ୍ ୨ରୁ ୩ ରନରେ ପରାସ୍ତ ହୁଏ । ଖେଳ ଶେଷ ବଲ ଯାଏଁ ଯାଇଥାଏ । ସେହିପରି ଛୋଟଛୋଟ କଥା ଉପରେ ଧ୍ୟାନ ଦେବା ଜରୁରୀ । ଛୋଟ ଭୁଲ ସୁଧାରିଲେ ନିର୍ଣ୍ଣାୟକ ସମୟରେ ମ୍ୟାଚ୍ ଜିତି ହେବ । ଯୁବ ଖେଳାଳିଙ୍କୁ ଅଳ୍ପ ସମୟ ଲାଗିବ । ତେବେ ମୁମ୍ବାଇ ଖେଳାଳି ଖୁବ୍ ପରିଶ୍ରମ କରୁଥିବା ସେ କହିଛନ୍ତି ।
