ଆଇପିଏଲ ଢାଞ୍ଚାରେ ହେବ ଟି-୨୦ କ୍ରିକେଟ୍ ଲିଗ୍, ଦକ୍ଷିଣ ଆଫ୍ରିକାରେ ଖେଳାଯିବ ମ୍ୟାଚ : ସିଏସଏ
ନୂଆଦିଲ୍ଲୀ : ଆଇପିଏଲ ଢାଞ୍ଚାରେ ହେବ ଟି-୨୦ କ୍ରିକେଟ୍ ଲିଗ୍। ଦକ୍ଷିଣ ଆଫ୍ରିକାରେ ଖେଳାଯିବ ମ୍ୟାଚ । କ୍ରିକେଟ୍ ସାଉଥ ଆଫ୍ରିକା(ସିଏସଏ) ଶୁକ୍ରବାର ବ୍ରଡକାଷ୍ଟର ସୁପରସ୍ପୋର୍ଟ୍ସ ସହ ମିଶି ଏକ ନୂତନ ଘରୋଇ ଟି-୨୦ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଘୋଷଣା କରିଛି। ଏହି ଟୁର୍ଣ୍ଣାମେଣ୍ଟ୍ର ପ୍ରଥମ ସଂସ୍କରଣ ୨୦୨୩ ଜାନୁଆରୀରେ ଖେଳାଯିବ ବୋଲି ଆଶା କରାଯାଉଛି। ପରବର୍ତ୍ତୀ ସମୟରେ ଠିକ୍ ସେହି ସମୟରେ ଲିଗର ଆଗାମୀ ସଂସ୍କରଣ ଆୟୋଜନ କରାଯିବ ବୋଲି ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ କହିଛି। ଦକ୍ଷିଣ ଆଫ୍ରିକାରେ ଅଦ୍ୟାବଧି ମଞ୍ଜାସି ସୁପର ଲିଗ୍ ଖେଳାଯାଉଛି।
ସିଏସଏର ସିଇଓ ଫୋଲେସ୍ତି ମୋସେକି କହିଛନ୍ତି, ଆମେ ଏହି ନୂତନ ଟୁର୍ଣ୍ଣାମେଣ୍ଟକୁ ନେଇ ଉତ୍ସାହିତ। ଏଥିରେ ଫ୍ରାଞ୍ଚାଇଜିରେ ଘରୋଇ ନିବେଶ କରିବାର ସୁଯୋଗ ମିଳିବ। ଏନେଇ ସିଏସଏ ଏ ପର୍ଯ୍ୟନ୍ତ ଅନେକ ସ୍ଥାନୀୟ ଏବଂ ବିଦେଶୀ ନିବେଶକଙ୍କ ସହିତ ଆଲୋଚନା କରିଛି, ଯେଉଁମାନେ ଏଥିରେ ଅର୍ଥ ନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ସଂପ୍ରତି କେବଳ କ୍ରିକେଟ୍ ଦକ୍ଷିଣ ଆଫ୍ରିକା ପାଖରେ ହିଁ କୌଣସି ବିଶ୍ଵସ୍ତରୀୟ ଟି-୨୦ ଲିଗ୍ ନଥିଲା। ଛଅ ଘରୋଇ ଫ୍ରାଞ୍ଚାଇଜି ଟିମ୍କୁ ନେଇ ଟି-୨୦ ଲିଗ୍ ଖେଳାଯିବ। ରାଉଣ୍ଡ ରବିନ ହିସାବରେ ପ୍ରତ୍ୟେକ ଦଳ ପରସ୍ପର ସହ ଦୁଇ ଦୁଇଟି ଲେଖାଏଁ ମ୍ୟାଚ୍ ଖେଳିବେ। ଏହା ପରେ ଶୀର୍ଷରେ ଥିବା ତିନି ଟିମ୍ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରିବେ। ଟୁର୍ଣ୍ଣାମେଣ୍ଟରେ ମୋଟା ଅଙ୍କର ପୁରସ୍କାର ରାଶି ରଖାଯିବ। ଫଳରେ ଏଥିରେ ଖେଳିବାକୁ ସ୍ଥାନୀୟ ଏବଂ ବିଶ୍ଵ କ୍ରିକେଟର ବଡ ବଡ ଖେଳାଳି ଆଗ୍ରହ ପ୍ରକାଶ କରିବେ। ସୁପରସ୍ପୋର୍ଟ୍ସର ସିଇଓ ମାର୍କ ଜ୍ୟୁରୀ କହିଛନ୍ତି, ଏହି ଟୁର୍ଣ୍ଣାମେଣ୍ଟ ସାଉଥ ଆଫ୍ରିକା କ୍ରିକେଟର ଚେହେରାକୁ ବଦଳାଇଦେବ। ଏଥିରେ ଆମେ ନିବେଶ କରିବା ପାଇଁ ବହୁତ ଉତ୍ସାହିତ ଅଛୁ। କ୍ରିକେଟ୍ ସୂଚୀରେ ବର୍ଷ ଆରମ୍ଭରେ ଫାଙ୍କା ସମୟ ରହିଥାଏ। ଏହି ସମୟରେ ହିଁ ଆମେ ଟି-୨୦ ଲିଗ୍ ଆୟୋଜନ କରିବୁ। ଏହି ଟୁର୍ଣ୍ଣାମେଣ୍ଟରେ ଅଧିକ ଟଙ୍କା ନିବେଶ ହେବ, ଯେଉଁଥିରେ ଦେଶର କ୍ରିକେଟରେ ବିକାଶ କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ମିଳିବ ବୋଲି କ୍ରିକେଟ୍ ସାଉଥ ଆଫ୍ରିକା ଆଶା ରଖିଛି।
ସୂଚନା ଯେ, ଭାରତରେ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ), ପାକିସ୍ତାନରେ ପାକିସ୍ତାନ ସୁପର ଲିଗ(ପିଏସଏଲ), ବାଂଲାଦେଶ ପ୍ରିମିୟର ଲିଗ୍(ବିପିଏଲ), ଶ୍ରୀଲଙ୍କା ପ୍ରିମିୟର ଲିଗ୍(ଏଲପିଏଲ), ଅଷ୍ଟ୍ରେଲିଆ ବିଗ୍ ବାସ ଏବଂ ଓ୍ଵେଷ୍ଟଇଣ୍ଡିଜରେ କାରବିଆନ ପ୍ରିମିୟର ଲିଗ୍ ଖେଳାଯାଉଛି। ଏବେ ଏଥିରେ ସାମିଲ୍ ହୋଇ ଯାଇଛି ଦକ୍ଷିଣ ଆଫ୍ରିକାର ନାମ।
