ଟି-୨୦ ବିଶ୍ଵ କପ୍ : ବଦଳିଲା ସେମି ଫାଇନାଲ୍ ଏବଂ ଫାଇନାଲ୍ର ନିୟମ
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ପକ୍ଷରୁ ଚଳିତ ଟି-୨୦ ବିଶ୍ଵ କପ୍-୨୦୨୨ ପାଇଁ ନିୟମରେ ବଡ ପରିବର୍ତ୍ତନ କରାଯାଇଛି । ସେମି ଫାଇନାଲ୍ ଏବଂ ଫାଇନାଲ୍ ମ୍ୟାଚ୍ ବର୍ଷା କିମ୍ବା ଅନ୍ୟ କୌଣସି କାରଣରୁ ମ୍ୟାଚ୍ ବାଧାପ୍ରାପ୍ତ ହୁଏ ତେବେ ଡକ୍ ଓ୍ଵର୍ଥ ଲୁଇସ୍ ନିୟମ ତେବେ ଲାଗୁ ହେବ ଯେବେ ଦୁଇ ଦଳ ସର୍ବନିମ୍ନ ୧୦-୧୦ ଓଭର ଖେଳି ସାରିଥିବେ। ସୂଚନାଯୋଗ୍ୟ, ଅନ୍ତର୍ଜାତୀୟ ଟି-୨୦ରେ ବର୍ଷା ଯୋଗୁଁ ଖେଳ ବାଧାପ୍ରାପ୍ତ ହେଲେ ସର୍ବନିମ୍ନ ୫-୫ ଓଭର ଖେଳ ପରେ ହିଁ ଡକ୍ ଓ୍ଵର୍ଥ ଲୁଇସ୍ ନିୟମ ଆଧାରରେ ମ୍ୟାଚ୍ର ଫଳାଫଳ ଘୋଷଣା କରାଯାଏ।
ଟି-୨୦ ବିଶ୍ଵ କପ୍ରେ ଏଥର ସେମି ଫାଇନାଲ୍ ଏବଂ ଫାଇନାଲ୍ ମ୍ୟାଚ୍ ପାଇଁ ରିଜର୍ଭ ଡେ ରଖାଯାଇଛି। ଯଦି ବର୍ଷା କାରଣରୁ ସେମି ଫାଇନାଲ୍ କିମ୍ବା ଫାଇନାଲ୍ ମ୍ୟାଚ୍ରେ ଦୁଇ ଦଳ ସର୍ବନିମ୍ନ ୧୦-୧୦ ଓଭର ଖେଳିନଥିବେ ତେବେ ସେହି ସ୍ଥିତିରେ ରିଜର୍ଭ ଡେର ସାହାରା ନିଆଯିବ। ଏଥିସହ ସେମି ଫାଇନାଲ୍ ମୁକାବିଲାରେ ଯଦି ବର୍ଷା କାରଣରୁ ଫଳାଫଳ ନବାହାରେ ତେବେ ଗ୍ରୁପ ପର୍ଯ୍ୟାୟରେ ଶୀର୍ଷରେ ଥିବା ଦଳ ଫାଇନାଲ୍ରେ ପହଞ୍ଚିବ।
ଯଦି ଫାଇନାଲ୍ ମ୍ୟାଚ୍ ବର୍ଷାରେ ଧୋଇ ହୋଇଯାଏ ତେବେ ଦୁଇ ଦଳକୁ ଯୁଗ୍ମ ବିଜେତା ଘୋଷଣା କରାଯିବ। ୨୦୦୨ର ଚାମ୍ପିଅନ୍ସ ଟ୍ରଫିରେ ଭାରତ ଏବଂ ଶ୍ରୀଲଙ୍କା ଯୁଗ୍ମ ବିଜେତା ରହିଥିଲେ। ଟି-୨୦ ବିଶ୍ଵ କପ୍ ୨୦୨୨ର ପ୍ରଥମ ସେମି ଫାଇନାଲ୍ ମ୍ୟାଚ୍ ସିଡନୀରେ ନଭେମ୍ବର ୯ ତାରିଖରେ ଖେଳାଯିବ। ଦ୍ଵିତୀୟ ସେମି ଫାଇନାଲ୍ ନଭେମ୍ବର ୧୦ରେ ଆଡିଲେଡ୍ରେ ଖେଳାଯିବ। ଫାଇନାଲ୍ ମ୍ୟାଚ୍ ନଭେମ୍ବର ୧୩ରେ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ।
