ଟି-୨୦ ବିଶ୍ଵ କପ୍ : ପ୍ରଥମ ଦଳ ଭାବେ ସେମି ଫାଇନାଲ୍ରେ ନ୍ୟୁଜିଲାଣ୍ଡ !
ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ଵ କପ୍ରେ ପ୍ରଥମ ଦଳ ଭାବେ ସେମି ଫାଇନାଲ୍ରେ ପ୍ରବେଶ କରିଛି ନ୍ୟୁଜିଲାଣ୍ଡ । ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍ରେ ଆୟରଲାଣ୍ଡଙ୍କୁ ୩୫ ରନରେ ହରାଇଛି କିଓ୍ଵି ଦଳ। ଏଥିସହ ପ୍ରଥମ ଦଳ ଭାବେ ଚଳିତ ଟି-୨୦ ବିଶ୍ଵ କପ୍ରେ ସେମି ଫାଇନାଲ୍ରେ ପ୍ରବେଶ କରିଛି। ଏବେ ବି ଗ୍ରୁପ ୧ରେ ଦୁଇଟି ମ୍ୟାଚ୍ର ଫଳାଫଳ ଆସିବା ବାକି ରହିଛି। ଏହା ପରେ ହିଁ ଗ୍ରୁପ ୧ରୁ ଦୁଇ ସେମି ଫାଇନାଲ୍ ଦଳର ନାମ ସ୍ପଷ୍ଟ ହୋଇ ପାରିବ।
ଆୟରଲାଣ୍ଡକୁ ହରାଇବା ପରେ ନ୍ୟୁଜିଲାଣ୍ଡ ସାତ ପଏଣ୍ଟ ସହ ଗ୍ରୁପରେ ଶୀର୍ଷ ସ୍ଥାନରେ ରହିଛି। ଦଳର ନେଟ୍ ରନ ରେଟ୍ ମଧ୍ୟ ଯଥେଷ୍ଟ ଉନ୍ନତ ରହିଛି। ସଭିଙ୍କ ନଜର ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଦଳ ଉପରେ ରହିଛି। ଯଦି ଦୁଇ ଦଳ ଚତ୍ମକାର କରି ଭଲ୍ ରନ୍ ରେଟ୍ରେ ମ୍ୟାଚ୍ ଜିତନ୍ତି ତେବେ ନ୍ୟୁଜିଲାଣ୍ଡକୁ ସେମି ଫାଇନାଲ୍ ଦୌଡରୁ ବାହାର କରି ପାରିବେ। ଯଦି ଅଷ୍ଟ୍ରେଲିଆ ନିଜର ଶେଷ ମୁକାବିଲାରେ ୧୮୫ ରନ ବ୍ୟବଧାନରେ ମ୍ୟାଚ୍ ଜିତେ ଏବଂ ଇଂଲଣ୍ଡ ଶ୍ରୀଲଙ୍କାକୁ ୧୨୮ ରନରେ ପରାସ୍ତ କରେ ତେବେ ଯାଇ ନ୍ୟୁଜିଲାଣ୍ଡ ବିଶ୍ଵ କପ୍ରୁ ବାଦ୍ ପଡିବ। କିନ୍ତୁ ଏହାର ସମ୍ଭାବନା ବହୁତ କ୍ଷୀଣ ରହିଛି। କାରଣ ଅଷ୍ଟ୍ରେଲିଆ ଆଫଗାନିସ୍ତାନକୁ ୧୮୫ ରନରେ ହରାଇ ପାରିବ ନାହିଁ।
ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା। ଦୁଇ ଓପନର ଫିନ ଆଲେନ(୩୨) ଏବଂ ଡେଭନ କନଓ୍ଵେ(୨୮) ଦଳକୁ ଦୃଢ ଆରମ୍ଭ ଦେଇଥିଲେ। ଏହା ପରେ ଅଧିନାୟକ କେନ ଓ୍ଵିଲିୟମସନ ତିନି ନମ୍ବରରେ ବ୍ୟାଟିଂ କରି ୩୫ ବଲ୍ରୁ ୬୧ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ଡାରେଲ ମିଚେଲ୍ ୨୧ ବଲ୍ରୁ ୩୧ ରନ କରିଥିଲେ। ଏହି ପରି ନ୍ୟୁଜିଲାଣ୍ଡ ୬ ଓ୍ଵିକେଟ୍ ହରାଇ ୧୮୫ ରନ କରିଥିଲା। ୧୮୬ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଆୟରଲାଣ୍ଡର ଆରମ୍ଭ ନୈରାଶ୍ୟଜନକ ରହିଥିଲା। ପଲ୍ ଷ୍ଟର୍ଲିଂ ୨୭ ବଲ୍ରୁ ୩୭ ରନର ଇନିଂସ ଖେଳିଥିବା ବେଳେ ଓପନର ତଥା ଆଣ୍ଡ୍ର୍ୟୁ ବାଲବିରନି ୨୫ ବଲ୍ରେ ୩୦ ରନ କରିଛନ୍ତି। ଦଳର ଅନ୍ୟ କୌଣସି ବ୍ୟାଟସମ୍ୟାନ କ୍ରିଜରେ ଅଧିକ ସମୟ ତିଷ୍ଠି ପାରିନଥିଲେ। ଏହି ପରି ଆୟରଲାଣ୍ଡ ୯ ଓ୍ଵିକେଟ୍ ହରାଇ ୧୫୦ ରନ କରି ପାରିଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ଲୋକି ଫର୍ଗ୍ୟୁସନ ସର୍ବାଧିକ ୩ଟି ଓ୍ଵିକେଟ୍ ହାସଲ କରିଥିଲେ।
