ଟି-୨୦ ବିଶ୍ୱକପ : ଏବେବି ସେମିଫାଇନାଲ ଖେଳିପାରିବ ପାକିସ୍ତାନ, ଜଣାନ୍ତୁ କେମିତି
ନୂଆଦିଲ୍ଲୀ: ଏବେ ବି ସେମିଫାଇନାଲ ଖେଳିପାରିବ ପାକିସ୍ତାନ। କିନ୍ତୁ କେମିତି? ଏହା ସବୁଠାରୁ ବଡ ପ୍ରଶ୍ନ ହୋଇ କ୍ରିକେଟପ୍ରେମୀଙ୍କ ମନରେ ଉଠିଛି। ଅକ୍ଟୋବର ୨୭ରେ ପାକିସ୍ତାନକୁ ଜିମ୍ବାୱେ ମାତ୍ର ଗୋଟିଏ ରନରେ ହାରାଇଛି। ଏହା ପରେ ପାକିସ୍ତାନ, ଟି-୨୦ ବିଶ୍ୱକପ ସୁପର ୧୨, ଗ୍ରୁପ ୨ର ୫ ନମ୍ବର ସ୍ଥାନକୁ ଖସି ଯାଇଛି। ତଥାପି ସେ ନେଦରଲାଣ୍ଡ ଉପରେ ରହିଛି। ଡଚ୍ ଦଳ ତୁଳନାରେ ପାକିସ୍ତାନର ଭଲ ନେଟ୍ ରନ୍ ହାର ରହିଛି, କିନ୍ତୁ ସେମାନେ ସେମିଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିବେ କି?
ପାକିସ୍ତାନ ପ୍ରଥମେ ଭାରତ ଠାରୁ ପରାସ୍ତ ହେଲା। ତାପରେ ଦ୍ୱିତୀୟ ମ୍ୟାଚରେ ତାକୁ ଜିମ୍ବାୱେ ଠାରୁ ଲଜ୍ଜାଜନକ ହାରର ସମ୍ମୁଖୀନ ହେବାକୁ ପଡିଲା। କିନ୍ତୁ ଏବେ ମଧ୍ୟ ପାକିସ୍ତାନ ପାଖରେ ସେମି ଯୋଗ୍ୟତା ହାସଲ କରିବାର ସମ୍ଭାବନା ଅଛି। ତେବେ ଏଥିପାଇଁ ପାକିସ୍ତାନକୁ ସେମାନଙ୍କ ଅବଶିଷ୍ଟ ଖେଳକୁ ସୁନ୍ଦର ମାର୍ଜିନରେ ଜିତିବା ଆବଶ୍ୟକତା ରହିଛି। ପାକିସ୍ତାନ ଆଗାମୀ ସୁପର ୧୨ ମୁକାବିଲାରେ ନେଦରଲାଣ୍ଡକୁ ଭେଟିବ। ପରବର୍ତ୍ତୀ ସମୟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବାର ସୁଯୋଗ ପାଇବ ଏବଂ ଶେଷରେ ବାଂଲାଦେଶ ସହ ମୁହାଁମୁହିଁ ହେବ। ତେଣୁ, ସେଆଗାମୀ ତିନୋଟି ମ୍ୟାଚ ଜିତିଲେ ୬ ପଏଣ୍ଟ ପାଇ ଟେବୁଲର ଉପରକୁ ଉଠିବ।
ଯଦି ପାକିସ୍ତାନ ତାର ପରବର୍ତ୍ତୀ ତିନୋଟି ମ୍ୟାଚ ଜିତେ, ତେବେ ଭାରତ କିମ୍ବା ଦକ୍ଷିଣ ଆଫ୍ରିକାର ନିକଟତର ହେବ। ନେଟ ରନ୍ ହାରରେ ଉନ୍ନତି ଆଣିବା ପାଇଁ ପାକିସ୍ତାନ ଦଳ ବଡ଼ ମାର୍ଜିନରେ ବାକି ମ୍ୟାଚଗୁଡିକ ଜିତିବାକୁ ଚେଷ୍ଟା କରିବ। ଏହି ଟୁର୍ନାମେଣ୍ଟରେ ପାକିସ୍ତାନର ଭବିଷ୍ୟତ ମୁଖ୍ୟତଃ ସେମାନଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ଦକ୍ଷିଣ ଆଫ୍ରିକା କିପରି ଅବଶିଷ୍ଟ ମ୍ୟାଚ୍ ଖେଳିବେ ତାହା ଉପରେ ନିର୍ଭର କରେ। ବାବର ଆଜାମ ନେତୃତ୍ୱାଧୀନ ଦଳ ପାଇଁ ସମସ୍ୟା ହେଉଛି ଯେ, ସେମାନେ କେବଳ ସେମାନଙ୍କର ଅବଶିଷ୍ଟ ସମସ୍ତ ମ୍ୟାଚ୍ ଜିତିବା ଯେତିକି ଜରୁରୀ, ତାଠାରୁ ଅଧିକ ଆବଶ୍ୟକ ହେଉଛି ନେଟ୍ ରନ୍ ହାର।
ଗୁରୁବାର ଟି-୨୦ ବିଶ୍ୱକପ ୨୦୨୨ରେ ଆଉ ଏକ ବଡ଼ ଉଲଟଫେର୍ ଦେଖିବାକୁ ମିଳିଥିଲା। ବିଶ୍ୱକପର ୨୪ତମ ମ୍ୟାଚରେ ଜିମ୍ବାୱେ ସମସ୍ତଙ୍କ ହୃଦୟ ସ୍ପନ୍ଦନ ବଢ଼ାଇଦେଇଥିବା ମ୍ୟାଚରେ ପାକିସ୍ତାନକୁ ୧ ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ଏହି ମ୍ୟାଚରେ ୧୩୦ ରନ୍ ସଂଗ୍ରହ କରିଥିଲା। ଏହି ଲକ୍ଷ୍ୟକୁ ପିଛା କରି ପାକିସ୍ତାନ ଦଳ ୧୨୯ କରିବାରେ ସକ୍ଷମ ହୋଇଥିଲା। ଫଳରେ ଜିମ୍ୱାୱେ ଏହି ମ୍ୟାଚକୁ ୧ ରନରେ ଜିତି ନେଇଛି। ଏହି ପରାଜୟ ସହ ପାକିସ୍ତାନ ଦଳର ସେମିଫାଇନାଲର ବାଟ ଆହୁରି କଠିନ ହୋଇଯାଇଛି। ସେପଟେ ଏହି ପରାଜୟ ପରେ ପାକିସ୍ତାନର ଅଧିନାୟକ ବାବର ଆଜମ ବହୁତ ନିରାଶ ହୋଇଛନ୍ତି।
୧୩୦ ରନର ଲକ୍ଷ୍ୟ ପିଛା କରିବା ପାଇଁ ମୈଦାନକୁ ଓହ୍ଲାଇଥିବା ପାକିସ୍ତାନ ଦଳର ପ୍ରଦର୍ଶନ ଆରମ୍ଭରୁ ଭଲ ନଥିଲା। ପାକିସ୍ତାନ ପାୱାରପ୍ଲେରେ ବାବର ଆଜମ ଓ ମହମ୍ମଦ ରିଜୱାନଙ୍କ ୱିକେଟ୍ ହରାଇଥିଲା। ଅଷ୍ଟମ ଓଭରରେ ଦଳକୁ ୩୬ ରନର ସ୍କୋରରେ ତୃତୀୟ ଝଟକା ମଧ୍ୟ ଲାଗିଥିଲା। ଏହା ପରେ ଚତୁର୍ଥ ୱିକେଟ୍ ପାଇଁ ଶାଦବ ଖାନ (୧୭) ଓ ଶାନ ମାସୁଦ (୪୪) ଙ୍କ ମଧ୍ୟରେ ୫୨ ରନର ପାର୍ଟନରସିପ୍ ହୋଇଥିଲା। କିନ୍ତୁ ସିକନ୍ଦର ରଜା ୨ ଓଭରରେ ଶାଦବ ଖାନ ଓ ମାସୁଦଙ୍କୁ ଆଉଟ କରି ଜିମ୍ବାୱେକୁ ମ୍ୟାଚରେ ଫେରାଇ ଆଣିଥିଲେ। ବାବର ଆଜମ କହିଛନ୍ତି, “ଆମ ଦଳର ପ୍ରଦର୍ଶନ ଅତ୍ୟନ୍ତ ଖରାପ ଥିଲା। ବ୍ୟାଟିଂରେ ଆମର ଆଶା ଅନୁଯାୟୀ ଆମେ ପ୍ରଦର୍ଶନ କରିପାରିଲୁ ନାହିଁ।”
