ଟି-୨୦ ବିଶ୍ୱକପ୍ : ପ୍ରଥମ ମ୍ୟାଚ୍ରେ ଶ୍ରୀଲଙ୍କାକୁ ୫୫ ରନ୍ରେ ହରାଇଲା ନାମ୍ବିଆ
ପର୍ଥ : ଆରମ୍ଭ ହେଲା ଟି-୨୦ ବିଶ୍ୱକପ୍ । ଆରମ୍ଭରୁ ହିଁ ବଡ଼ ବିପର୍ଯ୍ୟୟ ଘଟିଛି । ପ୍ରଥମ ମ୍ୟାଚ୍ରେ ଆଶ୍ଚର୍ଯ୍ୟକର ଖେଳ ପ୍ରଦର୍ଶନ । ଏସିଆ କପ୍ ଚାମ୍ପିଅନ୍ ଶ୍ରୀଲଙ୍କାକୁ ୫୫ ରନ୍ରେ ପରାସ୍ତ କଲା ନାମ୍ବିଆ । ପ୍ରଥମେ ବ୍ୟାଟିଂ ଓ ପରେ ବୋଲିଂରେ କମାଲ କରିଥିଲା ନାମିବ୍ୟା । ନାମିବ୍ୟା ପ୍ରଦତ୍ତ ୧୬୪ ରନ୍ ଲକ୍ଷ୍ୟ ଜବାବରେ ଶ୍ରୀଲଙ୍କା ଦଳ ୧୯ ଓଭରରେ ୧୦୮ ରନରେ ଅଲ୍ଆଉଟ୍ ହୋଇଯାଇଥିଲା। ପ୍ରଥମେ ୨୮ ବଲରେ ଧୂଆଁଧାର ୪୪ ରନ୍ ଓ ପରେ ୨୬ ରନ୍ ଦେଇ ୨ ୱିକେଟ୍ ନେଇଥିବା ଫ୍ରାଇଲିଙ୍କ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।
ବିଶ୍ୱକପ୍ର ପ୍ରଥମ ମ୍ୟାଚ୍ରେ ଶ୍ରୀଲଙ୍କା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ ନାମ୍ବିଆର ଓପନର । ହେଲେ ଶ୍ରୀଲଙ୍କାର ବୋଲିଂ ଆଗରେ ଅଧିକ ସମୟ ତିଷ୍ଠି ପାରିନଥିଲେ ନାମ୍ବିଆ ବ୍ୟାଟସମ୍ୟାନ୍ । ଇଂନିସର ୨ୟ ଓଭରରେ ହିଁ ଲାଗିଥିଲା ଟିମ୍କୁ ପ୍ରଥମ ଝଟ୍କା । ପରେ ପରେ ଲଗାତର ଭାବେ ପଡିଯାଇଥିଲା ୱିକେଟ୍ । ତେବେ ମଧ୍ୟକ୍ରମରେ ଆସିଥିବା ଜାନ୍ ଫ୍ରାଏଲିଙ୍କଙ୍କ ଧୁଆଁଧାର ଇଂନିସ ବଦଳରେ ନାମ୍ବିଆ ଭଲ ସ୍କୋର କରିପାରିନଥିଲା । ଦଳ ପକ୍ଷରୁ ସେ ୨୮ଟି ବଲ୍ରେ ୪ଟି ଚେଚ୍ଚକା ସହ ୪୪ ରନ୍ ସଂଗ୍ରହ କରିଥିଲେ । ତାଙ୍କ ପରେ ଅଧିନାୟକ ଏରାମୁସ ୨୦ ରନ୍, ବାର୍ଡ ୨୬ରନ୍, ଲୋଫିଟି ଏଟୋନ ୨୦ ରନ୍, ସ୍ମିତ ୩୧ରନ୍ କରିଥିଲେ । ଯାହାଫଳରେ ଦଳ ୨୦ ଓଭରରେ ମୋଟ ୧୬୩ ରନ୍ ସଂଗ୍ରହ କରିଥିଲେ ।
ସେପଟେ ନାମ୍ବିଆ ପକ୍ଷରୁ ଦିଆଯାଇଥିବା ୧୬୪ ରନ୍ର ବିଜୟ ଲକ୍ଷ୍ୟକୁ ନେଇ ପଡିଆକୁ ଓହ୍ଲାଇଥିଲେ ଶ୍ରୀଲଙ୍କା ଓପନର । କିନ୍ତୁ ଶ୍ରୀଲଙ୍କା ଓପନର ମଧ୍ୟ ନାମ୍ବିଆ ବୋଲର ଆଗରେ ଧରାଶାୟୀ ହୋଇପଡିଥିଲେ । ଲଗାତର ଭାବେ ପଡିଯାଇଥିଲା ୱିକେଟ୍ । ଶ୍ରୀଲଙ୍କାର ୪ଜଣ ବ୍ୟାଟସମ୍ୟାନ୍ଙ୍କୁ ଛାଡି ଆଉ କୌଣସି ବ୍ୟାଟସମ୍ୟାନ୍ ବି ଦୁଇ ଅଙ୍କ ସ୍କୋର କରିପାରିନଥିଲା । ଶେଷରେ ମୋଟ ୧୯ ଓଭରରେ ଶ୍ରୀଲଙ୍କା ୧୦୮ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ନାମ୍ବିଆ ପକ୍ଷରୁ ଡେଭିଡ୍ ୱାଇସ୍, ବେରନାର୍ଡ, ସିକାଙ୍ଗୋ, ଜାନ୍ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।
