ଟି-୨୦ ବିଶ୍ୱକପ : ଇଂଲଣ୍ଡକୁ ୫ ରନରେ ହରାଇଲା ଆୟର୍ଲାଣ୍ଡ
ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ୱକପରେ ବୁଧବାର ଆଉ ଏକ ବିପର୍ଯ୍ୟୟ ଘଟିଛି । ଆୟର୍ଲାଣ୍ଡ ୨୦୧୦ ଚାମ୍ପିୟନ୍ ଇଂଲଣ୍ଡକୁ ହରାଇ ଦେଇଛି | ଆୟର୍ଲାଣ୍ଡ ଡକୱର୍ଥ-ଲୁଇସ୍ ନିୟମ ଅନୁଯାୟୀ ଇଂଲଣ୍ଡକୁ ୫ ରନରେ ହରାଇଛି । ୧୧ ବର୍ଷ ପରେ ପୁଣିଥରେ କୌଣସି ବିଶ୍ୱକପରେ ଇଂଲଣ୍ଡକୁ ହରାଇଛି ଆୟର୍ଲ୍ୟାଣ୍ଡ। ୨୦୧୧ ଦିନିକିଆ ବିଶ୍ୱକପର ଗୋଟିଏ ମ୍ୟାଚ୍ ବେଙ୍ଗାଲୁରୁରେ ଖେଳା ଯାଉଥିବା ବେଳେ ଆୟର୍ଲ୍ୟାଣ୍ଡ ସମସ୍ତଙ୍କୁ ଚକିତ କରି ଇଂଲଣ୍ଡକୁ ୩ ୱିକେଟରେ ହରାଇଥିଲା। ଏବେ ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ୱକପର ସୁପର ୧୨ରେ ଏହାର ପୁନରାବୃତ୍ତି ଘଟିଛି। ଶକ୍ତିଶାଳୀ ଇଂଲଣ୍ଡକୁ ହରାଇ ଆୟର୍ଲ୍ୟାଣ୍ଡ ଇତିହାସ ରଚିଛି। ଅବଶ୍ୟ ଆୟର୍ଲ୍ୟାଣ୍ଡ ବିଜୟରେ ବର୍ଷା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ବର୍ଷା ଯୋଗୁ ଆୟର୍ଲ୍ୟାଣ୍ଡ ଡିଏଲଏସ୍ ମେଥଡରେ ମ୍ୟାଚକୁ ଜିତି ସୁପର ୧୨ରେ ପ୍ରଥମ ବିଜୟ ହାସଲ କରିଛି। ସୁପର ୧୨ରେ ଏହା ଆୟର୍ଲ୍ୟାଣ୍ଡର ପ୍ରଥମ ବିଜୟ। ଏହାପୂର୍ବରୁ ଦଳ ଶ୍ରୀଲଙ୍କା ଠାରୁ ପ୍ରଥମ ମ୍ୟାଚ୍ରେ ପରାସ୍ତ ହୋଇଥିଲା। ସେହିପରି ଇଂଲଣ୍ଡ ପ୍ରଥମ ମ୍ୟାଚ୍ରେ ଆଫଗାନିସ୍ତାନ ଠାରୁ ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ହାରିଛି।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଆୟର୍ଲାଣ୍ଡ ୧୯.୨ ଓଭରରେ ୧୫୭ ରନ୍ କରି ଅଲ୍ଆଉଟ୍ ହୋଇଥିଲା । ଦଳ ପକ୍ଷରୁ ଅଧିନାୟକ ଆଣ୍ଡି ବଲବର୍ଣ୍ଣି ୬୨ ଓ ଲକ୍ରାନ ଟକର୍ ୩୪ ରନ୍ କରିଥିଲେ । ଆୟର୍ଲ୍ୟାଣ୍ଡ ଅଧିନାୟକ ଆଣ୍ଡ୍ର୍ୟୁ ବାଲବିରନିଙ୍କ ୪୭ ବଲରେ ୬୨ ଓ ଲୋରକାନ ଟକରଙ୍କ ୨୭ ବଲରେ ୩୪ ରନ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ୱିକେଟ ହରାଇ ୧୫୭ ରନ କରିଥିଲା। ଇଂଲଣ୍ଡ ପକ୍ଷରୁ ଲିଭଙ୍ଗଷ୍ଟୋନ ଓ ମାର୍କ ଉଡ ୩ଟି ଲେଖାଏ ୱିକେଟ ନେଇଥିବା ବେଳେ ସାମ କୁରାନ ୨ଟି ଓ ବେନ ଷ୍ଟୋକ୍ସ ଗୋଟିଏ ସଫଳତା ପାଇଛନ୍ତି। ଦମଦାର ଅର୍ଦ୍ଧଶତକ ହାସଲ କରିଥିବା ଆୟର୍ଲ୍ୟାଣ୍ଡ ଅଧିନାୟକ ଆଣ୍ଡ୍ର୍ୟୁଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ମିଳିଛି।
ଆୟର୍ଲ୍ୟାଣ୍ଡ ଦେଇଥିବା ୧୫୮ ରନର ଟାର୍ଗେଟକୁ ପିଛା କରୁଥିବା ଇଂଲଣ୍ଡ ବ୍ୟାଟିଂ ବିପର୍ଯ୍ୟୟରେ ସମ୍ମୁଖୀନ ହୋଇଥିଲା। ଅଧିନାୟକ ଜୋଶ ବଟଲର ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରିଥିଲେ। ଆଲେକ୍ସ ହେଲ୍ସ ମଧ୍ୟ କେବଳ ୭ ରନ କରିଥିଲେ। ବେନ ଷ୍ଟୋକ୍ସ ୬ ବି ସମସ୍ତଙ୍କୁ ନିରାଶ କରିଥିଲେ। ୫.୧ ଓଭରରେ ଇଂଲଣ୍ଡ ୩ ୱିକେଟ ହରାଇ ମାତ୍ର ୨୯ ରନ କରିଥିଲା। ଏହି ସମୟରେ ଡାୱିଡ ମଲାନ ୩୭ ବଲରେ ୩୫ ଓ ହ୍ୟାରୀ ବ୍ରୁକ ୨୧ ବଲରେ ୧୮ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ହେଲେ ୬୭ ରନ ବେଳେ ବ୍ରୁକ ଓ ୮୬ ରନ ବେଳେ ମଲାନ ଆଉଟ ହୋଇଯାଇଥିଲେ। ୧୩.୧ ଓଭରରେ ଇଂଲଣ୍ଡ ୮୬ ରନରେ ୫ ୱିକେଟ ହରାଇ ଅଡ଼ୁଆରେ ପଡ଼ିଥିଲା। ତେବେ ମୋଇନ ଅଲୀ କ୍ରିଜକୁ ଆସିବା ପରେ ରନ ସଂଗ୍ରହ ହାର ବଢ଼ାଇଥିଲେ। ସେ ୧୨ ବଲରେ ୨୪ ଓ ଲିଆମ ଲିଭିଙ୍ଗଷ୍ଟୋନ ୨ ବଲରେ ୧ ରନ କରିଥିବା ବେଳେ ବର୍ଷା ହୋଇଥିଲା। ଏହି ସମୟରେ ଇଂଲଣ୍ଡ ୧୪.୩ ଓଭରରେ ୫ ୱିକେଟ ହରାଇ ୧୦୫ ରନ କରିଥିଲେ। ହଠାତ୍ ବର୍ଷା ହେବାରୁ ଖେଳ ଆଉ ସମ୍ଭବ ହୋଇ ପାରି ନଥିଲା। ଡିଏଲଏସ୍ ମେଥଡ ଅନୁଯାୟୀ, ଇଂଲଣ୍ଡକୁ ୧୧୧ ରନର ଆବଶ୍ୟକ ଥିବା ବେଳେ ଦଳ କେବଳ ୧୦୫ ରନ କରିଥିଲା। କ୍ରିଜ୍ରେ ଅଲୀ ଓ ଲିଭିଙ୍ଗଷ୍ଟୋନ ଥିବାରୁ ବାକି ରନ ଇଂଲଣ୍ଡ ସହଜରେ ହାସଲ କରି ନେବେ ବୋଲି ଆଶା କରାଯାଉଥିଲା। କିନ୍ତୁ ବର୍ଷା ଇଂଲଣ୍ଡ ବାଟରେ କଣ୍ଟା ସାଜିଥିଲା। ବର୍ଷା ଲାଗି ରହିବାରୁ ଡିଏଲଏସ୍ ମେଥଡକୁ ଲାଗୁ କରାଯାଇଥିଲା। ଇଂଲଣ୍ଡ ଧାର୍ଯ୍ୟ ଟାର୍ଗେଟରୁ ୫ ରନ ପଛରେ ଥିବାରୁ ଆୟର୍ଲ୍ୟାଣ୍ଡକୁ ବିଜୟୀ ଘୋଷଣା କରାଯାଇଥିଲା। ଆୟର୍ଲ୍ୟାଣ୍ଡ ପକ୍ଷରୁ ଜୋଶ ଲିଟଲ ୨ଟି ୱିକେଟ ନେଇଥିବା ବେଳେ ବ୍ୟାରୀ ମ୍ୟାକକ୍ରାଥୀ, ଫିଓନ୍ନ ହ୍ୟାଣ୍ଡ ଓ ଜର୍ଜ ଡୋକରେଲ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।
