ସୟଦ ମୋଦି ଇଂଟରନ୍ୟାସନାଲ ୨୦୨୨: ଟାଇଟେଲ ଜିତିଲେ ସିନ୍ଧୁ
ଲକ୍ଷ୍ନୌ : ଭାରତୀୟ ଷ୍ଟାର ସର୍ଟଲର ପିଭି ସିନ୍ଧୁଙ୍କ ପାଇଁ ଶୁଭ ସାବ୍ୟସ୍ତ ହୋଇଛି ସୁପର ସଣ୍ଡେ । ସୟଦ ମୋଦି ଇଂଟରନ୍ୟାସନାଲ ୨୦୨୨ ଟୁର୍ଣ୍ଣାମେଂଟର ମହିଳା ସିଙ୍ଗଲ୍ସ ଟାଇଟେଲ ଜିତିଛନ୍ତି ସିନ୍ଧୁ । ଲକ୍ଷ୍ନୌର ବାବୁ ବନାରସି ଇନଡୋର୍ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମୁକାବିଲାରେ ନିଜର ପ୍ରତିନ୍ଦ୍ୱନ୍ଦ୍ୱୀ ମାଳବିକା ବଂଶଦଙ୍କୁ ୨୧-୧୩, ୨୧-୧୬ ସିଧାସଳଖ ସେଟ୍ରେ ପରାଜିତ କରି ଚମ୍ପିଆନ ହୋଇଛନ୍ତି ସିନ୍ଧୁ । ଏହି ଫାଇନାଲ ମୁକାବିଲା ୩୫ ମିନିଟ ଧରି ଖେଳାଯାଇଥିଲା ।
ଆକ୍ରମଣାତ୍ମକ ରଣନୀତି ଆପଣାଇ ପ୍ରଥମ ସେଟ୍କୁ ୨୧-୧୩ରେ ସହଜରେ ଜିତିନେଇଥିଲେ । ଦ୍ୱିତୀୟ ସେଟ୍ରେ ମାଳବିକା କମବ୍ୟାକ୍ କରିବାକୁ ସମସ୍ତ ପ୍ରୟାସ କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ପରେ ସିନ୍ଧୁ ଦୃଢ ଆତ୍ମବିଶ୍ୱାସର ସହିତ ଦ୍ୱିତୀୟ ସେଟ୍କୁ ମଧ୍ୟ ନିଜ ନାମରେ କରିଥିଲେ । ୨୦୧୯ ବିଶ୍ୱ ଚମ୍ପିଆନସିପ୍ ବିଜୟ ପରେ ଏହା ସିନ୍ଧୁଙ୍କର ପ୍ରଥମ ଟାଇଟେଲ ବିଜୟ । ଏଥିସହ ୨ ବର୍ଷ ୪ ମାସ ୨୯ ଦିନ ପରେ ପ୍ରଥମ ଟାଇଟେଲ ବିଜୟ । ପୂର୍ବରୁ ସୟଦ ମୋଦି ଇଂଟରନ୍ୟାସନାଲ ୨୦୨୨ର ପୁରୁଷ ସିଙ୍ଗଲ୍ସ ଫାଇନାଲ ମୁକାବିଲା ଖେଳାଯାଇପାରିନାହିଁ । ବିଶ୍ୱ ବ୍ୟାଡ୍ମିଂଟନ ମହାସଂଘ (ବିଡବ୍ଲୁଏଫ) ରବିବାର ‘ନୋ ମ୍ୟାଚ୍’ ବୋଲି ଘୋଷଣା କରିଛି । ପୁରୁଷ ସିଙ୍ଗଲ୍ସ ଫାଇନାଲ ମ୍ୟାଚ୍ ଅର୍ନଉଦ ମେରକଲ ଓ ଲୁକାସ କ୍ଳାଏରବଟଙ୍କ ମଧ୍ୟରେ ଖେଳାଯିବା ନେଇ ସୂଚୀ ରହିଥିଲା । ଜଣେ ଫାଇନାଲିଷ୍ଟଙ୍କ କୋଭିଡ-୧୯ ପଜିଟିଭ ଚିହ୍ନଟ ହେବାପରେ ବିଡବ୍ଲୁଏଫ ଏହି ନିଷ୍ପତି ନେଇଛି ।
