ଶାଗ ଚାଷ କରି ସ୍ବାବଲମ୍ବୀ ପୁରନ
ନବରଙ୍ଗପୁର : କୋଷାଗୁମୁଡା ବ୍ଲକର ମଦେଗାଁ ପଞ୍ଚାୟତ ଅନ୍ତର୍ଗତ ନାୟକଗୁଡାର ପୁରନ ମାଳୀ ଜଣେ ନାମମାତ୍ର ଚାଷୀ। ସେ ନବରଂଗପୁର ଦୈନିକ ବଜାରରେ ପ୍ରତିଦିନ ଆସି ନିଜର ଶାଗ ପସରା ମେଲାଇ ବସନ୍ତି। ନିଜର ୨୦ ସେଣ୍ଟ ଜମିରେ ବର୍ଷର ବାର ମାସ ଖଟିଥାନ୍ତି ଓ ମାଟିକୁ ଉର୍ବର କରି ବିଭିନ୍ନ ପ୍ରକାରର ଶାଗ ପନିପରିବା ଚାଷ କରନ୍ତି। କେବଳ ୨୦ ସେଣ୍ଟ ଜମିକୁ ନେଇଁ ଖରା,ବର୍ଷା ଓ ଶୀତ ଦିନରେ ଭିନ୍ନ ଭିନ୍ନ ଚାଷ କରି ନିଜ ପେଟପାଟଣା କରିଥାନ୍ତି। ମାଳୀ ପରିବାରର ବୃତ୍ତିଗତ ଅଭ୍ୟାସ ପୂର୍ବ ପୂରୁଷରୁ ଚାଷ ପ୍ରତି ଧ୍ୟାନ ଦେଇ ଆସୁଛନ୍ତି। ପୁରନ ପାଖରେ ନା’ ଅଛି ଜମି ଆଉ ନା’ ଅଛି ଆଧୁନିକ ପ୍ରଣାଳୀର ଚାଷ ପ୍ରଣାଳୀ। ଭାଇ ଭାଗରେ ୨୦ ସେଣ୍ଟ ଜମି ଉପରେ ଆଜିକାଲି ଶୀତ ଦୁଇ ମାସରେ ପାଳଙ୍ଗ,ଲାଲ ଭାଜି,ଧନିଆ ପତ୍ର,ମେଥି ଶାଗ,ବଇତାଳୁ ଶାଗ କରି ଦୈନିକ ଏକ ହଜାରରୁ ବାର ଶହ ପର୍ଯ୍ୟନ୍ତ ବିକ୍ରି କରନ୍ତି ବୋଲି ପୁରନ କୁହନ୍ତି। ଏହା ପରେ ସେ ଖରା ମାସ ଆରମ୍ଭରୁ ଜମିରେ ହଳ କରି ମରିଚ,ବାଇଗଣ,ବିନ୍ସ ଚାଷ ଆରମ୍ଭ କରିବେ। ଅଳ୍ପ ଜମିରେ ଧାନ ନ କରି କେବଳ ପନିପରିବା ହିଁ ଚାଷ କରନ୍ତି। ପାଣିର ଅଭାବ ନ ହେବା ପାଇଁ ଜମିରେ ଏକ ଛୋଟିଆ କୂଅ କଡି ପାଣି ଯୋଗଇ ଚାଷ କରନ୍ତି। ପରିବାର କହିଲେ ନିଜ ସ୍ତ୍ରୀକୁ ନେଇଁ ଦୁଇ ପ୍ରାଣୀ। ପ୍ରତିଦିନ ଦୁଇ ଜଣ ମିଶି ଜମିକୁ ଉପୁଜାଉ କରି ପନିପରିବା ଚାଷ କରନ୍ତି। ଏହା ସେମାନଙ୍କୁ ସ୍ବାବଲମ୍ବୀ ହେବାର ରାସ୍ତା ଦେଖିଇ ପାରିଛି। ପୁରନର ବ୍ୟବହାରରେ ମଧ୍ଯ ଲୋକେ ଯାଇ ତାଙ୍କ ପାଖରୁ ଶାଗ କିଣନ୍ତି। ପ୍ରତିଦିନ ସଅଳ ଆସି ବଜାରରେ ଆସି ଦୁଇ ଚାରି ଘଣ୍ଟା ବସି ଶାଗ ବିକ୍ରି କରିସାରି ଘରକୁ ଫେରନ୍ତି ପୁରନ। ଏହା ତାଙ୍କୁ ଶାରୀରିକ ଫୂର୍ତ୍ତି ମିଳିବା ସହ ମାନସିକ ଶାନ୍ତି ମିଳୁଥିବା କହିଛନ୍ତି। ଆଜିକାଲି ଚିଷ ପ୍ରତି ସରକାର,ପ୍ରଶାସନର ଆଭିମୂଖ୍ୟ ବଢିବାକୁ ଲାଗିଲାଣି। ବୃହତ ଚାଷୀଙ୍କୁ ଅନେକ ସବସିଡି ଆକାରରେ ଯନ୍ତ୍ରପାତି ଯୋଗାଇ ଲୋନ ବ୍ୟବସ୍ଥା ମଧ୍ୟ କରୁଛନ୍ତି। ହେଲେ କ୍ଷୁଦ୍ର ନାମମାତ୍ର ଚାଷୀଙ୍କୁ କୌଣସି ସୁବିଧା ଦିଆଯାଇ ପାରୁ ନାହିଁ। ନବରଂଗପୁର ଜିଲ୍ଲାରେ ୮୦ ପ୍ରତିଶତରୁ ଅଧିକ ଚାଷୀ ଥିବା ବେଳେ ସେଥିରୁ ନାମମାତ୍ର ଚାଷୀ ଗଣତିରେ ଆସିପାରୁ ନାହାଁନ୍ତି। ଏଣୁ ସରକାରଙ୍କ କାଳିଆ ଭଳି ଯୋଜନାରେ ସେମାନେ ଅନ୍ତର୍ଭୁକ୍ତ ହୋଇ ପାରୁ ନାହାନ୍ତି। ପୁରନ ଭଳି ଅନେକ ଚାଷୀ ମଦେଗାଁ ତଥା ଆଖପାଖ ଗାଁରେ ରହି ନାମମାତ୍ର ଚାଷୀ ଭାବେ ଜୀବିକା ନିର୍ବାହ କରୁଛନ୍ତି।
