ଜେଲରେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ
ଆଠମଲ୍ଲିକ : ପୁଣି ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ । ଆଠମଲ୍ଲିକ ଜେଲରେ ଥିବା ଜଣେ ବିଚାରାଧୀନ କଏଦୀଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ସୁମନ ଦେହୁରୀ (୨୬) । ମୃତ୍ୟୁର କାରଣ କିଛି ଜଣା ପଡିନଥିଲେ ହେଁ ଏନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୁସ୍ଥ ଥିବା କଏଦୀ ଜଣକର କିପରି ମୃତ୍ୟୁ ହେଲା ଏବଂ ସେତେବେଳେ ଡ଼ିଉଟିରେ ଥିବା କର୍ମଚାରୀମାନେ କିପରି ଜାଣିପାରିଲେ ନାହିଁ ସେନେଇ ମଧ୍ୟ ସନ୍ଦେହ ଉପୁଜିଛି ।
ସୂଚନା ଯେ, ସୁମନ ବିବାହିତ ଥିବାବେଳେ କିଛି ମାସ ପୂର୍ବେ ସ୍ତ୍ରୀକୁ ହତ୍ୟା କରିଥିବା ଘଟଣାରେ ୩୦୨ ଦଫାରେ ଆଠମଲ୍ଲିକ ଜେଲକୁ ଆସିଥିଲେ । ରବିବାର ସେ ଅପରାହ୍ନ ସମୟରେ ଜେଲ ଭିତରେ ବୁଲାବୁଲି କରୁଥିବାର କିଛି କର୍ମଚାରୀ ଦେଖିଥିଲେ । ସେହିପରି ଜେଲ କର୍ତୃପକ୍ଷଙ୍କ କହିବାନୁସାରେ, ଅପରାହ୍ନ ୪ଟା ୩୦ ସମୟରେ ଜେଲ ଭିତରେ ବେହୋସ ପଡିଥିବାର ଦେଖି ତାକୁ ମେଡିକାଲକୁ ନିଆଯାଇଥିଲା। ମାତ୍ର ମେଡିକାଲରେ ଭର୍ତ୍ତି କଲାବେଳକୁ ତାଙ୍କର ମୃତ୍ୟୁ ହେଇଯାଇଥିଲା ।
