ଆସାମ କଂଗ୍ରେସକୁ ଝଟକା, ଇସ୍ତଫା ଦେଲେ ସୁସ୍ମିତା ଦେବ
ନୂଆଦିଲ୍ଲୀ : ଆସାମ କଂଗ୍ରେସକୁ ବଡଧରଣର ଝଟକା । ଅଲ ଇଣ୍ଡିଆ ମହିଳା କଂଗ୍ରେସର ସଭାପତି ସୁସ୍ମିତା ଦେବ କଂଗ୍ରେସ ସହ ଦୀର୍ଘ ତିନି ଦଶନ୍ଧିର ସମ୍ପର୍କ ଛିନ୍ନ କରିଛନ୍ତି । ଏପରିକି ସେ ଅଖିଳ ଭାରତ ମହିଳା କଂଗ୍ରେସର ପ୍ରାଥମିକ ସଦସ୍ୟା ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ପ୍ରଥମେ ସେ ଦଳର ହ୍ୱାଟସ୍ ଆପ୍ ଗ୍ରୁପ୍ ଛାଡିଥିଲେ । ଏହା ପରେ ସେ ବର୍ତ୍ତମାନ ନିଜକୁ ଟ୍ୱିଟରର ବାୟୋରେ ଜଣେ ପୂର୍ବତନ କଂଗ୍ରେସ ନେତା ବୋଲି ବର୍ଣ୍ଣନା କରିଛନ୍ତି । ଏନେଇ ସେ ଦଳର ସଭାପତି ସୋନିଆ ଗାନ୍ଧୀଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି । ଜାତୀୟ କଂଗ୍ରେସ ସହିତ ତାଙ୍କର ତିନି ଦଶନ୍ଧିର ସମ୍ପର୍କ ସ୍ମରଣୀୟ ହୋଇ ରହିବ ବୋଲି ସେ କହିଛନ୍ତି। ତାଙ୍କର ଏହି ଦୀର୍ଘ ଯାତ୍ରା ପାଇଁ ସେ ଦଳ, ଏହାର ସମସ୍ତ ନେତୃବୃନ୍ଦ, ସଦସ୍ୟ ଓ କର୍ମମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ସେ ନିଜ ଇସ୍ତଫାର କିଛି କାରଣ ଦର୍ଶାଇ ନାହାନ୍ତି। ତେବେ ଦୀର୍ଘ ଦିନ ଧରି ସେ ପାର୍ଟି ଉପରେ ଅସନ୍ତୋଷ ଥିବାର ଜଣାପଡିଛି ।
ଆସାମ ବିଧାନସଭା ନିର୍ବାଚନ ସମୟରେ ମଧ୍ୟ ତାଙ୍କ ଅସନ୍ତୋଷର ଖବର କ୍ରମାଗତ ଭାବେ ସାମ୍ନାକୁ ଆସୁଥିଲା । ମାର୍ଚ୍ଚ ମାସରେ ଆସାମପ୍ରଦେଶ କଂଗ୍ରେସ କମିଟି ସୁସ୍ମିତା ଦେବଙ୍କ ଇସ୍ତଫା ନେଇଥିବା ଅନୁମାନକୁ ଖାରଜ କରିଦେଇଥିଲେ । ଆସନ ବାଣ୍ଟିବା ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ । କଂଗ୍ରେସ ମହିଳା ୱିଙ୍ଗ ମୁଖ୍ୟ ସୁସ୍ମିତା ଦେବ ରବିବାର ଦଳରୁ ଇସ୍ତଫା ଦେଇଛନ୍ତି । ଦଳର ସଭାପତି ସୋନିଆ ଗାନ୍ଧୀଙ୍କୁ ଏକ ସଂକ୍ଷିପ୍ତ ଚିଠିରେ ପୂର୍ବତନ ସାଂସଦ କହିଛନ୍ତି ଯେ ସେ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛନ୍ତି । କିନ୍ତୁ କୌଣସି ନିର୍ଦ୍ଦିଷ୍ଟ କାରଣ ଦେଇନାହାଁନ୍ତି । ସେ କହିଛନ୍ତି ମୁଁ ଭାରତୀୟ ଜାତୀୟ କଂଗ୍ରେସ ସହିତ ମୋର ତିନି ଦଶନ୍ଧିର ସହଭାଗିତାକୁ ଭଲପାଏ । ଆପଣ ମୋତେ ଦେଇଥିବା ମାର୍ଗଦର୍ଶନ ଏବଂ ସୁଯୋଗ ପାଇଁ ମୁଁ ବ୍ୟକ୍ତିଗତ ଭାବେ ଆପଣଙ୍କୁ ଧନ୍ୟବାଦ ଦେଉଛି । ଦେବ ସ୍ୱର୍ଗତ ଭେଟେରାନ କଂଗ୍ରେସ ସାଣ୍ଟୋଶ ମୋହନ ଦେବଙ୍କ ଝିଅ । ୨୦୧୪ରେ ପ୍ରଥମ ଥର ପାଇଁ ସେ ସିଲଚରର ପାରିବାରିକ ଆସନରୁ ସଂସଦରେ ପହଞ୍ଚିଥିଲେ ।
