ଶ୍ରୀଲଙ୍କାର ଆତ୍ମସମର୍ପଣ, ବିଶ୍ଵକପ୍ ଇତିହାସରେ ଭାରତର ସବୁଠୁ ବଡ଼ ବିଜୟ
ମୁମ୍ବାଇ : ବିଶ୍ଵକପ୍ ୨୦୨୩ରେ ଭାରତର ବିଜୟ ଯାତ୍ରା ଜାରି ରହିଛି। ବ୍ୟାଟରଙ୍କ ଦମଦାର ବ୍ୟାଟିଂ ପରେ ଶାମି ଓ ସିରାଜଙ୍କ ଘାତକ ବୋଲିଂ ବଳରେ ଓ୍ଵାଙ୍ଖେଡ଼େରେ ଖେଳାଯାଇଥିବା ମ୍ୟାଚ୍ରେ ଭାରତ ବିଶାଳ ବିଜୟ ହାସଲ କରିଛି। ଶ୍ରୀଲଙ୍କା ଶୋଚନୀୟ ପରାଜୟ ଭୋଗି ଅଳ୍ପକେରୁ ନିଜ ନାଁରେ ଲଜ୍ଜାଜନକ ରେକର୍ଡ ହେବାରୁ ବର୍ତ୍ତି ଯାଇଛି। ୩୦୨ ରନର ବିଶାଳ ବିଜୟ ସହ ଭାରତ ନିଜର ବିଶ୍ଵକପ୍ ଇତିହାସରେ ସବୁଠୁ ବଡ଼ ବିଜୟ ଏବଂ ମୋଟ୍ ଉପରେ ଦ୍ଵିତୀୟ ସର୍ବବୃହତ ବିଜୟ ହାସଲ କରିଛି। ୧୪ ପଏଣ୍ଟ ସହ ପ୍ରଥମ ଦଳ ଭାବେ ଆନୁଷ୍ଠାନିକ ଭାବେ ସେମି ଫାଇନାଲ୍ରେ ପ୍ରବେଶ କରିଛି ଭାରତ। ଶ୍ରୀଲଙ୍କା ଭାରତୀୟ ଘାତକ ବୋଲିଂର ମୁକାବିଲା କରି ନ ପାରି ୫୫ ରନରେ ଅଲଆଉଟ୍ ହୋଇଛି। ଦଳର ୮ ଜଣ ବ୍ୟାଟର ଦୁଇ ଅଙ୍କ ବି ଛୁଇଁ ପାରି ନାହାନ୍ତି। ସପ୍ତମ ମ୍ୟାଚ୍ରୁ ପଞ୍ଚମ ପରାଜୟ ଭୋଗି ସେମି ଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିଛି ସିଂହଳୀ ଟିମ୍।
ପ୍ରଥମେ ବ୍ୟାଟିଂ କରି ଭାରତ ଶୁଭମନ ଗିଲ୍ଙ୍କ ୯୨ ରନ, ବିରାଟ କୋହଲିଙ୍କ ୮୮ ରନ ଓ ଶ୍ରେୟସ ଆୟଙ୍କ ବିସ୍ଫୋରକ ୮୨ ରନର ଅର୍ଦ୍ଧଶତକୀୟ ଇନିଂସ ବଳରେ ୮ ଓ୍ଵିକେଟ୍ ୩୫୭ ରନ କରିଥିଲା। ଜବାବରେ ଶ୍ରୀଲଙ୍କା ଏମିତି ବ୍ୟାଟିଂ କରିବ ବୋଲି କେହି ଭାବି ନ ଥିଲେ। ଦଳ ଭାରତୀୟ ବୋଲରଙ୍କ ନିକଟରେ ଆତ୍ମ ସମର୍ପଣ କରି ୧୯.୪ ଓଭରରେ ୫୫ ରନରେ ଅଲଆଉଟ୍ ହୋଇଛି। ଆଞ୍ଜେଲୋ ମାଥ୍ୟୁସ ଓ ଦୁଷ୍ମନ୍ତ ଚମିରା ୧୨ ରନ ଲେଖାଏଁ କରିଥିବା ବେଳେ କଶୁନ ରଜିଥା ୧୯ ରନ କରିଛନ୍ତି। ପାଞ୍ଚ ଜଣ ବ୍ୟାଟର ଖାତା ବି ଖୋଲି ପାରି ନାହାନ୍ତି। ଦିନିକିଆ ଇତିହାସରେ ଶ୍ରୀଲଙ୍କାର ଏହା ତୃତୀୟ ସର୍ବନିମ୍ନ ସ୍କୋର। ଏହା ପୂର୍ବରୁ ଶ୍ରୀଲଙ୍କା ୨୦୧୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୪୩ ରନରେ ଅଲଆଉଟ୍ ହୋଇଥିଲା। କିନ୍ତୁ ଦିନିକିଆ ବିଶ୍ଵକପରେ ଶ୍ରୀଲଙ୍କାର ୫୫ ରନ ହେଉଛି ସର୍ବନିମ୍ନ ସ୍କୋର। ଏହା ସହିତ ବିଶ୍ଵକପ୍ ଇତିହାସରେ ଏହା ହେଉଛି ତୃତୀୟ ସର୍ବନିମ୍ନ ସ୍କୋର। ୧୯୭୫ ବିଶ୍ଵକପ୍ରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଦଳ ୮୬ ରନ କରିଥିଲା।
୩୫୮ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିଥିବା ଶ୍ରୀଲଙ୍କାକୁ ପ୍ରଥମ ବଲ୍ରୁ ଝଟକା ଦେଇଥିଲେ ଯଶପ୍ରୀତ ବୁମରା। ପଥୁମ ନିଶଙ୍କା ଖାତା ଖୋଲି ପାରି ନ ଥିଲେ। ଅନ୍ୟ ଓପନର ଦିମୁଥ କରୁଣାରତ୍ନେ ମଧ୍ୟ ଖାତା ଖୋଲି ନ ପାରି ମହମ୍ମଦ ସିରାଜଙ୍କ ଶିକାର ହୋଇଥିଲେ। ଏହା ପରେ ମହମ୍ମଦ ସିରାଜ ଓ ମହମ୍ମଦ ଶାମିଙ୍କ ଘାତକ ବୋଲିଂ ଆଗରେ ତିଷ୍ଠି ପାରି ନ ଥିଲା ଶ୍ରୀଲଙ୍କା। ଦଳର ବ୍ୟାଟିଂକ୍ରମ ତାସ ପତା ପରି ଭୁଶୁଡ଼ି ପଡ଼ିଥିଲା। ଦଳର ୫ ଜଣ ବ୍ୟାଟର ଖାତା ବି ଖୋଲି ପାରି ନାହାନ୍ତି। ଆଞ୍ଜେଲୋ ମାଥ୍ୟୁସ ୧୨ ରନ କରିଥିଲେ। ମହୀଶ ତୀକ୍ଷ୍ଣଣା ୧୨ ରନ କରି ଅପରାଜିତ ଥିଲେ। କସୁନ ରଜିଥା ଦଳ ପକ୍ଷରୁ ସର୍ବାଧିକ ୧୪ ରନ କରିଥିଲେ। ଶେଷରେ ଶ୍ରୀଲଙ୍କା ୧୯.୪ ଓଭରରେ ୫୫ ରନରେ ଅଲଆଉଟ୍ ହେବା ସହ ଭାରତ ମ୍ୟାଚ୍କୁ ୩୦୨ ରନରେ ଜିତି ନେଇଛି।
ବୋଲିଂରେ ଭାରତ ପକ୍ଷରୁ ମହମ୍ମଦ ଶାମି ୫ ଓଭରରେ ୧୮ ରନ ଦେଇ ୫ଟି ସଫଳତା ହାସଲ କରିଛନ୍ତି। ଚଳିତ ବିଶ୍ଵକପ୍ରେ ଶାମି ତୃତୀୟ ମ୍ୟାଚ୍ରୁ ଦ୍ଵିତୀୟ ଥର ୫ ଓ୍ଵିକେଟ୍ ହାସଲ କରିଛନ୍ତି। ସେହିପରି ମହମ୍ମଦ ସିରାଜ ୭ ଓଭରରେ ୧୬ ରନ ଦେଇ ୩ଟି ଓ୍ଵିକେଟ୍ ନେଇଥିବା ବେଳେ ଯଶପ୍ରୀତ ବୁମରା ଓ ରବୀନ୍ଦ୍ର ଜାଡ଼େଜା ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।
