ଆଶ୍ଚର୍ଯ୍ୟଜନକ ଘଟଣା : ମୁର୍ଦାଘର ଫ୍ରିଜରରେ ୭ ଘଣ୍ଟା ରହିବା ପରେ ସକାଳେ ଜିଇଁଲେ ଯୁବକ
ମୋରାଦାବାଦ: ଉତ୍ତର ପ୍ରଦେଶର ମୋରାଦାବାଦରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ୪୦ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ପ୍ରାୟ ସାତ ଘଣ୍ଟା ଧରି ମୁର୍ଦାଘର ଫ୍ରିଜରେ ରଖାଯାଇଥିଲା। ଆଉ ପରେ ସେ ସେଠାରୁ ଜୀବନ୍ତ ବାହାରି ଆସିଥିଲେ। ସେ ଏବେ ସୁସ୍ଥ ଥିବା ସୂଚନା ମିଳିଛି।
ସୂଚନା ଯେ, ଶ୍ରୀକେଶ କୁମାର ନାମକ ବ୍ୟକ୍ତି ଦ୍ରୁତ ଗତିରେ ଆସୁଥିବା ମୋଟରସାଇକେଲରେ ଧକ୍କା ହେବା ପରେ ତାଙ୍କୁ ଗୁରୁବାର ରାତିରେ ମୋରାଦାବାଦ ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା। ସେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ନିୟମ ଅନୁସାରେ ଶ୍ରୀକେଶଙ୍କ ପୋଷ୍ଟମର୍ଟମ ହେବାର ଥିଲା। ସେଥିପାଇଁ ପରଦିନ ସକାଳେ ହସ୍ପିଟାଲର କର୍ମଚାରୀମାନେ ମୃତଦେହକୁ ଫ୍ରିଜରେ ରଖିଥିଲେ। ପ୍ରାୟ ସାତ ଘଣ୍ଟା ପରେ, ଯେତେବେଳେ ଶବ ବ୍ୟବଚ୍ଛେଦ ପାଇଁ ପଞ୍ଚନାମା କିମ୍ବା ଡକ୍ୟୁମେଣ୍ଟରେ ମୃତଦେହ ଚିହ୍ନଟ କରିବାକୁ ପରିବାର ସଦସ୍ୟଙ୍କ ଦସ୍ତଖତ ଲୋଡା ଥିଲା। ଏହି ସମୟରେ ଶ୍ରୀକେଶ କୁମାରଙ୍କ ଭାଉଜ ମଧୁବାଲା ଦେଖିଲେ ଯେ, ତାଙ୍କ ଦିଅରଙ୍କ ଦେହର ଟିକିଏ ହଲିଲା। ଭାଇରାଲ ହୋଇଥିବା ଏକ ଭିଡିଓରେ ମଧୁବାଲାଙ୍କଠୁ ଶୁଣିବାକୁ ମିଳୁଛି ଯେ ସେ ମରି ନାହାଁନ୍ତି। ଏହା କିପରି ହେଲା? ଦେଖ, ସେ କିଛି କହିବାକୁ ଚାହାଁନ୍ତି, ସେ ନିଶ୍ୱାସ ନେଉଛନ୍ତି।
ମୋରାଦାବାଦ ମୁଖ୍ୟ ଚିକିତ୍ସା ଅଧୀକ୍ଷକ ଡାକ୍ତର ଶିବ ସିଂ କହିଛନ୍ତି ଯେ, ଜରୁରୀକାଳୀନ ଚିକିତ୍ସା ଅଧିକାରୀ ରୋଗୀଙ୍କୁ ସକାଳ ୩ଟାରେ ଦେଖିଥିଲେ ଯେତେବେଳେ ତାଙ୍କ ହୃଦସ୍ପନ୍ଦନ କାମ କରୁନଥିଲା। ସେ ଉକ୍ତ ବ୍ୟକ୍ତିଙ୍କୁ ଅନେକ ଥର ପରୀକ୍ଷା କରିଥିଲେ। ଏହା ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। କିନ୍ତୁ ସକାଳେ ପୋଲିସ ଟିମ୍ ଏବଂ ତାଙ୍କ ପରିବାର ତାଙ୍କୁ ଜୀବନ୍ତ ଅବସ୍ଥାରେ ପାଇଥିଲେ। ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ଆମର ପ୍ରାଥମିକତା ହେଉଛି ତାଙ୍କ ଜୀବନ ରକ୍ଷା କରିବା। ସିଂ କହିଛନ୍ତି ଯେ, ଏହା ସେହି ବିରଳ ଘଟଣା ମଧ୍ୟରୁ ଗୋଟିଏ। ଆମେ ଏହାକୁ ଅବହେଳା ବୋଲି କହିପାରିବା ନାହିଁ। କୁମାର ବର୍ତ୍ତମାନ ମେରଠର ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି, ଯେଉଁଠାରେ ତାଙ୍କ ଅବସ୍ଥା ଭଲ ହୋଇଛି। ସମ୍ପର୍କୀୟମାନେ କହିଛନ୍ତି, ଆମେ ଡାକ୍ତରଙ୍କ ବିରୁଦ୍ଧରେ ଅବହେଳା ଅଭିଯୋଗ ଆଣିବୁ କାରଣ ସେମାନେ ଶ୍ରୀକେଶଙ୍କୁ ଫ୍ରିଜରେ ରଖି ପ୍ରାୟ ହତ୍ୟା କରିଥିଲେ।
