‘ରିଲାଏନ୍ସ୍ ଇନ୍ଫ୍ରାଷ୍ଟ୍ରକ୍ଚର୍’ ସପକ୍ଷରେ ମିଳିଥିବା ‘ଆର୍ବିଟ୍ରାଲ୍ ଆୱାଡ୍’କୁ କାଏମ୍ ରଖିଲେ ସୁପ୍ରିମକୋର୍ଟ
- ୨,୮୦୦ କୋଟି ଟଙ୍କା ଏବଂ ସୁଧ ଦେବା ପାଇଁ ଦିଲ୍ଲୀ ମେଟ୍ରୋକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ : ‘ଦିଲ୍ଲୀ ଏୟାର୍ପୋର୍ଟ ଏକ୍ସ୍ପ୍ରେସ୍ ମେଟ୍ରୋ’ ମାମାଲାରେ ‘ଦିଲ୍ଲୀ ମୋଟ୍ରୋ ରେଲ୍ କର୍ପୋରେସନ୍’ର (ଡିଏମ୍ଆର୍ସି) ଆବେଦନକୁ ଗୁରୁବାର ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ସେହିପରି ଋଣଗ୍ରସ୍ତ ‘ରିଲାଏନ୍ସ୍ ଇନ୍ଫ୍ରାଷ୍ଟ୍ରକ୍ଚର୍’ ସପକ୍ଷରେ ମିଳିଥିବା ‘ଆର୍ବିଟ୍ରାଲ୍ ଆୱାଡ୍’କୁ କାଏମ୍ ରଖିଛନ୍ତି । ଫଳରେ ‘ଦିଲ୍ଲୀ ଏୟାର୍ପୋର୍ଟ ଏକ୍ସ୍ପ୍ରେସ୍ ମେଟ୍ରୋ’ ଯୋଗୁଁ ହୋଇଥିବା ୨୮୦୦ କୋଟି ଟଙ୍କାର କ୍ଷତି ଏବଂ ତା’ର ସୁଧ ପୈଠ କରିବା ଲାଗି ଅଦାଲତ ‘ଡିଏମ୍ଆର୍ସି’କୁ ନିର୍ଦେଶ ଦେଇଛନ୍ତି । ସୁଧ ମିଶିଲେ ଏହି ଅର୍ଥରାଶି ୪,୮୦୦ କୋଟି ଟଙ୍କା ହୋଇଯିବ।
‘ଦିଲ୍ଲୀ ଏୟାର୍ପୋର୍ଟ ମେଟ୍ରୋ’ ନିର୍ମାଣ ଓ ପରିଚାଳନା ନିମନ୍ତେ ୨୦୦୮ରେ ଉପରୋକ୍ତ ଦୁଇ ସଂସ୍ଥାନ ମଧ୍ୟରେ ରାଜିନାମା ହୋଇଥିଲା। କିନ୍ତୁ, ୨୦୧୨ରେ ‘ରିଲାଏନ୍ସ୍ ଇନ୍ଫ୍ରା’ ଉକ୍ତ ରାଜିନାମାର ପରିସମାପ୍ତି ଘଟାଇଥିଲା। ପ୍ରଥମେ ‘ଡିଏମ୍ଆର୍ସି’ ଏହି ମାମଲାରେ ‘ଆର୍ବିଟ୍ରେସନ୍ କ୍ଲଜ୍’ ଆରମ୍ଭ କରିଥିଲା। କିନ୍ତୁ, ‘ରିଲାଏନ୍ସ୍ ଇନ୍ଫ୍ରା’କୁ ୨୮୦୦ କୋଟି ଟଙ୍କା ଏବଂ ତା’ର ସୁଧ ଦେବା ଲାଗି ୨୦୧୭ରେ ‘ଆର୍ବିଟ୍ରେସନ୍ ଟ୍ରିବୁନାଲ୍’ ‘ଡିଏମ୍ଆର୍ସି’କୁ ନିର୍ଦେଶ ଦେଇଥିଲେ। ‘ରିଲାଏନ୍ସ୍ ଇନ୍ଫ୍ରା’ ସପକ୍ଷରେ ଥିବା ଏହି ‘ଆର୍ବିଟ୍ରେସନ୍ ଅର୍ଡର୍’କୁ ୨୦୧୮ରେ ଦିଲ୍ଲୀ ହାଇକୋର୍ଟଙ୍କର ଜଣିକିଆ ଖଣ୍ଡପୀଠ କାଏମ ରଖିଥିଲେ। କିନ୍ତୁ, ୨୦୧୯ରେ ଦିଲ୍ଲୀ ହାଇକୋର୍ଟଙ୍କର ଏକ ‘ଡିଭିଜନ୍ ବେଞ୍ଚ୍’ ଏହି ‘ଆର୍ବିଟ୍ରେସନ୍ ଆୱାର୍ଡ’କୁ ଅସିଦ୍ଧ ଘୋଷଣା କରିଥିଲେ। ଏହାକୁ ଚାଲେଞ୍ଜ୍ କରି ‘ରିଲାଏନ୍ସ୍ ଇନ୍ଫ୍ରା’ ସୁପ୍ରିମ୍ କୋର୍ଟରେ ଆବେଦନ କରିଥିଲା।
