ପେଗାସସ ଗୁଇନ୍ଦାଗିିରି ମାମଲାରେ ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ପେଗାସସ ଗୁଇନ୍ଦାଗିରି ପ୍ରସଙ୍ଗକୁ ନେଇ କିଛିଦିନ ପୂର୍ବରୁ ବିରୋଧୀ ଦଳଗୁଡିକ କେନ୍ଦ୍ର ସରକାରଙ୍କୁ ଘେରିବା ସହିତ ସଂସଦର ମୌସୁମୀ ଅଧିବେଶନ ଚାଲିବାକୁ ଦେଇନଥିଲେ । ତେବେ ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିବାବେଳେ ଏହି ପ୍ରସଙ୍ଗରେ ସତ୍ୟପାଠ ଦାଖଲ କରିବାକୁ ସରକାର ମନ କରିଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଏହି ପ୍ରସଙ୍ଗ ଉପରେ ନିରପେକ୍ଷ ତଦନ୍ତ କରାଇବାକୁ ସୁପ୍ରିମକୋର୍ଟରେ ଏକାଧିକ ଯାଚିକା ଦାଏର କରାଯାଇଥିଲା । ତେବେ ଏହାକୁ ନେଇ ରାଷ୍ଟ୍ରର ସୁରକ୍ଷା ପ୍ରସଙ୍ଗ ଜଡିତ ଥିବାରୁ ସରକାର ଏ ସର୍ମ୍ପକରେ ବିସ୍ତୃତ ସତ୍ୟପାଠ ଦାଖଲ କରିବେ ନାହିଁ ବୋଲି ସଲିସିଟର ଜେନେରାଲ ତୁଷାର ମେହଟା ସର୍ବୋଚ୍ଚ ଅଦାଲତଙ୍କୁ ଅବଗତ କରାଇଛନ୍ତି ।
ସୁପ୍ରିମକୋର୍ଟର ମାନ୍ୟବର ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମନାଙ୍କ ନେତୃତ୍ୱରେ ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ଜଷ୍ଟିସ ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ଏକ ପୀଠ ନିକଟରେ ପ୍ରକାଶ କରି ସଲିସିଟର ଜେନେରାଲ ଶ୍ରୀ ମେହଟା କହିଛନ୍ତି, କେନ୍ଦ୍ର ସରକାର କିଛି ଲୁଚାଇବାକୁ ଚାହୁନାହାନ୍ତି । ସେଥିପାଇଁ ସରକାର ଏହି କ୍ଷେତ୍ରରେ ବିଶେଷ ଜ୍ଞାନଥିବା ବ୍ୟକ୍ତିବିଶେଷଙ୍କୁ ନେଇ ଏକ ମଣ୍ଡଳୀ ଗଠନ କରିବାକୁ ନିଜଆଡୁ କହିସାରିଛନ୍ତି । ଉକ୍ତ ବିଶେଷଜ୍ଞ କମିଟିର ରିପୋର୍ଟ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିକଟରେ ଦାଖଲ କରାଯିବ । ସରକାର ସାମରିକ ସ୍ତରୀୟ ସ୍ପାଇୱେରକୁ ସାମ୍ବାଦିକ, ରାଜନୈତିକ ବ୍ୟକ୍ତି, ସାମାଜିକ କର୍ମୀ ଏବଂ ଅଦାଲତ କର୍ମଚାରୀଙ୍କ ବିରୁଦ୍ଧରେ ଗୁଇନ୍ଦାଗିରି ଉଦ୍ଦେଶ୍ୟରେ ବ୍ୟବହାର କରୁଥିବା ନେଇ ବରିଷ୍ଠ ସାମ୍ବାଦିକ ଏନ ରାମଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗ ମିଥ୍ୟା ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା ।
