ଏମ୍ସ ଭୁବନେଶ୍ୱରରେ ସଫଳତାର ସହିତ ଏଣ୍ଡୋଭାସ୍କୁଲାର ଚିକିତ୍ସା ପ୍ରକ୍ରିୟା ସମ୍ପନ୍ନ
ଭୁବନେଶ୍ୱର : ଏମ୍ସ ଭୁବନେଶ୍ୱରରେ ପ୍ରଥମଥର ସଫଳତାର ସହିତ ମୁଖ୍ୟ ଧମନୀ ଦୁର୍ବଳ ପରଦାର ଅନ୍ତର୍ବାହିକା (ଏଣ୍ଡୋଭାସ୍କୁଲାର) ଚିକିତ୍ସା ପ୍ରକ୍ରିୟା ସମ୍ପନ୍ନ ହୋଇଛି । ରାଜ୍ୟରେ କୌଣସି ସରକାରୀ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ଏପରି ପ୍ରକ୍ରିୟା କରାଯିବା ପ୍ରଥମ । ଏମ୍ସ ଭୁବନେଶ୍ୱରର ରେଡିଓଲୋଜି ବିଭାଗ ପକ୍ଷରୁ ହୃଦଶଲ୍ୟ ଚିକିତ୍ସା ଏବଂ ନିଶ୍ଚେତକ ବିଭାଗ ସହାୟତାରେ ଏହି ସଫଳ ପ୍ରକ୍ରିୟା ସୁଲଭ ମୂଲ୍ୟରେ କରାଯାଇଛି । ସୂଚନା ଅନୁସାରେ ଜଣେ ବ୍ୟକ୍ତିଙ୍କର ମୁଖ୍ୟ ଧମନୀ ଏବଂ ସଂଲଗ୍ନ ବାମ ବୃକକ୍ ଧମନୀ ପରଦା ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଥିଲା । ତେଣୁ ଯେକୌଣସି ସମୟରେ ଉକ୍ତ ବ୍ୟକ୍ତିଙ୍କ ମୁଖ୍ୟ ଧମନୀ ଫାଟିବାର ଆଶଙ୍କା ସୃଷ୍ଟି ହୋଇଥିଲା । ଏପରି ଜଟିଳ ସ୍ଥିତିର ଅସ୍ତ୍ରୋପଚାର ରାଜ୍ୟରେ ବିରଳ କହିଲେ ଚଳେ । ଅଧିକାଂଶ କ୍ଷେତ୍ରରେ ଏପରି ଅବସ୍ଥା ପ୍ରାଣଘାତୀ ସାବ୍ୟସ୍ତ ହୋଇଥାଏ । ଅନ୍ତର୍ବାହିକା (ଏଣ୍ଡୋଭାସ୍କୁଲାର) ଚିକିତ୍ସା ପ୍ରକ୍ରିୟା ସହାୟତାରେ ଏମ୍ସ ଡାକ୍ତରଙ୍କ ଅଭିଜ୍ଞ ହାତରେ କରାଯାଇଥିବା ଏହି ପଦ୍ଧତି ରୋଗୀକୁ ନୂତନ ଜୀବନ ପ୍ରଦାନ କରିଛି । ଏହି ପ୍ରକ୍ରିୟାରେ ମୁଖ୍ୟ ଧମନୀରେ ଏକ ଷ୍ଟେନ୍ଟ ସ୍ଥାପନ ପୂର୍ବକ ନୂତନ ମାର୍ଗ ସୃଷ୍ଟି କରାଯାଇଥାଏ । ଉଲ୍ଲେଖଯୋଗ୍ୟ ଯେ ଘରୋଇ ହସ୍ପିଟାଲରେ ଏହି ପ୍ରକ୍ରିୟା ଅତ୍ୟନ୍ତ ବ୍ୟୟ ବହୁଳ ହୋଇଥାଏ । ମାତ୍ର ଏମ୍ସରେ ଏହା ବେଶ୍ ସୁଲଭ ମୂଲ୍ୟରେ କରାଯାଇଛି । ରୋଗୀ ବର୍ତ୍ତମାନ ସୁସ୍ଥ ଥିବା ଜଣାପଡିଛି । ହୃଦ୍ ଶଲ୍ୟ ଚିକିତ୍ସା ବିଭାଗର ଡ. ସତ୍ୟପ୍ରିୟ ମହାନ୍ତି, ରେଡ଼ିଓଲୋଜି ବିଭାଗର ଡ. ବିଶ୍ୱଜିତ ସାହୁ ଏବଂ ଡ. ମନୋଜ କୁମାର ନାୟକ, ନିଶ୍ଚେତକ ବିଭାଗ ମୁଖ୍ୟ ଡ. ସତ୍ୟଜିତ ମିଶ୍ର ଏବଂ ଡ. ସୌମ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏହି ଜୀବନରକ୍ଷକ ଅତ୍ୟାଧୁନିକ ପଦ୍ଧତି ସଫଳତାର ସହିତ ସଂପନ୍ନ ହୋଇଛି । ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଏପରି ସଫଳତାକୁ ନେଇ ଡାକ୍ତରୀ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।
