କିଡ୍ନି ପ୍ରତିରୋପଣ କ୍ଷେତ୍ରରେ ସଫଳତା : ମଣିଷ ଶରୀରରେ ପ୍ରତିରୋପଣ ହେଲା ଘୁଷୁରୀ କିଡନୀ
ନ୍ୟୁୟର୍କ : ଆମେରିକାରେ ବୈଜ୍ଞାନିକଙ୍କ ବିରଳ ସଫଳତା । ପ୍ରଥମ ଥର ପାଇଁ ଜଣେ ମଣିଷ ଦେହରେ ଘୁଷୁରି କିଡ୍ନି ପ୍ରତିରୋପଣ ପରୀକ୍ଷା ସଫଳ। ବୈଜ୍ଞାନିକମାନେ ଅସ୍ଥାୟୀ ଭାବେ ଘୁଷୁରି କିଡ୍ନି ଲଗାଇ ଦେଖିଥିଲେ ତାହା କାମ କରୁଛି କି ନାହିଁ, ଯାହା କାମ କରିଛି। ଏହି କାରନାମା ନ୍ୟୁୟର୍କ ସହରର ଏନଓ୍ଵାଇୟୁ ଲାଗୋନ ହେଲ୍ଥ ମେଡିକାଲ ସେଣ୍ଟରର ସର୍ଜନମାନେ କରି ଦେଖାଇଛନ୍ତି। ସବୁଠୁ ବଡ କଥା ଘୁଷୁରିର କିଡନୀ ମଣିଷ ଶରୀରରେ ସ୍ଵାଭାବିକ ଭାବେ କାମ କରୁଛି। ଏହି ସଫଳ ପ୍ରତିରୋପଣ ଆଗାମୀ ସମୟରେ ମାନବ ଅଙ୍ଗ ଅଭାବକୁ ଦୂର କରାଯାଇ ପାରିବ। ଅଙ୍ଗର ଅଭାବ ଦୂର କରିବା ପାଇଁ ଦୀର୍ଘ ସମୟ ଧରି ଘୁଷୁରି ଉପରେ ଗବେଷଣା ଜାରି ରହିଥିଲା।
ମଣିଷର ଜୀବନ ବଞ୍ଚାଇବା ପାଇଁ ଅଙ୍ଗ ପ୍ରତିରୋପଣର ଆବଶ୍ୟକତା ପଡ଼ିଥାଏ। ଏଥିପାଇଁ ମାନବ ଅଙ୍ଗ ଯଥେଷ୍ଟ ପରିମାଣରେ ଉପଲବ୍ଧ ନ ଥିବାରୁ ପ୍ରାଣୀ ଅଙ୍ଗ ପ୍ରତିରୋପଣ କଥା ଅନେକ ଦଶନ୍ଧି ଧରି ବୈଜ୍ଞାନିକମାନେ ଚିନ୍ତା କରିଆସୁଥିଲେ। ଏଥିରେ ଘୁଷୁରିକୁ ପରୀକ୍ଷା ପାଇଁ ନିଆଯାଇଥିଲା। ଘୁଷୁରିର କୋଶିକାରେ ଥିବା ଏକ ସୁଗାର ମଣିଷ ଶରୀର ସ୍ଵୀକାର କରେ ନାହିଁ। ଏହି କାରଣରୁ ପୂର୍ବରୁ ସମସ୍ତ ପ୍ରୟାସ ବିଫଳ ହୋଇଥିଲା। ଏଥିପାଇଁ ଏଥର ଡାକ୍ତରମାନେ ସ୍ଵତନ୍ତ୍ର ମୋଡିଫାଇଡ୍ ଜିନ ଥିବା ଘୁଷୁରିର ବ୍ୟବହାର କରିଥିଲେ। ଏଥିରେ ଘୁଷୁରିର କୋଶିକାରେ ଥିବା ଉକ୍ତ ସୁଗାରକୁ ମାରିବା ଏବଂ ଇମ୍ୟୁନ ସିଷ୍ଟମକୁ ଆକ୍ରମଣରୁ ବଞ୍ଚାଇବା ପାଇଁ ଜେନେଟିକ୍ରେ ପରିବର୍ତ୍ତନ କରାଯାଇଥିଲା। ତେଣୁ ଏହି କିଡ୍ନି ମଣିଷ ଶରୀରରେ ଠିକ୍ କାମ କରିବାକୁ ଆରମ୍ଭ କଲା ଏବଂ ମଣିଷ ଶରୀର ଏହାକୁ ପ୍ରତ୍ୟାଖ୍ୟାନ କରିଲା ନାହିଁ। ମଣିଷ ଶରୀରରେ ଲଗାଇବା ପୂର୍ବରୁ ବାହାରେ ମଧ୍ୟ ଦୁଇଦିନ ଧରି ଏହାକୁ ପରୀକ୍ଷା କରାଯାଇଥିଲା। ଏନେଇ ଏନ୍ୱାଇୟୁ ଲାଙ୍ଗୋର ହେଲ୍ଥର ସର୍ଜିକାଲ ଟିମ୍ର ମୁଖ୍ୟ ଡ. ରବର୍ଟ ମଣ୍ଟଗୋମେରୀ କହିଛନ୍ତି ଯେ, ବର୍ତ୍ତମାନ ମଣିଷ ଶରୀରରେ ଅସ୍ଥାୟୀ ଭାବେ ଲଗାଯାଇଥିବା ଉକ୍ତ ଘୁଷୁରି କିଡ୍ନି ଠିକ୍ କାମ କରୁଛି । ସେହିପରି ଏହା ଏକ ଗୁରୁତ୍ବପୂର୍ଣ୍ଣ ସଫଳତା ବୋଲି ୟୁନିଭର୍ସିଟି ଅଫ୍ ମିନେସୋଟା ମେଡିକାଲ ସ୍କୁଲ୍ର ଡ. ଆଣ୍ଡ୍ରୁ ଆଦାମ୍ସ କହିଛନ୍ତି। ଆଗକୁ ମାଙ୍କଡ଼ ଓ ବଣମଣିଷ ପ୍ରଭୃତି ଅନ୍ୟ ପ୍ରାଣୀଙ୍କ ଜିନ୍ ପରିବର୍ତ୍ତନ କରି ସେମାନଙ୍କ ଅଙ୍ଗ ମଧ୍ୟ ମଣିଷକୁ ବଞ୍ଚାଇବା ପାଇଁ ବ୍ୟବହାର କରାଯାଇପାରିବ।
ସୂଚନା ଯେ, ଏହି ଘୁଷୁରୀର କିଡନୀକୁ ଜଣେ ବ୍ରେନ ଡେଡ୍ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି। ଏହି ରୋଗୀଙ୍କ କିଡନୀ ପ୍ରାୟତଃ ଖରାପ ହୋଇ ସାରିଥିଲା। ରୋଗୀଙ୍କ ଦେହରୁ ଜୀବନ ରକ୍ଷାକାରୀ ସିଷ୍ଟମ ହଟାଇବା ପାଇଁ ପରିବାର ଲୋକଙ୍କଠୁ ଆଇନ ମୁତାବକ ସ୍ଵୀକୃତି ନିଆଯାଇଥିଲା। ଡାକ୍ତରୀ ଦଳ ଘୁଷୁରିର କିଡନୀକୁ ଦୁଇ ତିନି ଦିନର ନୀରିକ୍ଷଣ ଏବଂ ଚିିକିତ୍ସା ପରେ ରୋଗୀଙ୍କ ଧମନୀରେ ଯୋଡିଛନ୍ତି, ଯେଉଁଥିରେ ରକ୍ତ ଓ ଅମ୍ଳଜାନ ମିଳିଥାଏ। ଆଶ୍ଚର୍ଯ୍ୟର କଥା କିଡନୀ ସ୍ଵାଭାବିକ ଭାବେ ରୋଗୀଙ୍କ ଶରୀରରେ କାମ କରିଥିଲା। ଏହି ପ୍ରତିରୋପଣର ମୁଖ୍ୟ ସର୍ଜନ ଡାକ୍ତର ରବର୍ଟ ମୋଣ୍ଟଗୋମରୀ କହିଛନ୍ତି, ପ୍ରତିରୋପଣ କିଡନୀର ସମସ୍ତ ଟେଷ୍ଟ ରିପୋର୍ଟ ସ୍ଵାଭାବିକ ରହିଥିଲା। ଏହି କିଡନୀ ରୋଗୀଙ୍କ ଶରୀରରେ ମୂତ୍ର ସେତିକି ମାତ୍ରାରେ ସୃଷ୍ଟି କରିଛି, ଯେତିକି ଆମେ କୌଣସି ମଣିଷ କିଡନୀଠୁ ଆଶା କରିଥାନ୍ତି। ଅର୍ଥାତ ରୋଗୀଙ୍କ ଶରୀରରେ ଘୁଷୁରୀ କିଡନୀ ମଣିଷ କିଡନୀ ପରି କାମ କରୁଛି।
